Latest Odisha News

BREAKING NEWS

ଚଳିତ ଥର ଜମିବନି ‘ଦାଣ୍ଡିଆ ନାଇଟ’ର ଆସର

ଭୁବନେଶ୍ୱର: ମା’ ଜଗତଜନନୀଙ୍କ ଆଗମନରେ ଉତ୍ସବମୁଖର ହୋଇପଡିଥାଏ ସାରା ରାଜ୍ୟ । ଶ୍ରଦ୍ଧାଳୁ ମାନେ ମା’ଙ୍କୁ ଦେଖିବା ପାଇଁ ବ୍ୟାକୁଳ ହେଉଥିବା ବେଳେ ଶ୍ରଦ୍ଧା ଓ ଭକ୍ତିର ମାହୋଲ ଚାରିଆଡେ ଭରି ରହିଥାଏ । ଏହି ଅବସରରେ ସହରର ବିଭିନ୍ନ ଅନୁଷ୍ଠାନ ଓ ତାରକା ହୋଟେଲ୍ ଗୁଡିକ ପକ୍ଷରୁ ଦାଣ୍ଡିଆ ନୃତ୍ୟର ଆୟୋଜନ କରାଯାଇଥାଏ । ମହିଳା ଓ ପୁରୁଷ ମାନେ ବିଭିନ୍ନ ପାରମ୍ପାରିକ ବେଶଭୂଷାରେ ନିଜକୁ ସଜେଇ ଦାଣ୍ଡିଆ ନୃତ୍ୟର ମଜା ଉଠାଇଥାନ୍ତି ।

ଏହି ଦାଣ୍ଡିଆ ନୃତ୍ୟର ଆସରରେ ଭାଗ ନେବା ପାଇଁ ଲୋକମାନେ ଖୁବ୍ ଆଗ୍ରହୀ ହୋଇ ରହିଥାନ୍ତି । କିଏ ଗୁଜୁରାଟି ଢାଞ୍ଚାରେ ବେଶ ପୋଷାକ ତ କିଏ ଲୋହେଙ୍ଗା ଚୋଲି, ସେରୱାନୀ ତ ଆଉ କେହି କେହି ରଙ୍ଗବେରଙ୍ଗୀ ଆକର୍ଷଣୀୟ ପୋଷାକ ପରିଧାନ କରି ନିଜକୁ ସଜ୍ଜେଇ ଥାନ୍ତି ।

ସବୁବର୍ଷ ଦାଣ୍ଡିଆ ନାଇଟରେ ଆଲୋକ ଓ ଗୀତର ତାଳେତାଳେ ପୂରା ସନ୍ଧ୍ୟା ରଙ୍ଗୀନ ଓ ମତୁଆଲା ହୋଇଉଠିଥାଏ । ଏମିତିକି ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଦର୍ଶକଙ୍କୁ ଆକୃଷ୍ଟ କରିବା ପାଇଁ ଅନେକ ପ୍ରକାରର ରିହାତି ମଧ୍ୟ ରଖାଯାଇଥାଏ ।

ହେଲେ ଚଳିତ ଥର କରୋନା ମହାମାରୀ ଯୋଗୁଁ ରାଜଧାନୀ ଭୁବନେଶ୍ୱରରେ ଦାଣ୍ଡିଆ ନାଇଟ୍ ଆୟୋଜନା ନକରିବା ପାଇଁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଯାହା ଦାଣ୍ଡିଆ ନାଇଟକୁ ଭଲ ପାଉଥିବା ତଥା ଉପଭୋଗ କରୁଥିବା ସହର ବାସୀଙ୍କୁ ଏଥର ହତାଶ ହେବାକୁ ପଡୁଥିବା ବେଳେ ଦାଣ୍ଡିଆ ଆୟୋଜକ ମାନଙ୍କ ମଧ୍ୟରେ ଏକପ୍ରକାର ନିରାଶା ଭାବ ଦେଖାଯାଉଛି।

ପରେଶ ନାୟକ (ଓଡିଶା ଇଣ୍ଟରନ୍ୟାସନାଲ୍ ସେଣ୍ଟର, ଅଧ୍ୟକ୍ଷ)- ଆମେ ପ୍ରାୟ ୧୪ ବର୍ଷ ହେବ ଦୁର୍ଗାପୂଜା ଅବସରରେ ଦାଣ୍ଡିଆ ଉତ୍ସବ ଆୟୋଜିତ କରିଆସୁଅଛୁ । ଜନତା ମଇଦାନରେ ଏହି କାର୍ଯ୍ୟକ୍ରମ କରାଯାଉଥିବା ବେଳେ ଚଳିତ ଥର କରୋନା ମହାମାରୀକୁ ଦୃଷ୍ଟିରେ ରଖି ଆମେ ଦାଣ୍ଡିଆ ନାଇଟ୍ ଆୟୋଜନ ନକରିବା ଲାଗି ନିଷ୍ପତ୍ତି ନେଇଛୁ ।

ବନ ମହାନ୍ତି (ପ୍ରୟାସ, ଅଧ୍ୟକ୍ଷ)- ଆମେ ଗତ ୮ ବର୍ଷ ଧରି ପ୍ରଦର୍ଶନୀ ପଡିଆରେ ଦାଣ୍ଡିଆ ନାଇଟ୍ ଆୟୋଜିତ କରି ଆସୁଛୁ । ହେଲେ ଚଳିତ ଥର କରୋନା ମହାମାରୀ ଯୋଗୁଁ ଆମେ ଏହାକୁ ଭର୍ଚୁଆଲ୍ ରୂପେ ଆୟୋଜନ କରିବାକୁ ପ୍ରଚେଷ୍ଟା କରୁଛୁ ।ଏମିତିକି ଷ୍ଟୁଡିଓ ଭିତରେ ପର୍ଯ୍ୟାୟ କ୍ରମେ ୧୦ ଜଣ ପୁଅ ଝିଅ ନୃତ୍ୟ ପରିବେଷଣ କରିବେ ।

ପ୍ରତିଯୋଗୀ ମାନଙ୍କୁ ଶ୍ରେଷ୍ଠ ଡ୍ୟାନ୍ସର, ଶ୍ରେଷ୍ଠ କଷ୍ଟ୍ୟୁମ୍‌, ଶ୍ରେଷ୍ଠ କପୁଲ୍ ଭଳି କିଛି ଆୱାଡ୍ ଦେବା ପାଇଁ ଯୋଜନା କରାଯାଇଛି । ଏନେଇ ଆମର ବୈଠକ ପରେ ଆଉ ଯାହା ନିଷ୍ପତ୍ତି ନିଆଯିବ ବୋଲି ସେ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.