Latest Odisha News

BREAKING NEWS

ଜନଗଣନା କାର୍ଯ୍ୟରେ ଦେଶରେ ସବୁଠୁ ଆଗୁଆ ଓଡ଼ିଶା

ଭୁବନେଶ୍ୱର: ଜାତୀୟ ଜନଗଣନା କାର୍ଯ୍ୟରେ ଓଡ଼ିଶା ଏକ ବଡ଼ ସଫଳତା ହାସଲ କରିଛି। ସମଗ୍ର ଦେଶରେ ଜନଗଣନା ପ୍ରକ୍ରିୟାରେ ଓଡ଼ିଶା ଅଗ୍ରଣୀ ରାଜ୍ୟ ଭାବେ ଉଭା ହୋଇଥିବା ବେଳେ ଏପର୍ଯ୍ୟନ୍ତ ରାଜ୍ୟର ୯୦ ପ୍ରତିଶତରୁ ଅଧିକ ଘର ତାଲିକାକରଣ କାର୍ଯ୍ୟ ଶେଷ ହୋଇଛି। ସୋମବାର ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏହି ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ, ଜନଗଣନା କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛନ୍ତି। ବିଭିନ୍ନ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ କର୍ମଚାରୀମାନେ ନିଷ୍ଠାର ସହ କାର୍ଯ୍ୟ କରୁଥିବାରୁ ଏହି ଲକ୍ଷ୍ୟ ହାସଲ ହୋଇପାରିଛି। ବିଶେଷ କରି ସୀମାନ୍ତ ଅଞ୍ଚଳରେ ଚାଲିଥିବା ବିବାଦ ପ୍ରସଙ୍ଗରେ ମନ୍ତ୍ରୀ କହିଛନ୍ତି ଯେ, କୋଟିଆ ପଞ୍ଚାୟତରେ ଓଡ଼ିଶା ସରକାରଙ୍କ ପକ୍ଷରୁ ୧୦୦ ପ୍ରତିଶତ ଘର ନମ୍ବର ଦେବା କାର୍ଯ୍ୟ ସରିଛି। ସେଠାରେ ଆନ୍ଧ୍ରପ୍ରଦେଶ ସରକାରଙ୍କ କୌଣସି ପ୍ରକାର ହସ୍ତକ୍ଷେପ କିମ୍ବା ସମାନ୍ତରାଳ ଜନଗଣନା ଉଦ୍ୟମକୁ ସେ ‘ନିରର୍ଥକ’ ବୋଲି କହିଛନ୍ତି। କୋଟିଆର ଜନସାଧାରଣ ଓଡ଼ିଶା ପ୍ରଶାସନକୁ ସମ୍ପୂର୍ଣ୍ଣ ସହଯୋଗ କରୁଥିବା ସେ ସ୍ପଷ୍ଟ କରିଛନ୍ତି।

ଅନ୍ୟପଟେ, ରାଜ୍ୟରେ ଜାରି ରହିଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜନଗଣନା କର୍ମଚାରୀଙ୍କ ପାଇଁ ନୂଆ ଏସଓପି ଜାରି କରାଯାଇଛି। କର୍ମଚାରୀଙ୍କ ସ୍ୱାସ୍ଥ୍ୟବସ୍ଥାକୁ ପ୍ରାଥମିକତା ଦେଇ ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ କ୍ଷେତ୍ର କାର୍ଯ୍ୟ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ସକାଳ ଏବଂ ସନ୍ଧ୍ୟା ସମୟରେ ଏହି କାର୍ଯ୍ୟ ଜାରି ରହିବ।

କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା ଅସାମାଜିକ ତତ୍ତ୍ୱଙ୍କ ବିରୋଧରେ ମନ୍ତ୍ରୀ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ସେ କହିଛନ୍ତି ଯେ, କୌଣସି ସରକାରୀ କର୍ମଚାରୀଙ୍କୁ କାର୍ଯ୍ୟ ସମୟରେ ଦୁର୍ବ୍ୟବହାର କିମ୍ବା ଆକ୍ରମଣ କଲେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅପରାଧୀ ଯେତେ ପ୍ରଭାବଶାଳୀ ହେଲେ ମଧ୍ୟ ସେମାନଙ୍କୁ ପାତାଳରୁ ଖୋଜି ବାହାର କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.