Latest Odisha News

BREAKING NEWS

ସାବଧାନ! ଏଣିକି ପ୍ୟାକେଟ୍ ଖାଦ୍ୟରେ ରହିବ ନାଲି ବିପଦ ଚିହ୍ନ: ଜାଣନ୍ତୁ FSSAIର ନୂଆ ନିୟମ

ନୂଆଦିଲ୍ଲୀ: ଦେଶରେ ବଢ଼ୁଥିବା ସ୍ୱାସ୍ଥ୍ୟ ସମସ୍ୟାକୁ ଦୃଷ୍ଟିରେ ରଖି ଭାରତୀୟ ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ (FSSAI) ଏକ ଯୁଗାନ୍ତକାରୀ ପଦକ୍ଷେପ ନେବାକୁ ଯାଉଛି। ବର୍ତ୍ତମାନ ବଜାରରେ ମିଳୁଥିବା ପ୍ୟାକେଟ୍ ଖାଦ୍ୟରେ ଯଦି ଅଧିକ ମାତ୍ରାରେ ଚିନି, ଲୁଣ ଏବଂ ଫ୍ୟାଟ୍ ହିଥାଏ, ତେବେ ସେହି ପ୍ୟାକେଟ୍ ଉପରେ ନାଲି ରଙ୍ଗର ଏକ ସତର୍କବାଣୀ ବା ‘ରେଡ୍ ୱାର୍ଣ୍ଣିଂ ଲେବଲ୍’ ଲଗାଇବାକୁ FSSAI ପକ୍ଷରୁ ପ୍ରସ୍ତାବ ଦିଆଯାଇଛି ।

ଏହି ନୂଆ ଫ୍ରଣ୍ଟ-ଅଫ୍-ପ୍ୟାକ୍ ଲେବେଲିଂ ନିୟମ ଅନୁଯାୟୀ, ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀଗୁଡ଼ିକୁ ସେମାନଙ୍କ ଉତ୍ପାଦର ସମ୍ମୁଖ ଭାଗରେ ଏହି ନାଲି ଚିହ୍ନ ଦେବାକୁ ବାଧ୍ୟତାମୂଳକ କରାଯିବ। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ଗ୍ରାହକମାନେ ଯେପରି ଖାଦ୍ୟ କିଣିବା ସମୟରେ ତୁରନ୍ତ ଜାଣିପାରିବେ ଯେ ସେହି ଉତ୍ପାଦଟି ସେମାନଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ କି ନୁହେଁ । ସାଧାରଣତଃ ଲୋକମାନେ ପ୍ୟାକେଟ୍ ପଛରେ ଲେଖାଥିବା ଛୋଟ ଅକ୍ଷରର ପୁଷ୍ଟିକର ତଥ୍ୟକୁ ପଢ଼ିବାକୁ ସମୟ ଦେଇନଥାନ୍ତି କିମ୍ବା ବୁଝିପାରନ୍ତି ନାହିଁ । କିନ୍ତୁ ଆଗରେ ନାଲି ରଙ୍ଗର ସତର୍କବାଣୀ ରହିଲେ, ଲୋକେ ସହଜରେ ଅସ୍ୱାସ୍ଥ୍ୟକର ଖାଦ୍ୟ ଚିହ୍ନଟ କରିପାରିବେ ଏବଂ ତାହାଠାରୁ ଦୂରେଇ ରହିପାରିବେ ।

ସାମ୍ପ୍ରତିକ ସମୟରେ ଭାରତରେ ମଧୁମେହ, ଉଚ୍ଚ ରକ୍ତଚାପ, ମେଦବହୁଳତା ଓ ହୃଦରୋଗ ଭଳି ଜୀବନଶୈଳୀ ଜନିତ ରୋଗ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ବିଶେଷଜ୍ଞଙ୍କ ମତରେ, ଅତ୍ୟଧିକ ପ୍ରୋସେସଡ୍ ତଥା ଜଙ୍କ୍ ଫୁଡ୍ ଖାଇବା ଏହାର ଅନ୍ୟତମ ପ୍ରମୁଖ କାରଣ। ଏହି ସବୁ ଖାଦ୍ୟରେ ସୋଡିୟମ୍ ଏବଂ ଟ୍ରାନ୍ସ-ଫ୍ୟାଟ୍‌ର ମାତ୍ରା ଖୁବ୍ ଅଧିକ ରହିଥାଏ। ତେଣୁ ନୂତନ ଲେବେଲିଂ ବ୍ୟବସ୍ଥା ଲାଗୁ ହେଲେ ଏହା ଗ୍ରାହକଙ୍କ ପାଇଁ ଏକ ସତର୍କ ଘଣ୍ଟି ଭଳି କାମ କରିବ ଏବଂ ସୁସ୍ଥ ଖାଦ୍ୟ ବାଛିବାରେ ସାହାଯ୍ୟ କରିବ।

ବର୍ତ୍ତମାନ FSSAI ପକ୍ଷରୁ ଏହି ପ୍ରସ୍ତାବର ଏକ ଚିଠା ପ୍ରସ୍ତୁତ କରାଯାଇଛି ଏବଂ ବିଭିନ୍ନ ଅଂଶୀଦାରମାନଙ୍କ ମତାମତ ଲୋଡ଼ାଯାଇଛି। ଆଗାମୀ ଦିନରେ ଏହି ନିୟମକୁ କଡ଼ାକଡ଼ି ଭାବେ ଲାଗୁ କରିବା ପାଇଁ ପ୍ରସ୍ତୁତି ଚାଲିଛି। ଥରେ ଏହା ପାରିତ ହୋଇଗଲେ, ସମସ୍ତ ଦେଶୀ ଓ ବିଦେଶୀ ଖାଦ୍ୟ କମ୍ପାନୀ ନିଜ ପ୍ୟାକେଜିଂ ଶୈଳୀରେ ଏହି ନିର୍ଦ୍ଦିଷ୍ଟ ପରିବର୍ତ୍ତନ ଆଣିବାକୁ ବାଧ୍ୟ ହେବେ ।

Comments are closed.