Latest Odisha News

BREAKING NEWS

ନେତ୍ୟାନ୍ୟାହୁଙ୍କ ପୁଅଙ୍କୁ ହତ୍ୟା ଧମକ : ଆମେରିକାରୁ ସ୍ଥାନାନ୍ତର

ଇସ୍ରାଏଲ: ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ବଡ଼ ପୁଅ ୟାଏର୍ ନେତାନ୍ୟାହୁଙ୍କୁ ଜୀବନପ୍ରତି ବିପଦ ଥିବା ଦର୍ଶାଇ ଆମେରିକାରୁ ତୁରନ୍ତ ଇସ୍ରାଏଲ୍ ଫେରାଇ ଅଣାଯାଇଛି। ଇସ୍ରାଏଲର ଆଭ୍ୟନ୍ତରୀଣ ସୁରକ୍ଷା ଏଜେନ୍ସି ‘ସିନ୍ ବେଟ୍’ ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛି।

ଗଣମାଧ୍ଯମର ରିପୋର୍ଟ ଅନୁଯାୟୀ, ୟାଏର୍‌ଙ୍କ ସୁରକ୍ଷା ପ୍ରତି ବଡ଼ ଧରଣର ବିପଦ ଥିବା ଆକଳନ କରାଯିବା ପରେ ସୁରକ୍ଷା ଏଜେନ୍ସି ପକ୍ଷରୁ ତାଙ୍କୁ ଏବଂ ତାଙ୍କ ସୁରକ୍ଷା ଦଳକୁ ଆମେରିକାର ଫ୍ଲୋରିଡାରୁ ଜରୁରୀକାଳୀନ ଭାବେ ଇସ୍ରାଏଲ୍ ଆଣିବାକୁ ନିଷ୍ପତ୍ତି ନେଇଥିଲା । ଗଣମାଧ୍ୟମ ରିପୋର୍ଟ ମୁତାବକ, ଏହି ହତ୍ୟା ଷଡ଼ଯନ୍ତ୍ର ପଛରେ ଇରାନୀୟ ଗୁପ୍ତଚର ବାହିନୀର ହାତ ଥିବା ସନ୍ଦେହ କରାଯାଉଛି।

ସିନ୍ ବେଟ୍ ଏକ ବିବୃତ୍ତିରେ କହିଛି ଯେ, “ୟାଏର୍ ନେତାନ୍ୟାହୁଙ୍କୁ କ୍ଷତି ପହଞ୍ଚାଇବା ପାଇଁ ଏକ ବଡ଼ ଧରଣର ଧମକ ଓ ଷଡ଼ଯନ୍ତ୍ର ଥିଲା, ଯାହା ପରେ ପରିସ୍ଥିତିର ସମୀକ୍ଷା କରି ତାଙ୍କୁ ତୁରନ୍ତ ତାଙ୍କ ସୁରକ୍ଷା ଦଳ ସହ ଇସ୍ରାଏଲ୍ ଫେରାଇ ଅଣାଯାଇଛି।”

ନିକଟରେ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ମଧ୍ୟ ଦାବି କରିଥିଲେ ଯେ, ଇରାନ୍ ତାଙ୍କର ଜଣେ ପୁଅକୁ ହତ୍ୟା କରିବାକୁ ଚେଷ୍ଟା କରିଛି। ୟାଏର୍ ନେତାନ୍ୟାହୁ ଗତ କିଛି ବର୍ଷ ହେବ ଆମେରିକାର ଫ୍ଲୋରିଡାରେ ରହୁଥିଲେ। ତେବେ ଗାଜା ଯୁଦ୍ଧ ସମୟରେ ଇସ୍ରାଏଲର ଲକ୍ଷାଧିକ ସୈନ୍ୟ ଯୁଦ୍ଧ କରୁଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ପୁଅ ବିଦେଶରେ ବିଳାସପୂର୍ଣ୍ଣ ଜୀବନ ବିତାଉଥିବାରୁ ଇସ୍ରାଏଲରେ ବିରୋଧୀ ଓ ସାଧାରଣ ଜନତାଙ୍କ ମଧ୍ୟରେ ତୀବ୍ର ସମାଲୋଚନା ସୃଷ୍ଟି ହୋଇଥିଲା। ସୁରକ୍ଷା ବିପଦ ପରେ ତାଙ୍କୁ ତୁରନ୍ତ ଇସ୍ରାଏଲ୍ ଫେରିବାକୁ ପଡ଼ିଛି।

Comments are closed.