Latest Odisha News

BREAKING NEWS

ମଧ୍ୟାହ୍ନ ଭୋଜନ ନାଁରେ ପିଲାଙ୍କ ଜୀବନ ସହ ଖେଳ! ସ୍କୁଲର ଅବସ୍ଥା ଦେଖି ସରକାରଙ୍କୁ ସିଜେପିର ଚେତାବନୀ

ହିଙ୍ଗୋଲି: ଦେଶର ସରକାରୀ ସ୍କୁଲଗୁଡ଼ିକର ଦୁରାବସ୍ଥା ଏବଂ ମଧ୍ୟାହ୍ନ ଭୋଜନରେ ଚାଲିଥିବା ବ୍ୟାପକ ଅବହେଳାର ଏକ ସାଂଘାତିକ ଚିତ୍ର ମହାରାଷ୍ଟ୍ରର ହିଙ୍ଗୋଲି ଜିଲ୍ଲାରୁ ସାମ୍ନାକୁ ଆସିଛି । ସ୍କୁଲ ପିଲାମାନଙ୍କୁ ପ୍ରତିଦିନ ଦିଆଯାଉଥିବା ଖାଦ୍ୟରେ ମିଆଦ ପୂରିଯାଇଥିବା ବା ଏକ୍ସପାୟାରି ହୋଇସାରିଥିବା ବିଷାକ୍ତ ସାମଗ୍ରୀ ବ୍ୟବହାର କରାଯାଉଥିବା ଖୋଲାଖୋଲି ଅଭିଯୋଗ ହୋଇଛି । ନିକଟରେ ଚର୍ଚ୍ଚାକୁ ଆସିଥିବା କକରୋଚ୍ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ ଦୀପକେ ଏକ ସରକାରୀ ସ୍କୁଲରେ ଅଚାନକ ପରିଦର୍ଶନ କରିବା ପରେ ଏହି ସଙ୍ଗିନ ଖୁଲାସା କରିବା ସହ ସ୍ଥାନୀୟ ପ୍ରଶାସନ ଓ ସରକାରଙ୍କୁ ଏକ ୧୦ ଦିନିଆ ଅଲ୍ଟିମେଟମ୍ ଦେଇଛନ୍ତି ।

ସୂଚନା ଅନୁଯାୟୀ, ଗତ ଅଗଷ୍ଟ ୧୫ ତାରିଖରୁ ଅଭିଜିତ ଦୀପକେ ଗ୍ରାମାଞ୍ଚଳର ସ୍କୁଲଗୁଡ଼ିକର ଭିତ୍ତିଭୂମି ସୁଧାରିବା ପାଇଁ ‘ସ୍କୁଲ୍ ଠିକ୍ କରୋ’ ଅଭିଯାନ ଆରମ୍ଭ କରିଛନ୍ତି । ଏହି କ୍ରମରେ ସେ ହିଙ୍ଗୋଲିର ଔଣ୍ଢା ସ୍ଥିତ ଏକ ସ୍କୁଲରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ସେଠାରେ ସେ ଗଣମାଧ୍ୟମକୁ ପ୍ରମାଣ ସ୍ୱରୂପ କିଛି ମସଲା ପ୍ୟାକେଟ୍ ଦେଖାଇଥିଲେ, ଯାହାର ଏକ୍ସପାୟାରି ଡେଟ୍ ଗତ ଫେବୃଆରୀ ମାସରୁ ଅତିକ୍ରାନ୍ତ ହୋଇସାରିଛି। ଦୀର୍ଘ ୬ରୁ ୭ ମାସ ତଳୁ ମିଆଦ ପୂରିଯାଇଥିବା ଖାଦ୍ୟ ସାମଗ୍ରୀକୁ ପିଲାଙ୍କ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତିରେ ଲଗାତାର ବ୍ୟବହାର କରାଯାଉଥିବା ଦେଖି ସେ ତୀବ୍ର ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ ।

ଏହି ଘଟଣାରେ ଅଭିଜିତ କ୍ଷୋଭ ପ୍ରକାଶ କରି ପ୍ରଶ୍ନ କରିଛନ୍ତି ଯେ, “ମୁଁ ସରକାର, ମନ୍ତ୍ରୀ, ବିଧାୟକ ଏବଂ ବଡ଼ ବଡ଼ ଅଫିସରମାନଙ୍କୁ ପଚାରିବାକୁ ଚାହେଁ, ସେମାନେ ନିଜ ପିଲାମାନଙ୍କୁ ଏଭଳି ମିଆଦ ପୂରିଥିବା ଖାଦ୍ୟ ଖାଇବାକୁ ଦେବେ କି? ଗରିବ ଘରର ପିଲାମାନେ ସରକାରୀ ସ୍କୁଲକୁ ଆସୁଥିବାରୁ ସେମାନଙ୍କ ଜୀବନ ସହ କ’ଣ ଏଭଳି ଖେଳ ଖେଳାଯିବ?”

କେବଳ ମଧ୍ୟାହ୍ନ ଭୋଜନ ନୁହେଁ, ବରଂ ସ୍କୁଲରେ ମୌଳିକ ସୁବିଧାର ମଧ୍ୟ ଘୋର ଅଭାବ ରହିଥିବା ଦେଖିବାକୁ ମିଳିଛି । ୮୭ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ମାତ୍ର ଦୁଇଟି ଶ୍ରେଣୀଗୃହ ଥିବାବେଳେ ପିଇବା ପାଣି ଫିଲ୍ଟର ସମ୍ପୂର୍ଣ୍ଣ ଅଚଳ ହୋଇପଡ଼ିଛି । ଫଳରେ ପିଲାମାନେ ବାଧ୍ୟ ହୋଇ ବୋରୱେଲ୍ ପାଣି ପିଉଛନ୍ତି ଏବଂ ଶୌଚାଳୟରେ ମଧ୍ୟ ପାଣିର ବ୍ୟବସ୍ଥା ନାହିଁ । ସିଷ୍ଟମ୍ ବିରୋଧରେ ସତ୍ୟ ଉନ୍ମୋଚନ କଲେ ଯଦି ତାଙ୍କ ନାମରେ ଏଫଆଇଆର ରୁଜୁ ହୁଏ, ତେବେ ସେ ଏଥିପାଇଁ ମଧ୍ୟ ପ୍ରସ୍ତୁତ ଅଛନ୍ତି ବୋଲି ଅଭିଜିତ ନିର୍ଭୀକ ଭାବେ ସ୍ପଷ୍ଟ କରିଛନ୍ତି । ସ୍କୁଲର ଭିତ୍ତିଭୂମି ତଥା ପରିଚାଳନାରେ ତୁରନ୍ତ ଆଖିଦୃଶିଆ ସୁଧାର ନଆସିଲେ ଆଗାମୀ ଦିନରେ ବଡ଼ ଧରଣର ସାମାଜିକ ଅଡିଟ୍ ଓ ଆନ୍ଦୋଳନ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.