Latest Odisha News

BREAKING NEWS

ନୂଆଖାଇରେ ସୋନପୁରର ସ୍ୱତନ୍ତ୍ର ପାହୁର ପରମ୍ପରା

ସୋନପୁର: ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲା ସହ ସୁବର୍ଣ୍ଣପୁର ଜିଲ୍ଲାରେ ପାଳିତ ହୋଇଛି ଗଣପର୍ବ ନୂଆଖାଇ ।  ସୋନପୁର ଗଡ଼ଜାତରେ ଲୋକେ ଆନନ୍ଦ ଉହ୍ଲାସରେ ନବାନ୍ନ ଖାଇଛନ୍ତି । ଇଷ୍ଟଦେବୀ ମା ସୁରେଶ୍ୱରୀଙ୍କ ପାଖରେ ନବାନ୍ନ ସହ ଅନ୍ୟବୈଞ୍ଜନ ପିଠାପଣା ଆଦି ନାନାଦି ଭୋଗ ଲାଗି ହୋଇଛି । ଆଉ ଏହି ଭୋଗ ମଧ୍ୟ ପାହୁର ଯାତ୍ରାରେ ଯାଇ ଅଷ୍ଟଚଣ୍ଡୀଙ୍କ ପାଖରେ ଲାଗିଥାଏ । ସୋନପୁରର ପାହୁର ପରମ୍ପରା ବେଶ୍ ସ୍ୱତନ୍ତ୍ର । ନୂଆଖାଇ ପାଇଁ ସୋନପୁର ଗଡ଼ଜାତର ରାଜା ମହାରାଜାମାନେ ପାହୁର ପରି ଏକ ସ୍ୱତନ୍ତ୍ର ପରମ୍ପରା ଆରମ୍ଭ କରିଥିଲେ । ଯାହା ଏବେବି ପ୍ରଚଳିତ ।

ସୋନପୁର ସହରର ଇଷ୍ଟଦେବୀ ମା ସୁରେଶ୍ୱରୀ, ଭଗବତୀ, ଖମ୍ବେଶ୍ୱରୀ, ନାରାୟଣୀ, ମାଣିକେଶ୍ଵରୀ, ସମଲେଶ୍ୱରୀ, ବୁଢ଼ୀ ସମଲେଇ ଆଦି ଅଷ୍ଟଚଣ୍ଡୀଙ୍କ ସମେତ ହନୁମାନଙ୍କ ପାଇଁ ପାହୁର ନୂଆଖାଇର ସ୍ୱତନ୍ତ୍ର ଭୋଗ ଖଞ୍ଜା କରାଯାଏ l ମା ସମଲେଇଙ୍କ ମନ୍ଦିରରେ ପାହୁର ପ୍ରସ୍ତୁତ ହୋଇ ସମସ୍ତ ଦେବୀଙ୍କ ପାଖରେ ଲାଗି ହେଲା ପରେ ସୋନପୁର ଗଡ଼ଜାତବାସୀ ନବାନ୍ନ ଭକ୍ଷଣ କରନ୍ତି । ଶହ ଶହ ବର୍ଷ ହେଲା ଏହି ପାହୁର ଯାତ୍ରା ବଡ଼ ଯାକଜମକରେ ପାଳିତ ହୋଇ ଆସୁଛି । ପାହୁରରେ ସରୁ ବାସୁମତି ଅରୁଆ ଚାଉଳ, ମୁଗ, ଘିଅ, ଗୁଡ଼, ପନି ପରିବା, ପିଠାପଣା ସହିତ ନୂଆଧାନ, ପଞ୍ଚାମୃତ ଆଦିର ବ୍ୟବସ୍ଥା କରାଯାଏ ।

ଢୋଲ, ମହୁରୀ, ନିଶାନ ଆଦି ବାଦ୍ୟଯନ୍ତ୍ରର ଆଡମ୍ବରପୂର୍ଣ୍ଣ ଶୋଭାଯାତ୍ରାରେ ପାହୁର ସମଲେଶ୍ୱରୀ ପୀଠରୁ ଅଷ୍ଟଚଣ୍ଡୀ ଓ ହନୁମାନଙ୍କ ମନ୍ଦିରକୁ ଯାଇଥାଏ । ପାହୁର ଶୋଭାଯାତ୍ରା ବାହାରି ଦେବୀଙ୍କ ପାଖରେ ଭୋଗ ପ୍ରସ୍ତୁତ ହୋଇ ଲାଗିବା ପରେ ସୋନପୁର ଗଡ଼ଜାତବାସୀ ତଥା ବୌଦ୍ଧର ପଞ୍ଚରା ଅଞ୍ଚଳର ଲୋକେ ନବାନ୍ନ ଗ୍ରହଣ କରନ୍ତି ।

Leave A Reply

Your email address will not be published.