Latest Odisha News

BREAKING NEWS

ଆଦିବାସୀଙ୍କୁ ମିଳୁନି ଜଙ୍ଗଲ ଜମି ପଟ୍ଟା, ଗୋଷ୍ଠୀ ସମ୍ବଳ ଅଧିକାର ଯୋଗାଇବାରେ ଫେଲ ମାରିଛି ନୂଆପଡ଼ା

ନୂଆପଡ଼ା: ଜଙ୍ଗଲ ଜମି ଅଧିକାର ପାଇବାରୁ ବଞ୍ଚିତ ନୂଆପଡା ଜିଲ୍ଲାର ଆଦିବାସୀଙ୍କ ସହ ବନବାସୀ। ବନ ବିଭାଗ ସହ ଜିଲ୍ଲା ପ୍ରଶାସନର ଆନ୍ତରିକତାର ଅଭାଵ ଓ ବୈମାତୃକ ମନୋଭାବ ଯୋଗୁଁ ସରକାରଙ୍କ ନୀତିନିୟମ ଉଲ୍ଲଙ୍ଘନ ହେଉଥିବା ଅଭିଯୋଗ ହୋଇ ଆସୁଛି। ବର୍ଷବର୍ଷ ଧରି ବାରମ୍ବାର ବନବାସୀ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀଙ୍କ ନେତୃତ୍ୱରେ ଆନ୍ଦୋଳନ ପରେ ଆନ୍ଦୋଳନ କରୁଥିଲେ ହେଁ ପ୍ରଶାସନ କେବଳ ପ୍ରତିଶ୍ରୁତି ହିଁ ଦେଇ ଚାଲିଛି।

ଅନେକ ଆନ୍ଦୋଳନ ପରେ ଗୋଷ୍ଠୀ ସମ୍ବଳ ଅଧିକାର ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବନ ବିଭାଗ, ରାଜସ୍ୱ ବିଭାଗ ଓ ଜିଲ୍ଲା ତରଫରୁ ଗ୍ରାମସଭା ହୋଇ ଜମି ମାପ ହୋଇଥିଲା। ପ୍ରଶାସନ ଗୋଷ୍ଠୀ ସମ୍ବଳ ପଟ୍ଟା ପ୍ରଦାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ହେଲେ ବନବିଭାଗର ଟାଳଟୁଳ ନୀତି ଯୋଗୁଁ ଧାର୍ଯ୍ୟ ହୋଇଥିବା ଜମିଠାରୁ କମ ଜମି ପ୍ରଦାନ କରାଯାଉଥିବାରୁ ବନବାସୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏହାକୁ ନୂଆପଡା ଜିଲ୍ଲାର ଶହଶହ ଆଦିବାସୀ ମାନେ ଖଡ଼ିଆଳଠାରେ ଏକତ୍ରିତ ହୋଇ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରକୁ ଆସି ଅଭିଯୋଗ କରିଛନ୍ତି। ବନବାସୀଙ୍କ ସହ ଖଡ଼ିଆଳ ବିଧାୟକ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ। ଗ୍ରାମସଭାକୁ ଗୁରୁତ୍ୱ ଦେଇ ଆଇନକୁ କାର୍ଯ୍ୟକାରୀ ଆଦିବାସୀ ଏବଂ ଅଣଆଦିବାସୀଙ୍କୁ ଜମିପଟ୍ଟା ସହ ଗୋଷ୍ଠୀଗତ ଅଧିକାର ଦେବାର ନିୟମତ ଅଛି ହେଲେ ବିଭିନ୍ନ ଆଳ ଦେଖାଇ ଉଭୟ ଜଙ୍ଗଲ ଏବଂ ଜିଲ୍ଲା ପ୍ରଶାସନ କାର୍ଯ୍ୟକାରୀ କରୁନଥିବା ଅଭିଯୋଗ କରିଛନ୍ତି।

ଜଙ୍ଗଲର ଅଧିକାର ଆଇନ କାର୍ଯ୍ୟରେ ବ୍ୟତିକ୍ରମ ଦେଖା ଦେଇଛି। ଜଙ୍ଗଲର ସୁରକ୍ଷା ସହ ଆଦିବାସୀ ଏବଂ ଅଣଆଦିବାସୀମାନଙ୍କୁ ଜଙ୍ଗଲ ଜମି ପଟ୍ଟା ଯୋଗାଇବା ଉଦ୍ଦେଶ୍ୟରେ ୨୦୦୬ ମସିହାରେ ଜଙ୍ଗଲ ଜମି ଅଧିକାର ଆଇନ୍ କାର୍ଯ୍ୟକାରୀ ହୋଇଥିଲା। ଆଇନ ଅନୁସାରେ ବଣପାହାଡ ଘେରା ଅଞ୍ଚଳରେ ରହୁଥିବା ଲୋକଙ୍କୁ ଗ୍ରାମସଭା ମାଧ୍ୟମରେ ଚିହ୍ନଟ କରି ଜଙ୍ଗଲ ଜମି ଯୋଗାଇବା କଥା। ହେଲେ ଏହି କାର୍ଯ୍ୟରେ ବ୍ୟତିକ୍ରମ ଦେଖିବାକୁ ମିଳିଛି। ଜଙ୍ଗଲ ଅଧିକାର ସଂଶୋଧନ ଆଇନ ଠିକ୍ ଭାବରେ କାର୍ଯ୍ୟକାରୀ ହେଉନଥିବା ବେଳେ ଜଙ୍ଗଲ ଜମି ମୁକ୍ତି ଆନ୍ଦୋଳନ ପକ୍ଷରୁ ବାରମ୍ବାର ଅଭିଯୋଗ ହୋଇଆସୁଛି। ଏହି ଆଇନ ଅନୁଯାୟୀ ଗୋଷ୍ଠୀଗତ ଅଧିକାର, ଗୋଷ୍ଠୀ ସମ୍ବଳ ଅଧିକାର, ଜଙ୍ଗଲ ରେ ବସବାସ କରୁଥିବା ପୁରୁଣା ବସତିକୁ ରାଜସ୍ବ ଗ୍ରାମର ମାନ୍ୟତା ସମେତ ଆଦିବାସୀ ଓ ଅଣ ଆଦିବାସୀ ବକୁ ଜଙ୍ଗଲ ଜମିର ପଟ୍ଟା ଦେବାର ନିୟମ ରହିଛି।

ହେଲେ ବର୍ତ୍ତମାନ ଜିଲ୍ଲାର ଵିଶେଷ କରି ବୋଡେ଼ନ ସିନାପଲି ଓ ଖଡ଼ିଆଳ ଅଞ୍ଚଳରେ ଖୋଦ ରାଜସ୍ବ ବିଭାଗ ଓ ବନ ବିଭାଗ ଜିପିଏସ ରିଡିଂ କରି ଜମି ମାପ କରି ଜମି ମାପ ମୁତାବକ ଗୋଷ୍ଠୀ ସମ୍ବଳ ଅଧିକାର ପ୍ରଦାନ ନକରି ବ୍ୟତିକ୍ରମ କରିଛନ୍ତି। ଏହାକୁ ଆଦିବାସୀ ଦୃଢ଼ ବିରୋଧ କରିଛନ୍ତି। ତେବେ ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଜଙ୍ଗଲ ଜମି ମୁକ୍ତି ଆନ୍ଦୋଳନ କର୍ମକର୍ତ୍ତାଙ୍କ ସହ ଖଡ଼ିଆଳ ବିଧାୟକ ଚେତାବନୀ ଦେଇଛି।

Leave A Reply

Your email address will not be published.