Latest Odisha News

BREAKING NEWS

ତାଲାବନ୍ଦ ସମୟରେ ପୁଷ୍ଟି ବଗିଚା

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ‘ସମୟର ସ୍ୱର’…

କରୋନା ଭୂତାଣୁ ସଂକ୍ରମଣ ଜନିତ ଲକ୍ ଡାଉନ୍ ବା ତାଲାବନ୍ଦ ଯୋଗୁ ସାରା ରାଜ୍ୟର ଲୋକମାନେ ଯେଉଁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି, ସେଥିମଧ୍ୟରୁ ଦୈନିକ ଉପଯୁକ୍ତ ପରିମାଣର ଓ ପ୍ରକାରର ଖାଦ୍ୟର ଅଭାବ ତଥା ଖାଦ୍ୟରେ ବିବିଧତାର ଅଭାବ ଅନ୍ୟତମ । ଏଠାରେ ସୂଚନା ଯୋଗ୍ୟ ଯେ, ତାଲା ବନ୍ଦ ସମୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ସିନା ଲୋକମାନଙ୍କୁ ସୁଲଭ ମୂଲ୍ୟରେ ଚାଉଳ ଓ ଗହମ ଯୋଗାଇ ଦିଆଯାଉଥିଲା, ହେଲେ ଦୋକାନ ବଜାର ଓ ସାପ୍ତାହିକ ହାଟ ଆଦି ବନ୍ଦ ଥିବା ଯୋଗୁ ସହରାଂଚଳ ଓ ଗ୍ରାମାଂଚଳର ଲୋକମାନଙ୍କୁ ନିୟମିତ ଭାବେ ପନିପରିବା ଖାଇବାକୁ ମିଳୁନଥିଲା ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ପରିବାର ସ୍ତରରେ ଖାଦ୍ୟରେ ନିୟମିତ ଭାବେ ବିବିଧତାର ଅଭାବ ଅପପୁଷ୍ଟିର ଏକ ପ୍ରମୂଖ କାରଣ । କିନ୍ତୁ ଏହି ତାଲାବନ୍ଦ ସମୟରେ କଳାହାଣ୍ଡି ଜିଲ୍ଲାର ମଦନପୁର ରାମପୁର ବ୍ଲକ୍‌ର ମୋଟଗଣ୍ଡା ଗ୍ରାମର ୩୮ ବର୍ଷୀୟ ଟିକେଦେଇ ହାତୀ ଓ ତାଙ୍କ ପରିବାର ପାଇଁ ଖାଦ୍ୟରେ ବିବିଧତାର ଅଭାବ ସମସ୍ୟା ଦେଖାଦେଇନଥିଲା । ଅନ୍ତତଃପକ୍ଷେ ଏହି ସମୟରେ ତାଙ୍କ ଖାଦ୍ୟରେ ନିୟମିତ ଭାବେ ପନିପରିବାର କେବେ ଅଭାବ ହୋଇନଥିଲା । କାରଣ ତାଙ୍କ ପାଖରେ ଥିଲା ‘ଓଡ଼ିଶା ଜୀବିକା ମିଶନ୍‌’ ଦ୍ୱାରା ‘ମୋ ଉପକାରୀ ବଗିଚା’ କାର୍ଯ୍ୟକ୍ରମ ଅଧୀନରେ ପ୍ରସ୍ତୁତ କରାଯାଉଥିବା ପୁଷ୍ଟି ବଗିଚା । ଏହା ଏକପ୍ରକାର ପନିପରିବା ବଗିଚା, ଯାହାକୁ ପରିବାରର ପୁଷ୍ଟିର ଆବଶ୍ୟକ ଅନୁଯାୟୀ ତିଆରି କରାଯାଇଥାଏ । ଯଥା ପୁଷ୍ଟିର ଆବଶ୍ୟକତା ଅନୁସାରେ ଭିନ୍ନ ଭିନ୍ନ ପ୍ରକାର ଦେଶି ପନିପରିବା ବିହନ (୧୪ରୁ ୧୭ ପ୍ରକାରର) ଏଥିରେ ଲଗାଯାଇଥାଏ ଓ ଏଥିରେ ଆଦୌ ବି ରାସାୟନିକ ସାର ଓ ବିଷ ପ୍ରୟୋଗ ହୋଇନଥାଏ । ସ୍ଥାନୀୟ ଅଂଚଳରେ ମିଳୁଥିବା ବିଭିନ୍ନ ପ୍ରକାର ପତ୍ର, ଗୋବର, ଗୋମୂତ୍ର ଆଦି ଦ୍ୱାରା ଜୈବିକ ଖତ ଓ କୀଟନାଶକ ତିଆରି କରି ଏହି ପୁଷ୍ଟି ବଗିଚାରେ ପ୍ରୟୋଗ କରାଯାଏ । ତାଲାବନ୍ଦ ସମୟରେ ଟିକେଦେଇ ପ୍ରତିଦିନ ପ୍ରାୟ ୫ରୁ ୭ ପ୍ରକାରର ପନିପରିବା ତାଙ୍କ ପୁଷ୍ଟି ବଗିଚାରୁ ଅମଳ କରୁଥିଲେ ଓ ଲୋକମାନେ ଯେତେବେଳେ କିଛି ବି ପରିବା ଖାଇବାକୁ ପାଉନଥିଲେ, ସେ ତାଙ୍କ ପିଲାମାନଙ୍କୁ ଯଥେଷ୍ଟ ପରିମାଣର ପରିବା ଖୁଆଇ ପାରୁଥିବାରୁ ଅଶେଷ ସନ୍ତୋଷ ଲାଭ କରୁଥିଲେ ବୋଲି ନିଜ କଥାରେ କୁହନ୍ତି । ସେ କୁହନ୍ତି, ଛୁଆ ମାନଙ୍କ ପାଇଁ ଆବଶ୍ୟକୟୀ ଖାଦ୍ୟ ଯୋଗାଇ ପାରିବା ଠାରୁ ଗୋଟେ ମା’ ପାଇଁ ଆଉ ଅଧିକ କ’ଣଟା ଗୁରୁତ୍ୱପୂର୍ଣ୍ଣ ଯେ!

ମୋଟଗଣ୍ଡା ଗାଁ’ର କେବଳ ଟିକେ ଦେଇ ନୁହଁନ୍ତି, ଆହୁରି ଚଉଦ ପରିବାର ଏହିପରି ପୁଷ୍ଟି ବଗିଚା କରି ପନିପରିବା ଅମଳ କରି ତାଲାବନ୍ଦ ସମୟରେ ଖାଦ୍ୟ ବିବିଧତାର ଅଭାବକୁ କମ୍ କରିପାରିଛନ୍ତି । ସମୁଦାୟ ମଦନପୁର ରାମପୁର ବ୍ଲକ୍‌ରେ ୨୪୦୦ଟି ପୁଷ୍ଟି ବଗିଚା ହୋଇଥିବାର କଥା ଅଧିକାରୀ ପ୍ରକାଶ କରନ୍ତି । ସାମଗ୍ରୀକ ଭାବେ ଦେଖିଲେ, ଓଡ଼ିଶାର କେବଳ ମଦନପୁର ରାମପୁର ବ୍ଲକ୍‌ରେ ଏ କାହାଣୀ ସିମୀତ ନାହିଁ । ରାୟଗଡ଼ା ଜିଲ୍ଲାର ମୁନିଗୁଡ଼ା ବ୍ଲକ୍‌ର ଶିବପଦର ଗ୍ରାମର ଧନଷ୍ଟି ବାଡ଼ିଗା, କାଶିପୁର ବ୍ଲକ୍‌ର ଚାରଜୋଡ଼ି ଗ୍ରାମର ରୁକ୍ମିଣୀ ଝୋଡ଼ିଆ, ଗଜପତି ଜିଲ୍ଲାର ରା.ଉଦୟଗିରି ବ୍ଲକ୍‌ର ଅନୁକମ୍ପା ଗ୍ରାମର ଲକ୍ଷ୍ମୀ ରଇତ, ନୂଆଗଡ଼ ବ୍ଲକ୍‌ର ସିଞ୍ଜାବା ଗ୍ରାମର ପ୍ରମିଳା ରଇତ ଓ ସମ୍ବଲପୁର ଜିଲ୍ଲାର ଜୁଜୁମରା ବ୍ଲକ୍‌ର ବାରିବନ୍ଧ ଗ୍ରାମର ଜୟନ୍ତୀ ବାରିକ ଆଦି ଏହିପରି ପୁଷ୍ଟି ବଗିଚା ତିଆରି କରି ତାଲବନ୍ଦ ସମୟରେ ନିଜ ଛୁଆମାନଙ୍କର ଖାଦ୍ୟ ବିବିଧତାର ଅଭାବକୁ ଦୂର କରିପାରିଛନ୍ତି । ଏହାବ୍ୟତୀତ କନ୍ଧମାଳ, ସୁନ୍ଦରଗଡ଼, ଜଗତ୍‌ସିଂହପୁର, ମାଲ୍‌କାନଗିରି, କେଉଁଝର ଆଦି ଜିଲ୍ଲାରେ ଅନେକ ଚାଷୀ ତାଲାବନ୍ଦ ସମୟରେ ପୁଷ୍ଟି ବଗିଚା ମାଧ୍ୟମରେ ନିଜ ପରିବାରର ଖାଦ୍ୟ ବିବିଧତାକୁ ନିଶ୍ଚିତ କରିପାରିଛନ୍ତି ।

ଏଠାରେ ସୂଚନା ଯୋଗ୍ୟ ଯେ, ଓଡ଼ିଶାରୁ ଅପପୁଷ୍ଟି ଦୂର କରିବାର ଲକ୍ଷ ରଖିଥିବା ‘ଅଜିମ୍ ପ୍ରେମ୍‌ଜୀ ଫିଲାନ୍ଥ୍ରୋପିକ୍ ଇନିସିଏଟିଭ୍‌’ (ଏପିପିଆଇ) ସହାୟତାରେ ଓଡ଼ିଶା ଜୀବିକା ମିଶନ୍ ମାଧ୍ୟମରେ ସାରା ରାଜ୍ୟରେ ଖାଦ୍ୟର ବିବିଧତା ବୃଦ୍ଧି କରି ଅପପୁଷ୍ଟି ଦୂର କରିବା ପାଇଁ ୨୦୧୯ ମସିହାରୁ ‘ମୋ ଉପକାରୀ ବଗିଚା’ ନାମରେ ଏକ କାର୍ଯ୍ୟକ୍ରମ ଚାଲୁଛି । ତିନୋଟି ସ୍ୱେଚ୍ଛାସେବୀ ସଂସ୍ଥା ‘ଲିଭିଙ୍ଗ୍ ଫାର୍ମସ’, ‘ହର୍ଷ ଟ୍ରଷ୍ଟ’ ଓ ‘ପ୍ରଦାନ’ ଏହି କାର୍ଯ୍ୟକ୍ରମରେ ଓଡ଼ିଶା ଜୀବିକା ମିଶନ୍‌କୁ ବୈଷୟିକ ସହାୟତା ପ୍ରଦାନ କରୁଛନ୍ତି । ମୂଖ୍ୟତଃ ଗାଁ ସ୍ତରରେ ଥିବା ସ୍ୱୟଂ ସହାୟକ ଦଳଙ୍କ ମାଧ୍ୟମରେ ଏହି କାର୍ଯ୍ୟକ୍ରମ ତୃଣମୂଳ ସ୍ତରକୁ ଯାଉଛି । କାର୍ଯ୍ୟକ୍ରମ ଆରମ୍ଭରେ ସମୁଦାୟ ୭୫ ହଜାର ସ୍ୱୟଂ ସହାୟକ ଦଳଙ୍କ ସହ କାମ ହେବାକୁ ଲକ୍ଷ ରଖାଯାଇଥିବା ବେଳେ ଏହା ସଂପ୍ରତି ଲକ୍ଷାଧିକ ସ୍ୱୟଂ ସହାୟକ ଦଳଙ୍କ ସହ କାମ କରୁଛି । ପୂର୍ବରୁ କେବଳ ଜୀବନ ଜୀବିକାର ବିକାଶ ପାଇଁ କାମ କରୁଥିବା ଓଡ଼ିଶା ଜୀବିକା ମିଶନ ‘ମୋ ଉପକାରୀ ବଗିଚା’ ମାଧ୍ୟମରେ ଅପପୁଷ୍ଟି ଦୂର କରିବା ପାଇଁ ଅଂଟା ଭିଡ଼ିବା ଏକ ସ୍ୱାଗତଯୋଗ୍ୟ ଓ ସମୟୋପଯୋଗୀ ପଦକ୍ଷେପ । ‘ମୋ ଉପକାରୀ ବଗିଚା’ କାର୍ଯ୍ୟକ୍ରମ ମାଧ୍ୟମରେ ମହିଳାଙ୍କ ମଧ୍ୟରେ ପୁଷ୍ଟି ଓ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସଚେତନତା ବୃଦ୍ଧି କରି ସେ ବିଷୟରେ ଗ୍ରାମ ସ୍ତରରେ ଉପଯୁକ୍ତ ପଦକ୍ଷେପ ନେବା ପାଇଁ ସ୍ୱୟଂ ସହାୟକ ଦଳ ଗୁଡ଼ିକ ମଧ୍ୟରେ ‘ସହଭାଗୀ ଶିକ୍ଷା ଓ କାର୍ଯ୍ୟ’ (ପି.ଏଲ.ଏ) ବୈଠକ ଅୟୋଜନ କରାଯାଉଛି । ଏହି ବୈଠକ ଗୁଡ଼ିକ ଏପରି ଭାବେ କରାଯାଉଛି ଯେପରି ମହିଳା ମାନେ କେବଳ ସୂଚନା ପାଇବାରେ ସିମୀତ ନରହି ନିଜେ ସମସ୍ୟାକୁ ହୃଦୟଙ୍ଗମ କରି ତାର ସମାଧାନ ପାଇଁ ନିଜେ ଯୋଜନା କରିବେ ଓ ପଦକ୍ଷେପ ନେବେ । ଏହି ଅଭିନବ ଉପାୟରେ ବୈଠକ କରି ମହିଳା ମାନେ ନିଜ ପରିବାରର ଖାଦ୍ୟରେ ବିବିଧତା ବୃଦ୍ଧି କରିବା ପାଇଁ ନିଜ ବାଡ଼ିରେ ପୁଷ୍ଟି ବଗିଚା ତିଆରି କରୁଛନ୍ତି । ଯାହାକି ମୋ ଉପକାରୀ ବଗିଚା କାର୍ଯ୍ୟକ୍ରମର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।

ପୁଷ୍ଟି ବଗିଚାରେ ପରିବାରର ପୁଷ୍ଟିର ଆବଶ୍ୟକତା ଅନୁସାରେ ପନିପରିବା ଲଗାଯିବାର ବ୍ୟବସ୍ଥା ହୋଇଛି ଓ ପ୍ରତ୍ୟେକ ପୁଷ୍ଟି ବଗିଚାରେ ଅମୃତଭଣ୍ଡା, ସଜନା, ଲେମ୍ବୁ ଓ କଦଳୀ ଗଛ ମଧ୍ୟ ଲଗାଯାଉଛି । ଫଳରେ ଲୋକମାନେ ପନିପରିବା ସହିତ ଆବଶ୍ୟକୀୟ ଫଳ ବି ପାଇପାରିବେ । ଏହା ସହିତ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଲୋକମାନଙ୍କୁ ଉନ୍ନତ ପ୍ରଣାଳୀରେ କୁକୁଡ଼ା ଓ ଛେଳି ପାଳନ କରିବା ପାଇଁ ବି ପ୍ରୋତ୍ସାହିତ କରାଯାଉଛି, ଯାହା ଦ୍ୱାରା ସେମାନେ ପନିପରିବା ସହିତ କୁକୁଡ଼ା ଅଣ୍ଡା ଓ ମାଂସ ବି ଖାଇପାରିବେ ଓ ନିଜ ପୁଷ୍ଟିର ବିକାଶ କରିପାରିବେ ।

ଗତ ବର୍ଷ ସାରା ରାଜ୍ୟରେ ୯୦ ହଜାର ପୁଷ୍ଟି ବଗିଚା ପ୍ରସ୍ତୁତ ହୋଇଥିବା ବେଳେ, ଚଳିତ ବର୍ଷ ୫ ଲକ୍ଷ ପୁଷ୍ଟି ବଗିଚା ପ୍ରସ୍ତୁତ କରିବାର ଲକ୍ଷ ରହିଛି । ଯେଉଁଥି ପାଇଁ ରାଜ୍ୟ ସରକାରଙ୍କ ତରଫରୁ ୫୦୦ କୋଟି ଟଙ୍କାର ବଜେଟ ବି ବ୍ୟବସ୍ଥା ହୋଇଛି । ଚଳିତ ବର୍ଷ ପୁଷ୍ଟି ବଗିଚାକୁ ମହାତ୍ମା ଗାନ୍ଧୀ ରାଷ୍ଟ୍ରୀୟ ଗ୍ରାମୀଣ ରୋଜଗାର ଆଇନ୍ ସହିତ ବି ସାମିଲ୍ କରାଯାଇଛି । ପୁଷ୍ଟି ବଗିଚା ପ୍ରସ୍ତୁତ କରୁଥିବା ହିତାଧୀକାରୀଙ୍କୁ ଏହି ଯୋଜନା ମାଧ୍ୟମରେ ଶ୍ରମ ବାବଦକୁ ମଜୁରୀ ଓ କେତେକ ଜରୁରୀ ସାମଗ୍ରୀ ବାବଦକୁ ଟଙ୍କା ଦିଆଯିବାର ବ୍ୟବସ୍ଥା ବି ହୋଇଛି । ତୃଣମୂଳ ସ୍ତରରେ ଓଡ଼ିଶା ଜୀବିକା ମିଶନ୍‌ର କୃଷିମିତ୍ର, ପ୍ରାଣୀମିତ୍ର ଓ ସି.ଆର.ପି. ମାନେ ଅତ୍ୟନ୍ତ ନିଷ୍ଠାର ସହିତ ଏହି କାର୍ଯ୍ୟକ୍ରମକୁ ଆଗକୁ ନେଉଛନ୍ତି । ଏପରିକି କରୋନାର ସଂକ୍ରମଣର ବିପଦ ଓ ତାଲାବନ୍ଦ ସମୟରେ ବି ଏହି ତୃଣମୂଳ ସ୍ତରୀୟ କର୍ମୀମାନେ ନିଷ୍ଠାପର ଭାବେ ପୁଷ୍ଟି ବଗିଚା ପ୍ରସ୍ତୁ୍‌ତି ଓ ଅନ୍ୟାନ୍ୟ କାମରେ ସହାୟତା କରି ସାରା ରାଜ୍ୟରେ ଉଦାହରଣ ସୃଷ୍ଟି କରିଛନ୍ତି ।

ସଂପ୍ରତି ଅପପୁଷ୍ଟି ଦୂର କରିବା ପାଇଁ ଖାଦ୍ୟ ବିବିଧତା ବୃଦ୍ଧି କରିବା ଏକ ଅମୋଘ ଅସ୍ତ୍ର ଭାବେ ଉଭା ହେଉଥିବା ବେଳେ, ‘ମୋ ଉପକାରୀ ବଗିଚା’ କାର୍ଯ୍ୟକ୍ରମରୁ ଗ୍ରାମାଂଚଳର ହିତାଧୀକାରୀମାନେ ‘ଖାଦ୍ୟ ଓ କୃଷି ସଂଗଠନ’ ଧାର୍ଯ୍ୟ କରିଥିବା ୧୦ ପ୍ରକାର ଖାଦ୍ୟ ବର୍ଗ ମଧ୍ୟରୁ ମୋଟ୍ ୬ ପ୍ରକାର ଖାଦ୍ୟ ବର୍ଗ ଯଥା ଶାଗ ଜାତୀୟ ପନିପରିବା, ଭିଟାମିନ୍ ଏ ଯୁକ୍ତ ପନିପରିବା ଓ ଫଳ, ଅନ୍ୟାନ୍ୟ ପନିପରିବା, ଅନ୍ୟାନ୍ୟ ଫଳ, ଅଣ୍ଡା ଜାତୀୟ ଖାଦ୍ୟ, ମାଛ ଓ ମାଂସ ଜାତୀୟ ଖାଦ୍ୟ ଆଦି ପାଇବାକୁ ସକ୍ଷମ ହୋଇପାରୁଛନ୍ତି । ଯଦିଓ ପୁଷ୍ଟି ବଗିଚାରେ ଲାଗିଥିବା ଫଳ ଗଛ ଗୁଡ଼ିକ ଏପର୍ଯ୍ୟନ୍ତ ଅମଳ ଦେଇନାହାନ୍ତି, କିନ୍ତୁ ଆଗାମୀ ଏକ ବର୍ଷ ମଧ୍ୟରେ ଏହାର ଉତ୍ପାଦନ ଲୋକମାନଙ୍କ ପାଖକୁ ଆସିବାକୁ ଆରମ୍ଭ କରିବ । କିନ୍ତୁ ୧୦ଟି ଖାଦ୍ୟ ବର୍ଗ ମଧ୍ୟରୁ ୫ ପ୍ରକାର ଖାଦ୍ୟ ବର୍ଗ ସଂପ୍ରତି ଲୋକମାନେ ‘ମୋ ଉପକାରୀ ବଗିଚା’ କାର୍ଯ୍ୟକ୍ରମରୁ ପାଉଛନ୍ତି । ଏହା ସାରା ରାଜ୍ୟ ପାଇଁ ପୁଷ୍ଟି କ୍ଷେତ୍ରରେ ଏକ ଆଶ୍ୱସ୍ତିର ବିଷୟ ଭାବେ ଉଭା ହୋଇଛି ।

ଓଡ଼ିଶାର ଏହି କାର୍ଯ୍ୟକ୍ରମରୁ ସଂପ୍ରତି ଅନ୍ୟ ରାଜ୍ୟମାନେ ବି ଶିକ୍ଷା ନେବାକୁ ଆରମ୍ଭ କଲେଣି । ତାଲାବନ୍ଦ ସମୟରେ ଯେତେବେଳେ ଅର୍ଥନୀତି ଏକ ପ୍ରକାର ଠପ୍ ହୋଇଯାଇଛି, ଲୋକମାନଙ୍କ ହାତରେ କାମ ନାହିଁ, ପ୍ରବାସୀ ଶ୍ରମିକ ମାନେ ଘରକୁ ଫେରି ବେକାରୀ ଅବସ୍ଥାରେ ବସିଛନ୍ତି, ସେତେବେଳେ ଏହି ‘ମୋ ଉପକାରୀ ବଗିଚା’ ଅନ୍ତତଃ ଲୋକମାନଙ୍କ ପାଇଁ ପୁଷ୍ଟି କ୍ଷେତ୍ରରେ ଏକ ଆଶାର ସଂଚାର କରିଛି ।

ଭିରଙ୍ଗ, ତିରଣ, ଜଗତ୍‌ସିଂହପୁର-୭୫୪୧୩୮

e-mail-bichitrabiswal@gmail.com

Comments are closed.