କେଦାର ମିଶ୍ର
ଶାନ୍ତନୁ ମହାପାତ୍ରଙ୍କୁ ଯିଏ ଦେଖିଛି ଓ ଜାଣିଛି, ତା ଲାଗି ସେ ଏକ ବିଚିତ୍ର ବିରୋଧାଭାସ। ସବୁବେଳେ ଉତଫୁଲ୍ଲ, ହସହସ ଏବଂ ପ୍ରଚଣ୍ଡ କୁହାଳିଆ। ଅଥଚ ଓଡିଆ ସିନେମାରେ ଗଭୀର ବିଷାଦର ଗୀତ ସବୁକୁ ସେ ହିଁ ତିଆରି କରିଥିଲେ। ୧୯୬୨ରେ ତାଙ୍କର ପ୍ରଥମ ଓଡିଆ ସିନେମା “ସୂର୍ୟମୁଖୀ”। ପ୍ରଣବ ପଟ୍ଟନାୟକଙ୍କ କଣ୍ଠରେ ଗୁରୁକୃଷ୍ଣ ଗୋସ୍ଵାମୀଙ୍କ ରଚନାରୁ- “ଅନ୍ତରେ କାନ୍ଦେ ବାହାରେ ହସେ ମୁଁ ଏଇ ମୋର ପରିଚୟ”। ଗଭୀର ବିଷାଦର ଏ ସୁର ଶାନ୍ତନୁ ମହାପାତ୍ରଙ୍କର। ଅଥଚ ସେତେବେଳେ କେତେ ବା ତାଙ୍କର ବୟସ! ୨୬ ବର୍ଷର ଜେନ ଯୁବକର ସୁର। ସେଇ ସିନେମାରେ ଆଉ ଏକ ଇତିହାସ ରଚନା କରିଥିଲେ ଶାନ୍ତନୁ ମହାପାତ୍ର। ଲତା ମଙ୍ଗେସ୍କରଙ୍କ କଣ୍ଠରେ ସେ ରେକର୍ଡ କରିଥିଲେ ଓଡିଆ ସିନେମାର ଆଉ ଏକ କ୍ଲାସିକ “ଏଇ ଚୂନା ଚୂନା ତାରାଫୁଲ ଆଜି”।
ଓଡିଆ ସିନେମାରେ ଏକ ସଂଯୋଗ ବିନ୍ଦୁ
୧୯୬୨ରେ ଶାନ୍ତନୁ ମହାପାତ୍ରଙ୍କ ଆଗମନ ଓଡିଆ ସିନେମା ଲାଗି, ଅନେକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ। ପଚାଶ ଓ ଷାଠିଏ ଦଶକରେ ଓଡିଆ ସଙ୍ଗୀତର ଏକ ଛତ୍ରପତି ବାଳକୃଷ୍ଣ ଦାଶ। ତାଙ୍କର ବିଶାଳ ଓ ଅନତିକ୍ରମ୍ୟ ପରମ୍ପରା ଆଗରେ ଆଉ କିଏ ଠିଆ ହେବା ଅସମ୍ଭବ। ତାଙ୍କର ସହଯୋଗୀ ଓ ପ୍ରତିଯୋଗୀ କେବଳ ଆଉଜଣେ, ସେ ପଣ୍ଡିତ ଭୁବନେଶ୍ୱର ମିଶ୍ର। ଏ ଦୁଇ ବିଶାଳ ବରଗଛଙ୍କ ଭିତରେ ହଠାତ ଠିଆ ହେଲେ ଶାନ୍ତନୁ ମହାପାତ୍ର। ବାରିପଦାରୁ ଆସିଛନ୍ତି। ପାଠ ପଢିଛନ୍ତି ଜିଓଲୋଜିରେ, ସେ ପୁଣି ପ୍ରସିଦ୍ଧ ଖଡଗପୁର ଆଇଆଇଟିରୁ। ଖଣି ଖାଦାନର ବିଦ୍ୟା ଭିତରେ ସଙ୍ଗୀତ ଏକ ବେଖାପ ଅନୁଭବ। ସେଇ ବେଖାପ ଅନୁଭବ ତାଙ୍କୁ ଗୋଟେ ନୂଆ ବାଟ ଦେଖାଇଲା। ଓଡିଆ ସିନେମାରେ ସେ ଆରମ୍ଭ କଲେ, ସଙ୍ଗୀତର ନୂଆ ଏକ ଧାରା।
ଶାନ୍ତନୁ ବାବୁଙ୍କ ସଙ୍ଗୀତକୁ ବୁଝିବା ଲାଗି ଆପଣ ଗୋଟେ ଛୋଟିଆ ପ୍ରୟାସ କରନ୍ତୁ। ତାଙ୍କର ତିନୋଟି ସବୁଠୁ ଲୋକପ୍ରିୟ ଗୀତ- ୧॰ ମୟୂରୀ ଗୋ ତୁମ ଆକାଶେ ମୁଁ ଦିନେ ମଲ୍ଲାରେ ମେଘା ସାଜିଲି ( ଅରୁନ୍ଧତୀ-୧୯୬୮, ରଚନା- ଜୀବନ ପାଣି, ଗାୟନ- ମହମ୍ମଦ ରଫି), ୨. ତୁମକୁ ପାରୁନି ତ ଭୁଲି (( ଅରୁନ୍ଧତୀ-୧୯୬୮, ରଚନା- ଗୁରୁକୃଷ୍ଣ ଗୋସ୍ଵାମୀ, ଗାୟନ- ମହମ୍ମଦ ରଫି) ଓ ୩. ଦୁନିଆଁରେ ସମୟର ନଈ ବହି ଯାଏ ରେ (ସୂର୍ୟମୁଖୀ,୧୯୬୨, ରଚନା –ଗୁରୁକୃଷ୍ଣ ଗୋସ୍ଵାମୀ, ଗାୟନ- ମାନ୍ନା ଦେ)କୁ ଆପଣ ଗାଇବାକୁ ଚେଷ୍ଟା କରନ୍ତୁ। ସବୁ ଗୀତ ଶୁଣିବାକୁ ମିଠା ଓ ସରଳ। ତାକୁ ଟିକେ ନିଜେ ଗାଇବାକୁ ଚେଷ୍ଟା କରନ୍ତୁ। ଦେଖିବେ, ଆପଣ ବାରମ୍ବାର ବେସୁରା ହୋଇ ଯାଉଛନ୍ତି। ଆପଣ ଯଦି ସ୍ଵରଗ୍ରାମ ଓ ମୂର୍ଚ୍ଛନାର ଜଟିଳ ଗଣିତ ଜାଣି ନାହାନ୍ତି, ଆପଣ ଶାନ୍ତନୁ ବାବୁଙ୍କୁ ଗାଇପାରିବେ ନାଇଁ। ସେଇଟା ତାଙ୍କ ଗୀତାର ଗୋଟେ ବିଶେଷ ଗୁଣ। ତାଙ୍କ ସ୍ଵରରେ ଗୋଟିଏ ନୋଟ ରୁ ଆଉ ଗୋଟେ ନୋଟ କୁ ଯିବାଲାଗି ଲମ୍ଫ ଦେବାକୁ ପଡେ। ସେଥିଲାଗି ସେ ତାଙ୍କ ଗାୟକ ଭାବରେ ବାଛିଥିଲେ ମହମ୍ମଦ ରଫି, ଲତା ମଙ୍ଗେସ୍କର, ମାନ୍ନା ଦେ ଓ ସୁରେଶ ୱାଡେକରଙ୍କୁ। ଓଡିଆ ଶିଳ୍ପୀ ଭାବରେ ସେ ସବୁଠୁ ବେଶୀ ଗୀତ ଦେଇଛନ୍ତି ପ୍ରଣବ ପଟ୍ଟନାୟକ ଓ ରଘୁନାଥ ପାଣିଗ୍ରାହୀଙ୍କୁ। କାରଣ ଅତ୍ୟନ୍ତ ସ୍ପଷ୍ଟ। ତାଙ୍କ ସୁର ସରଳ ଲାଗିପାରେ, ହେଲେ ତାହା ଆଦୌ ସହଜିଆ ନୁହଁ।
ଓଡିଆ ସିନେମାରେ ମୟୂରଭଞ୍ଜ ଘରାନା
ଶାନ୍ତନୁ ମହାପାତ୍ର ଓଡିଆ ସିନେମାରେ ମୟୂରଭଞ୍ଜ ଘରାନାର ଛାତ୍ର। ଆପଣ ଭାବି ପାରନ୍ତି, କଣ ଏଇ ମୟୂରଭଞ୍ଜ ଘରାନା! ଓଡିଆ ସିନେମାକୁ ମୟୂରଭଞ୍ଜ ଏତେ କିଛି ଦେଇଛି ଯେ, ତାକୁ ନେଇ ଗୋଟେ ଅଲଗା ବହି ଲେଖା ଯାଇପାରିବ। ଆମର ସବୁ ବଡ ଅଭିନେତା- ବିଜୟ ମହାନ୍ତି, ଉତ୍ତମ ମହାନ୍ତି, ଅଜିତ ଦାସଙ୍କଠୁ ଆରମ୍ଭ କରି ବାବୁସାନ ଓ ପପ୍ପୁ ପମ ପମ ପର୍ୟନ୍ତ, ମୟୂରଭଞ୍ଜର ପିଲା। ତେବେ ସଙ୍ଗୀତରେ ମୟୂରଭଞ୍ଜର ତିନି ତାରକାଙ୍କ ଭୂମିକା କଥା ଆମେ ଭୁଲିଯିବା ଉଚିତ ହେବନି। ରାଧାକୃଷ୍ଣ ଭଞ୍ଜ, ସରୋଜ ପଟ୍ଟନାୟକ ଓ ଶାନ୍ତନୁ ମହାପାତ୍ର। ଏମାନଙ୍କର ସଙ୍ଗୀତ ସଂଖ୍ୟା ବହୁ ଅଧିକ ନୁହେଁ, ହେଲେ ଗୁଣାତ୍ମକତା ଓ ପ୍ରଭାବ ଦୃଷ୍ଟିରୁ ଏମାନେ ଜଣେ ଜଣେ କିମ୍ବଦନ୍ତୀ।
ଶାନ୍ତନୁ ମହାପାତ୍ରଙ୍କ ସଙ୍ଗୀତର ଆଉ ଏକ ପରିଚୟ ହେଉଛି, ତାଙ୍କ ସ୍ବର ଭିତରେ ଅନ୍ତର୍ନିହିତ ସାନ୍ତାଳୀ ମୂର୍ଛନା। ମୟୂରଭଞ୍ଜର ଝୁମର ଓ ଆଦିବାସୀ ଗାୟକୀକୁ ବିଶୁଦ୍ଧ ଶାସ୍ତ୍ରୀୟ ରାଗ ସହିତ ମିଶ୍ରଣ କରି ପାରିବାର ଅପୂର୍ବ ଦକ୍ଷତା ତାଙ୍କର ଥିଲା। ମହମ୍ମଦ ରଫିଙ୍କ କଣ୍ଠରେ ମୟୂରୀ ଗୋ ତୁମ ଆକାଶେ ମୁଁ…… ହେଉ ବା ଲତା ମଙ୍ଗେସ୍କରଙ୍କ କଣ୍ଠରେ ଆଜି ମୁଁ ଶ୍ରାବଣୀ….. ସବୁ ଗୀତରେ ସେ ମହୁ ତିଆରି କରିଛନ୍ତି। ତାଙ୍କ ଗୀତ, ଓଡ଼ିଶାର ବଣ ଜଙ୍ଗଲର ଗୀତ। ଶାନ୍ତନୁ ବାବୁ ଚେହେରା ଓ ଚରିତ୍ରରେ କସ୍ମୋପଲିଟାନ, ହେଲେ ଆତ୍ମାରେ ବିଶୁଦ୍ଧ ସାନ୍ତାଳ। ତାଙ୍କ ସ୍ବରରେ ଆଦିବାସୀ ସଙ୍ଗୀତ ଏକ ଭିନ୍ନ ଠିକଣା ପାଇଥିଲା।