Latest Odisha News

BREAKING NEWS

ଇତିହାସ ପାଲଟିବ ସାତଭାୟା, ଲୀନ ହୋଇଯିବି ମା’ ପଞ୍ଚୁ ବରାହି ମନ୍ଦିର

କେନ୍ଦ୍ରାପଡା : ଇତିହାସ ପାଲଟିବ ସାତଭାୟା । ସମୁଦ୍ର ଗର୍ଭରେ ଲୀନ ହୋଇଯିବି ମା’ ପଞ୍ଚୁ ବରାହିଙ୍କ ମନ୍ଦିର । ସମୁଦ୍ରର କରାଳ ରୂପରେ ସାତଭାୟାର ସାତ ଟି ଗାଁ ଲୀନ ହୋଇଯାଇଥିବା ବେଳେ ସାତଭାୟାର ସ୍ମୃତି ବଖାଣୁଥିବା ଆରାଧ୍ୟ ଦେବୀ ମା’ ପଞ୍ଚୁ ବରାହିଙ୍କ ପୁରୁଣା ମନ୍ଦିର ମଧ୍ୟ ସମୁଦ୍ର ଧୀରେ ଧୀରେ ଲୀନ ହେବାକୁ ବସିଛି ।

ଜନବସତି ଆଡ଼କୁ ସମୁଦ୍ର ମୁହାଁଇବା ହେତୁ ପାଣିରେ ମିଶିବାକୁ ବସିଲାଣି ସାତଭାୟାର ମା’ ପଞ୍ଚୁ ବରାହୀଙ୍କ ମନ୍ଦିର । ସମୁଦ୍ର ଗର୍ଭରେ ମନ୍ଦିର ବୁଡିଗଲେ ଆଗାମୀ ପିଢ଼ି ପାଇଁ ଏହା ଇତିହାସ ହୋଇ ରହିଯିବ । କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ସାତଭାୟା ଅଞ୍ଚଳରେ ଥିଲା କାନପୁର, ଗୋବିନ୍ଦପୁର, ମୋହନପୁର ଆଦି ୭ଟି ଗାଁ । ଏଗୁଡିକ ସମୟ କ୍ରମେ ସମୁଦ୍ର ଭିତରେ ଲୀନ ହୋଇଗଲା ପରେ ପୁରୁଷ ପୁରୁଷ ଧରି ବସବାସ କରୁଥିବା ଏହି ଲୋକ ମାନେ ନିଜ ଭିଟାମାଟି ଛାଡିଗଲେ । ଅନ୍ୟ ଜାଗାରେ କିଏ ଆଶ୍ରୟ ନେଲା ତ ଆଉ କିଏ ନିରାଶ୍ରୟ ହୋଇ ଘୁରିବୁଲିଲା ।

୨୦୧୮ ମସିହାରେ ସରକାର ଗୁପ୍ତିର ବଗପାଟିଆ ଠାରେ ୫୭୧ଟି ପରିବାରକୁ ଥଇଥାନ କରିଥିଲେ । ସାତଭାୟାରେ ଥିବା ମାଆ ପଞ୍ଚୁ ବରାହୀ ମନ୍ଦିରକୁ କୈବର୍ତ୍ୟ ଜାତିର ମହିଳାମାନେ ହିଁ ପୂଜା କରିଥାନ୍ତି । ତେଣୁ ସ୍ଥାନାନ୍ତରଣ ବେଳେ ଲୋକଙ୍କର ଗୋଟିଏ ଜିଦ ଥିଲା, ଯେପର୍ଯ୍ୟନ୍ତ ମା’ଙ୍କୁ ସ୍ଥାନାନ୍ତରିତ ନକରାଯାଉଛି, ସେମାନେ ଏଠାରୁ ଯିବେ ନାହିଁ ।  ସାତଭାୟା ଗ୍ରାମବାସୀଙ୍କ ଦାବି ଅନୁସାରେ ମାଆଙ୍କୁ ବଗପାଟିଆରେ ସ୍ଥାପନ କଲେ ସତ ହେଲେ ଏବେ ମୂଳ ମନ୍ଦିର ସମୁଦ୍ର ଆଁରେ ଚାଲିଯିବାକୁ ବସିଛି । ସମୁଦ୍ର ଉଗ୍ରମୁଖା ହୋଇ ପୁରୁଣା ମନ୍ଦିର ସହ ଗଛକୁ ବି ଟାଣି ନେବାକୁ ବସିଛି ।ତେବେ ବର୍ତ୍ତମାନ ପଞ୍ଚୁ ବରାହୀଙ୍କ ପୁରୁଣା ମନ୍ଦିର ସମୁଦ୍ର ଗର୍ଭରେ ଲୀନ ହେବାକୁ ବସିଲାଣି ।

ପ୍ରକୃତି ଯେବେ ପ୍ରଳୟ ଆଣେ ସେବେ ଜନବସତିକୁ ମାଡିଆସେ । ଆଉ ଘରଦ୍ୱାର ସହ ମନ୍ଦିରକୁ ଭସାଇ ନିଏ । ସାତଭାୟା ତ ସମୁଦ୍ର ଆଁରେ ପଶିଗଲାଣି । ଏବେ ଏହି ମାଆ ପଞ୍ଚୁବରାହୀଙ୍କ ମନ୍ଦିର ବି ଗଭୀର ସମୁଦ୍ର ଗର୍ଭରେ ଲୀନ ହେବା ଅପେକ୍ଷାରେ ରହିଛି…

ଦିନ ଥିଲା  କିମ୍ବଦନ୍ତୀ ବହନ କରୁଥିବା ସାତଭାୟା ଗାଁକୁ ଛୁଟୁଥିଲା ପ୍ରକୃତିପ୍ରେମୀଙ୍କ ସୁଅ । ବଙ୍ଗୋପସାଗର ସାଗରର ତଟବର୍ତ୍ତୀ ଏହି ସାତଭାୟା ଗାଁର ବାଲି ପାହାଡ଼ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲା । ଶହ ଶହ ପର୍ଯ୍ୟଟକଙ୍କ ସମାଗମ ସାଙ୍ଗକୁ ସାତଭାୟାର ପଞ୍ଚୁବରରୀଙ୍କ ମନ୍ଦିର ଶୋଭାକୁ ଦ୍ୱିଗୁଣିତ କରୁଥିଲା ।

ହେଲେ ପରିବେଶ ଅସନ୍ତୁଳନ, ବିଶ୍ୱତାପନ ଓ ଜଳବାୟୁର ଅହେତୁକ ପରିବର୍ତନ ଯୋଗୁଁ ସମୁଦ୍ର ମାଡି ସୀମା ଲଙ୍ଘିଲା । ତେବେ ଆଜି ସାତଭାୟାର ଶେଷ ସନ୍ତକ ସମୁଦ୍ର ଗର୍ଭରେ ଲୀନ ହେବାକୁ ବସିଛି ।

 

Leave A Reply

Your email address will not be published.