Latest Odisha News

BREAKING NEWS

ଅନେକ ବାଦବିବାଦ ପରେ ଆଜି ମୁକ୍ତିଲାଭ କରିବ ‘ସନାତନୀ’

ଭୁବନେଶ୍ଵର: ଅନେକ ବାଦବିବାଦ ପରେ ଶେଷରେ ରାଜ୍ୟର ୨୨ଟି ପ୍ରେକ୍ଷାଳୟରେ ଆଜି ମୁକ୍ତିଲାଭ କରିବ ଚଳଚ୍ଚିତ୍ର ‘ସନାତନୀ’। ଆଜି ଅପରାହ୍ନରେ ଶ୍ରୀୟା ସ୍ବାତୀ ସ୍ତୁତି ସିନେକମ୍ପ୍ଲେକ୍ସରେ ରହିଛି ଏହାର ପ୍ରିମିୟର୍‌ ସୋ । ଅନେକ ବାଦବିବାଦ ପରେ ମଧ୍ୟ ଫିଲ୍ମ ରିଲିଜକୁ ନେଇ ରୋକ୍ ଲଗାଇନଥିଲେ ହାଇକୋର୍ଟ । ତେବେ ଚଳଚ୍ଚିତ୍ର ପ୍ରଦର୍ଶନ ସମୟରେ ଯେପରି ଅପ୍ରୀତିକର ସ୍ଥିତି ସୃଷ୍ଟି ନହେବ ସେନେଇ ସତର୍କ ରହିବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଥିଲେ ହାଇକୋର୍ଟ ।

ସୂଚନାଯୋଗ୍ୟ, ରିଲିଜ ପୂର୍ବରୁ ଅଡୁଆରେ ପଡ଼ିଥିଲା ଫିଲ୍ମ ‘ସନାତନୀ’। ଫିଲ୍ମକୁ ବିରୋଧ କରିବା ସହ ବ୍ୟାନ କରିବାକୁ ଦାବି କରାଯାଇଥିଲା । ଫିଲ୍ମଟି ଧର୍ମାନ୍ତୀକରଣ ଉପରେ ପର୍ଯ୍ୟବେସିତ ହୋଇଥିବା ବେଳେ ଫିଲ୍ମରେ ନିର୍ଦ୍ଦିଷ୍ଟ ଧର୍ମକୁ ଆକ୍ଷେପ କରିଥିବା ଅଭିଯୋଗ ହୋଇଥିଲା । ଫଳରେ ରିଲିଜ ସମୟରେ ଦଙ୍ଗା ସୃଷ୍ଟି ହେବା ନେଇ ଆଶଙ୍କା ରହିଥିଲା । ଏହି ଆଶଙ୍କାଙ୍କୁ ଦୃଷ୍ଟିରେ ରଖି ଏକ ଚିଠି ଲେଖି ଫିଲ୍ମ ସଂସ୍ଥାକୁ ସତର୍କ କରାଇଥିଲା ଗୁଇନ୍ଦା ବିଭାଗ । ସେପଟେ କିନ୍ତୁ ଧର୍ମକୁ ଆକ୍ଷେପ କରିଥିବା ଅଭିଯୋଗକୁ ଖଣ୍ଡନ କରିଥିଲା ପ୍ରଯୋଜନା ସଂସ୍ଥା ।

ଏହାପରେ ହାଇକୋର୍ଟର ଦ୍ଵାରସ୍ତ ହୋଇଥିଲେ କନ୍ଧମାଳର ଖ୍ରୀଷ୍ଟିଆନ ସଂପ୍ରଦାୟ । ଫିଲ୍ମ ରିଲିଜ୍ ଉପରେ ରୋକ୍ ଲଗାଇବାକୁ ଆବେଦନ ହୋଇଥିବା ବେଳେ ରୋକ୍ ଲଗାଇ ନଥିଲେ ହାଇକୋର୍ଟ । ମାତ୍ର ଅପ୍ରୀତିକର ସ୍ଥିତି ସୃଷ୍ଟି ହେଲେ ସତର୍କ ରହିବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଥିଲେ ହାଇକୋର୍ଟ । ରିଲିଜ ପରେ ଆପତ୍ତିଜନକ ବିଷୟବସ୍ତୁ ଥିଲେ ତାହା ପୁନଃବିଚାର କରିବାକୁ ନିର୍ଦ୍ଦେଶ ଦେଇଥିଲେ ମାନ୍ୟବର ହାଇକୋର୍ଟ । ଆସନ୍ତା ୧୯ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବାକୁ ଥିବା ବେଳେ ଆଜି ସାରା ରାଜ୍ୟରେ ମୁକ୍ତିଲାଭ କରିବ ଫିଲ୍ମ ।

କହିରଖୁଛୁ ଯେ ପ୍ରଥମେ ଏହି ଚଳଚ୍ଚିତ୍ର ନାମ ‘ହେ ରାମ’ ରଖାଯାଇଥିଲା। କିନ୍ତୁ ଚଳଚ୍ଚିତ୍ରକୁ ଓଡ଼ିଶାରେ ସେନ୍ସର ବୋର୍ଡ ପ୍ରମାଣପତ୍ର ନ ମିଳିବାରୁ ପ୍ରଯୋଜନା ସଂସ୍ଥା ମୁମ୍ବାଇରେ ସେନ୍ସର ବୋର୍ଡ ପ୍ରମାଣପତ୍ର ଆଣିଥିଲା । ମୋଟ ୧ ଘଣ୍ଟା ୪୫ ମିନିଟ୍‌ ୪୫ ସେକେଣ୍ଡର ଏହି ଚଳଚ୍ଚିତ୍ରଟି ଥିବା ବେଳେ ସେଥିରୁ ଗୋଟିଏ ମିନିଟ୍‌ କାଟିବା ପରେ ସେନ୍ସର ପ୍ରମାଣପତ୍ର ମିଳିଥିଲା। ପରେ ଚଳଚ୍ଚିତ୍ର ନାମ ପରିବର୍ତ୍ତନ କରାଯାଇ ‘ସନାତନୀ-କର୍ମ ହିଁ ଧର୍ମ’ ରଖାଯାଇଥିଲା।

ପ୍ରଯୋଜନା ସଂସ୍ଥା ବିଦିଶା କ୍ରାଫ୍ଟ ବ୍ୟାନର୍‌ର ବରିଷ୍ଠ ପ୍ରଯୋଜକ ବିଜୟ କାଣ୍ଡୋଇଙ୍କ ପ୍ରଯୋଜନାରେ ଏହି ସିନେମା ନିର୍ମାଣ ହୋଇଥିବା ବେଳେ ଧର୍ମାନ୍ତୀକରଣକୁ ଏଥିରେ ଦେଖାଯାଇଛି । ଏଥିରେ ମୁଖ୍ୟ ଚରିତ୍ରରେ ନଜର ଆସିଛନ୍ତି ଅଭିନେତା ସମ୍ବିତ ଆଚାର୍ଯ୍ୟ । ଆଉ ତାଙ୍କ ବିପକ୍ଷରେ ଗାଉଁଲି ଝିଅ ଚରିତ୍ରରେ ନଜର ଆସିଛନ୍ତି ଆର୍ଲିନ୍‌ ଅଙ୍କିତା । ଅନ୍ୟାନ୍ୟ ମୁଖ୍ୟ ଚରିତ୍ରରେ ପପି ସନ୍ତୁକା, ଗୁଡ଼ୁ, ଜଗନ୍ନାଥ ସେଠ୍, ଗୋପାଳ ପ୍ରକାଶ ମହାନ୍ତି ଓ ବବ୍‌ଲୁ ଅଭିନୟ କରୁଛନ୍ତି ।

 

Comments are closed.