କବି କୁଳାଙ୍ଗାର
ସପନ ହଜୁଛି ଜୀବନ ବିନ୍ଧୁଛି
କରୋନା ହସୁଛି ମଣିଷ କାନ୍ଦୁଛି
ମୁଣ୍ଡ ହୋଇଯାଏ ଟିଣ !
ମୁଁ ଆଉ କବିତା ଲେଖିବି କ’ଣ ?
ତଥାପି ଅଛନ୍ତି ଗାଲୁଆ ଅନେକ
ମାନନ୍ତିନି କଟକଣା;
ବୁଲନ୍ତି ନିର୍ଧୁମ ପକେଟରୁ ପଛେ
ଜୋରିମନା ହେଉ ଗଣା !
ଠେଙ୍ଗାକୁ ଚଳାନ୍ତି ମାମୁଁ ଗଣ
ସତେ କରିଲା ପରି ସେ ରଣ,
ମୁଁ ଆଉ କବିତା ଲେଖିବି କ’ଣ ?
ଯା ଯା ବୋଲି କରୋନାକୁ କହି
ଘରେ ଗଲେ ମୁଁ ବସି;
ମାଲିକେ କହନ୍ତି ଦରମା ନଉଚୁ
କାମ କର ଜଲ୍ଦି ଆସି !
ସାମାଜିକ ଦୂରତାକୁ ଦେଇ ରାଣ
କହେ ଏଟା ନିଅ ସେଟା ଆଣ
ମୁଁ ଆଉ କବିତା ଲେଖିବି କ’ଣ ?
ଘରଣୀ ଆମର ଘଟିଆ ରାନ୍ଧଣା
ରାନ୍ଧିବାରେ ଧୂରନ୍ଧର;
ସ୍ବାଦ ଲାଗୁନାହିଁ କହିଲେ ବୋଲନ୍ତି
କରୋନା ପରୀକ୍ଷା କର !
କି କହିବି ଆମ ଗୁଣମଣିଙ୍କର ଗୁଣ
ଭୁଲି ଯାଆନ୍ତି ସେ ଲୁଣ,
ମୁଁ ଆଉ କବିତା ଲେଖିବି କ’ଣ?
ମନ୍ଦିର ବନ୍ଦ ବିଦ୍ୟାଳୟ ବନ୍ଦ
ବନ୍ଦ ନାଚ ଗାୟନ;
ଖୋଲା ଅଛି କିନ୍ତୁ ପାନ ବିଡି
ଦେଶୀ ବିଦେଶୀ ମଦଦୋକାନ !
ତାଙ୍କର କରୋନା କରିବ କ’ଣ ?
ଗନ୍ଧୁଅଛି ଭଣଭଣ,
ମୁଁ ଆଉ କବିତା ଲେଖିବି କ’ଣ ?
ଭୁବନେଶ୍ୱର
Comments are closed.