ଦିଲୀପ କୁମାର ପଣ୍ଡା
ଜ୍ଞାନର ସ୍ରୋତସ୍ୱିନୀ
ମୃତ୍ୟୁର ଆଲିଙ୍ଗନରେ
ହୁଏ ବିଜୟିନୀ ।
ଓଁ କାର ସହ
ଏକାତ୍ମ ହୁଏ ଅନ୍ତରଆତ୍ମା ।
ଅସୀମ ଜ୍ୟୋତି ଆହରଣ କରେ
ଦେହାତୀତ ବିସ୍ତାରିତ ଆକାଶରେ
ଦେହର ମୃତ୍ୟୁ ବିନା ଅସମ୍ଭବ
ଅମରତ୍ୱ ଲାଭ।
ଶାଶ୍ୱତ ଓଲ୍ହାଇ ଆସେ
ସ୍ୱର୍ଗରୁ ମର୍ତ୍ତ୍ୟକୁ ସଶରୀରେ
ପ୍ରତୀକ୍ଷଣେ ଶରବାଣେ ହୁଏ ରକ୍ତାକ୍ତ।
ମୁକ୍ତିର ଇସ୍ତାହାର ସ୍ୱାକ୍ଷର କରେ ନିଜ ରକ୍ତରେ
ହସି ହସି ବିଷ ପିଏ କ୍ରୁଶକୁ ବହନ କରି
ଚାଲିଥାଏ ପ୍ରସନ୍ନ ମୁଖରେ।
ଗହଳି ଗହଳି ମଣିଷଙ୍କ
ବିଦୁପ ଓ ଅପମାନର ଜ୍ୱାଳାସହି
କପାଳରୁ ତାର ଲହୁ ଝରୁଥାଏ ।
ମଣିଷ ସମାଜର
ଆଗାମୀ ଭବିଷ୍ୟତର
ଶାନ୍ତି ଚୁକ୍ତି ସ୍ବାକ୍ଷର କରେ
ନିଜର ସମାପ୍ତିରେ ।
କେବେ କେବେ ଛାତିରେ ଗୁଳି ଖାଇ
ଟଳି ପଡ଼େ
କିନ୍ତୁ ରଟି ଯାଏ ମଣିଷର ଶାନ୍ତି ଇତିହାସ
ତଥାପି ଏ ମଣିଷ କିଛିବି ଶିଖେନା !
ନିଜକୁ ବିଷ ଚକ୍ରରେ ପୁଣି ଥରେ ଢାଳିଦିଏ
ଘୃଣା ଓ ହିଂସାର ଅଗ୍ନି ଜ୍ବାଳାରେ
ପୁନଃ ପୁନଃ ଜଳୁଥାଏ
ଅନ୍ତହୀନ ଜୀବନର ଶେଷବିନ୍ଦୁ ଯାଏ।
ସମ୍ବଲପୁର