Latest Odisha News

BREAKING NEWS

ଓଡ଼ିଶା ଶିଳ୍ପୀ ମହାସଂଘ ପକ୍ଷରୁ ୱେବିନାର ମାଧ୍ୟମରେ ଅଷ୍ଟମ ବାର୍ଷିକ ମହୋତ୍ସବ ପାଳିତ

ଭୁବନେଶ୍ବର: ଆଜି ଓଡ଼ିଶା ଶିଳ୍ପୀ ମହାସଂଘର ଅଷ୍ଟମ ବାର୍ଷିକ ମହୋତ୍ସବ ପାଳିତ ହୋଇଛି। କରୋନା ଯୋଗୁ ଏଥର ୱେବିନାର ମାଧ୍ୟମରେ ଏହି ଏହି ଉତ୍ସବ ପାଳନ କରାଯାଇଛି। ଏହି ମହୋତ୍ସବର ମୁଖ୍ୟ ଅତିଥୀ ଭାବେ ରାଜ୍ୟସଭା ସାଂସଦ ଅଶ୍ବିନୀ ବୈଷ୍ଣବ ଯୋଗ ଦେଇ ଓଡ଼ିଶା କଳା କାରିଗରୀର ଉଚ୍ଚ ପ୍ରଶଂସା କରିଥିଲେ।

କରୋନା ମହାମାରୀ ସମୟରେ ଇ-ମାର୍କେଟିଂ ଏକମାତ୍ର ବିକଳ୍ପ ବୋଲି ସେ କହିଥିଲେ। ରାଜ୍ୟର ପୂରାତନ ହସ୍ତକଳାକୁ ଜିଆଇଟି ଟ୍ୟାଗ୍‌ ମିଳିବା ସହିତ ଜିଏସ୍‌ଟି ଏବଂ ଇ-ମାର୍କେଟିଂ ଦିଗରେ ଗୁରୁତ୍ବ ଦେବେ ବୋଲି ମତ ରଖିଥିଲେ।

ଏହି ୱେବିନାରର ଅନ୍ୟତମ ଅତିଥୀ ଭାବେ ପଦ୍ମଶ୍ରୀ ସୁଦର୍ଶନ ସାହୁ, ବିଶିଷ୍ଟ ସ୍ତମ୍ଭକାର ପ୍ରକାଶ ନାୟକ, ଫିଓର ଓଡ଼ିଶା ଚାପଟର ମୁଖ୍ୟ କମଳାକାନ୍ତ ସାହୁ, ବିକାଶ ଆୟୁକ୍ତ ହସ୍ତଶିଳ୍ପର ସହ ନିର୍ଦ୍ଦେଶିକା କୁମାରୀ ଶୈଳାଜା, ରାଜ୍ୟ ହସ୍ତ ଓ କୁଟୀର ଶିଳ୍ପ ନିର୍ଦ୍ଦେଶକ ବସନ୍ତ କୁମାର ଦାସ ପ୍ରମୁଖ ଯୋଗ ଦେଇଥିଲେ।

ଅଷ୍ଟମ ବାର୍ଷିକ ମହୋତ୍ସବ ଅବସରରେ ଶିଳ୍ପୀ ମହାସଂଘର ଶ୍ରେଷ୍ଠ ସମ୍ମାନ ଶିଳ୍ପୀଶ୍ରୀ ପୁରସ୍କାର ଚଳିତ ବର୍ଷ ଭୁବନେଶ୍ବରର ବରିଷ୍ଠ ଚାନ୍ଦୁଆ ଶିଳ୍ପୀ ଶ୍ରୀମତି ପଦ୍ମିନୀ ଜେନା ଓ ବୟନଶ୍ରୀ ପୁରସ୍କାର ପୁରୀ ଜିଲ୍ଲା ମଉଜିବେଗ ଗ୍ରାମର ଜମ୍ବେଶ୍ବର ବେହେରାଙ୍କୁ ପ୍ରଦାନ କରାଯାଇଛି।

ସେହିପରି ଶିଳ୍ପୀ ସଖା ପୁରସ୍କାରରେ ଭୁବନେଶ୍ବର କଳା ସଂଗଠିକା ଡ. ଅନିତା ସାବତ ଓ ଶିଳ୍ପୀ ସହଯୋଗୀ ସମ୍ମାନରେ ସମାଜସେବା ‌କ୍ଷେତ୍ରରେ ଦୀର୍ଘ ଦିନ ଧରି କାର୍ଯ୍ୟ କରିଆସୁଥିବା ନୂଆଦିଲ୍ଲୀର ଅଗ୍ରଣୀ ସଂସ୍ଥା ଗୁଂଜକୁ ସମ୍ମାନିତ କରାଯାଇଛି।

ଏହା ସହିତ ମହାସଂଘ ପକ୍ଷରୁ ଯଥାଶୀଘ୍ର କରୋନା ପ୍ରଭାବିତ ଶିଳ୍ପୀ ଓ ବୁଣାକାରଙ୍କୁ ସହାୟତା ଘୋଷଣା କରିବା ନେଇ ମଧ୍ୟ ଦାବି କରାଯାଇଛି। ଏହି କାର୍ଯ୍ୟକ୍ରମକୁ ଓଡ଼ିଶା ଶିଳ୍ପୀ ମହାସଂଘର ସଂପାଦକ ପ୍ରିୟରଜଂନ କର ପରିଚାଳନା କରିଥିବା ବେଳେ ନିମାପଡ଼ାର ଜାତୀୟ ପୁରସ୍କାର ପ୍ରାପ୍ତ ତାଳପତ୍ର ଶିଳ୍ପୀ ଶରତ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି କାର୍ଯ୍ୟକ୍ରମର ସୁପରିଚାଳନା ନିମନ୍ତେ ଯତୀନ ସାହୁ ,ଗଗନ ମହାରଣା, ଜିତେନ୍ଦ୍ର ପରିଡା, ଭୋବନୀ ଓଝା, ଅମିୟ ପୋଦ୍ଦାର, ବିପିନ ବିହାରୀ ସାହୁ, ରଂଜିତ ସୁତାର, ଦ୍ବିଜବର ଦାସ, ସରୋଜିନୀ ଦାସ, ଅଶୋକ କୁମାର ଗୁଇଁ ଓ ମକରଧ୍ବଜ ଗୁଇଁ ପ୍ରମୁଖ ସହଯୋଗ କରିଥିଲେ।

Leave A Reply

Your email address will not be published.