Latest Odisha News

ବଢ଼ିଲା ପାଚକ-ପାଚିକାଙ୍କ ପାରିଶ୍ରମିକ; ଏଣିକି ମାସକୁ ମିଳିବ ଏତିକି ଟଙ୍କା

ଭୁବନେଶ୍ୱର: ପାଚକ, ପାଚିକା ମାନଙ୍କ ପାଇଁ ବଡ ଘୋଷଣା କରିଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସେମାନଙ୍କ ମାସିକ ପାରିଶ୍ରମିକ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ପାଚକ, ପାଚିକା ମାନଙ୍କ କାମ, ଦକ୍ଷତା ଓ ପରିଶ୍ରମକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ସେମାନଙ୍କ ମାସିକ ପାରିଶ୍ରମିକ ୨୦୦୦ ଟଙ୍କାରୁ ୩୦୦୦ ଟଙ୍କାକୁ ବୃଦ୍ଧି କରିଛନ୍ତି ।

ଏହା ଦ୍ବାରା ରାଜ୍ୟରେ କାର୍ଯ୍ୟରତ ଥିବା ୧,୧୨,୦୯୦ ଜଣ ପାଚକ, ପାଚିକା ଉପକୃତ ହେବେ । ଏଥିପାଇଁ ରାଜ୍ୟ ସରକାର ବର୍ଷକୁ ଅତିରିକ୍ତ ୧୧୨ କୋଟି ୯ ଲକ୍ଷ ଟଙ୍କା ବ୍ୟୟ କରିବେ । ଏହି ପାଚକ, ପାଚିକାମାନେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରାଜ୍ୟର ୫୦ ହଜାର ୬୧୮ଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୪୨.୪୫ ଲକ୍ଷ ଛାତ୍ରଛାତ୍ରୀଙ୍କୁ ରନ୍ଧା ଖାଦ୍ୟ ପରିବେଷଣ କରୁଥିବା ନେଇ ସୂଚନା ଦେଇଛନ୍ତି ।

ସେହିପରି ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ପରିପୂରକ ପୃଷ୍ଟି କାର୍ଯ୍ୟକ୍ରମରେ ଯୋଗାଇ ଦିଆଯାଉଥିବା ଚାଉଳ ଓ ଗହମ ପରି ଶସ୍ୟର ପରିବହନ ଖର୍ଚ୍ଚକୁ ମଧ୍ୟ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି । ଏହି ପରିବହନ ଖର୍ଚ୍ଚ କ୍ୱିଣ୍ଟାଲ ପିଛା ସର୍ବାଧିକ ୭୫ଟଙ୍କା ଥିବାବେଳେ ଏବେ ୧୫୦ଟଙ୍କାକୁ ବୃଦ୍ଧି ପାଇଛି ।

 

Comments are closed.