Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀଙ୍କ ସମ୍ବଲପୁର ଗସ୍ତ: ୫୫୫ କୋଟି ଟଙ୍କାର ପ୍ରକଳ୍ପ ସହ ମହାନଦୀ ଉପରେ ବୃହତ ସେତୁ ଉଦଘାଟିତ

ସମ୍ବଲପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସମ୍ବଲପୁର ଗସ୍ତ କରି ମହାନଦୀ ଉପରେ ବୃହତ ସେତୁ ଉଦଘାଟନ କରିବା ସହିତ ବିଜୁଯୁବବାହିନୀ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ସମ୍ବଲପୁର ପାଇଁ ୮୮ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରିଛନ୍ତି ।

ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ୨୦ କୋଟି ଟଙ୍କା ବିନିଯୋଗରେ ମାଳତୀଯୋର ସେତୁ ଓ ୧୦ କୋଟି ଟଙ୍କାରେ ବାଲିବନ୍ଧ ସେତୁ ନିର୍ମାଣ କରାଯିବ । ଏହା ସହିତ ଜିଲ୍ଲା ସ୍କୁଲ ଠାରୁ ନକସାପଲୀ ରୋଡ଼ ପର୍ଯ୍ୟନ୍ତ ରାସ୍ତାକୁ ୪୦ କୋଟି ଟଙ୍କାରେ ଏବଂ ଦୂର୍ଗାପାଲୀଠାରୁ ଏନ.ଏଚ. ପର୍ଯ୍ୟନ୍ତ ରାସ୍ତାକୁ ୧୫ କୋଟି ଟଙ୍କାରେ ୪ ଥାକିଆ କରାଯିବ । ଏହାସହିତ ସମ୍ବଲପୁରର ବୀର ସୁରେନ୍ଦ୍ର ସାଏ ଷ୍ଟାଡ଼ିୟମର ଉନ୍ନତିକରଣ ପାଇଁ ମୁଖ୍ୟମନ୍ତ୍ରୀ ୩ କୋଟି ଟଙ୍କା ଅନୁମୋଦନ କରିଛନ୍ତି । ଏହି ଉନ୍ନତିକରଣ କାର୍ଯ୍ୟ ତୁରନ୍ତ ଆରମ୍ଭ ହେବ ।

ଆଜି ମୁଖ୍ୟମନ୍ତ୍ରୀ ମା ସମଲେଶ୍ୱରୀଙ୍କ ମନ୍ଦିର ସମ୍ମୁଖସ୍ଥ ମହାନଦୀ ରିଭର ଫ୍ରଣ୍ଟର ସୌନ୍ଦର୍ଯ୍ୟକରଣ କାର୍ଯ୍ୟର ଶୁଭ ଉଦଘାଟନ କରିଥିଲେ । ଏହାସହିତ ନେଲସନ ମାଣ୍ଡେଲା ଛକଠାରେ ୧୧୭.୭୨ କୋଟି ଟଙ୍କା ବ୍ୟୟରେ ମହାନଦୀ ଉପରେ ଏକ ବୃହତ ସେତୁର ଉଦଘାଟନ ମଧ୍ୟ କରିଥିଲେ । ଏହି ସେତୁ ଦ୍ୱାରା ଚାଉଁରପୁର, ଗୋଶାଳା ଓ ଚିପିଲିମା ସମ୍ବଲପୁର ସହିତ ସିଧାସଳଖ ଯୋଡ଼ିହେବ ।

ଏହାବ୍ୟତୀତ ମୁଖ୍ୟମନ୍ତ୍ରୀ ୧୦୦ କୋଟି ଟଙ୍କାର ୧୯ଟି ପ୍ରକଳ୍ପର ଶୁଭ ଉଦଘାଟନ କରିବା ସହିତ ୩୩୮ କୋଟି ଟଙ୍କା ବ୍ୟୟ ଅଟକଳରେ ୧୪ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ କରିଥିଲେ । ଏହାପରେ ସେ ବୀର ସୁରେନ୍ଦ୍ର ସାଏ ଷ୍ଟାଡ଼ିୟମରେ ବିଜୁ ଯୁବ ବାହିନୀର ସମାବେଶକୁ ଉଦବୋଧନ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସାଂସଦ, ବିଧାୟକ ଓ ଜିଲ୍ଲାପରିଷଦ ସଭାପତି ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.