Latest Odisha News

ମହାପ୍ରଭୁଙ୍କ ମହାପ୍ରସାଦ: ଅବଢା ଅନ୍ନରୁ ନିର୍ମାଲ୍ୟର ମହିମା

ଶ୍ରୀକ୍ଷେତ୍ରରେ ବିରାଜମାନ କରୁଥିବା ଶ୍ରୀଜଗନ୍ନାଥ ମହାପ୍ରଭୁ ହେଲେ ସେଇ ଜୀବନ୍ତ ପ୍ରତିମା ତଥା ଦାରୁବ୍ରହ୍ମ ରୂପୀ ସ୍ୱୟଂ ପରମାତ୍ମା । ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ଉପନିଷଦ ବର୍ଣ୍ଣିତ ପୂର୍ଣ୍ଣବ୍ରହ୍ମ ସ୍ୱରୂପ । ସେ ଜୀବନ୍ତ ଏବଂ ଦାରୁମୂର୍ତ୍ତି ରୂପେ ସ୍ୱୟଂ ବ୍ରହ୍ମାଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଛନ୍ତି । ‘ଜଗନ୍ନାଥ ଚରିତାମୃତ’ରେ ମହାପ୍ରଭୁଙ୍କୁ ନେଇ ସୁନ୍ଦର ଭାବେ ବର୍ଣ୍ଣନା କରାଯାଇଛି । ମହାପ୍ରଭୁଙ୍କ ମହାପ୍ରସାଦର ରହସ୍ୟକୁ ଆଜି ପର୍ଯ୍ୟନ୍ତ କେହି ଭେଦ କରିପାରି ନାହାନ୍ତି । ମହାପ୍ରସାଦର ଚମତ୍କାରିତା ତଥା ମହିମାକୁ ନେଇ ସାରା ବିଶ୍ୱରେ ରହିଥିବା ଶ୍ରଦ୍ଧାଳୁଙ୍କ ମନରେ ଶ୍ରଦ୍ଧା ଭାବନା ବୃଦ୍ଧି କରିପାରୁଛି ।

ମହାନ ହିନ୍ଦୁ ଧର୍ମାବଲମ୍ବୀଙ୍କ ବିଶ୍ୱାସ ଅନୁଯାୟୀ, ଜୀବନକାଳ ମଧ୍ୟରେ ତୀର୍ଥ ଦ୍ୱାରା ପୁରୀ, ଦ୍ୱାରକା, ବଦ୍ରିନାଥ ଓ ରାମେଶ୍ୱରମ ଚାରିଧାମ ପରିଦର୍ଶନ କଲେ ମୋକ୍ଷ ପ୍ରାପ୍ତି ହୋଇଥାଏ । ପୁରାଣଶାସ୍ତ୍ରର ବର୍ଣ୍ଣନାନୁଯାୟୀ, ଭଗବାନ ଶ୍ରୀବିଷ୍ଣୁ ତ୍ରେତୟା ଯୁଗରେ ନିର୍ମିତ ରାମେଶ୍ୱରମରେ ସ୍ନାନ କରିଥାଆନ୍ତି । ସତ୍ୟଯୁଗରେ ନିର୍ମିତ ବଦ୍ରିନାଥ ଧାମରେ ଭଗବାନ ଶ୍ରୀବିଷ୍ଣୁ ତପସ୍ୟା କରିଥାଆନ୍ତି । ସେହିପରି କଳିଯୁଗରେ ପ୍ରତିଷ୍ଠିତ ପୁରୀସ୍ଥିତ ଶ୍ରୀକ୍ଷେତ୍ରଧାମରେ ଭୋଜନ କରିଥାଆନ୍ତି ପରମବ୍ରହ୍ମ ଭଗବାନ ବିଷ୍ଣୁ । ପରିଶେଷରେ ଦ୍ୱାପରଯୁଗରେ ନିର୍ମିତ ଦ୍ୱାରକାଧାମରେ ଶୟନ କରିଥାଆନ୍ତି କରୁଣାମୟ ଶ୍ରୀବିଷ୍ଣୁ । ମାତ୍ର ଯେହେତୁ ଭଗବାନ ଶ୍ରୀବିଷ୍ଣୁ ଶ୍ରୀକ୍ଷେତ୍ରରେ ପରମବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ରୂପରେ ବିଦ୍ୟମାନ ଏବଂ ଏଠାରେ ପ୍ରତ୍ୟେକ ଦିନ ଭଗବାନ ମହାଲକ୍ଷ୍ମୀଙ୍କ ନିଜହାତରେ ରନ୍ଧା ମହାପ୍ରସାଦ ଭୋଜନ କରିଥାଆନ୍ତି ତେଣୁ ସେହି ମହାପ୍ରସାଦକୁ ଟିକେ ସେବନ କରି ସ୍ୱର୍ଗ, ମର୍ତ୍ତ୍ୟ ପାତାଳଦେଶରେ ରହିଥିବା ସମସ୍ତ ଦେବାଦେବୀ ପ୍ରତିଦିନ ଶ୍ରୀମନ୍ଦିର ଆସି ମହାପ୍ରସାଦ ପାଇଥାଆନ୍ତି । ସେହି ମହାପ୍ରସାଦର ମହିମା ପ୍ରକୃତରେ ଅବର୍ଣ୍ଣନୀୟ, ଏହାର ସ୍ୱାଦ ଅତୁଳନୀୟ ତଥା ଚମତ୍କାର ।
ମହାଲକ୍ଷ୍ମୀ ହେଲେ ଅନ୍ନଦାତ୍ରୀ । ପ୍ରକୃତରେ ଅନ୍ନ ହିଁ ଭଗବାନ । ଧାନରୁ ଚାଉଳ ଏବଂ ସେହି ଚାଉଳରୁ ହିଁ ପ୍ରସ୍ତୁତ ହୋଇଥାଏ ମହାପ୍ରସାଦ ବା ଅବଢା । ଯେଉଁ ‘ଚାଉଳ’ କେବଳ ଶ୍ରୀଜଗନ୍ନାଥଙ୍କ ରୋଷ ଘରେ ରନ୍ଧାଯାଏ, ତାକୁ ‘ଅମୁଣିଆ’ ‘ଅନ୍ନ’ କୁହାଯାଏ । ସେହି ଚାଉଳକୁ ରାନ୍ଧି ସାରିଲା ପରେ ତାକୁ କେବଳ ଅନ୍ନ କହନ୍ତି । ସେହି ରନ୍ଧା ‘ଅନ୍ନ’ ଯେତେବେଳେ ରୋଷଘରୁ ବାହାରକୁ ଆସେ ସେତେବେଳେ ଏହାକୁ ‘ଛେକ’ କହନ୍ତି । ଯେତେବେଳେ ଏହା ଭୈରବୀ ଚକ୍ରରେ ରହେ, ସେତେବେଳେ ଏହାକୁ ‘ଭୋଗ’ ବୋଲି କୁହନ୍ତି । ଯେବେ ‘ଭୋଗ’କୁ ତିନି ଠାକୁରଙ୍କ ପାଖରେ ଲାଗି ହୁଏ ସେତେବେଳେ ଏହା ‘ନୈବେଦ୍ୟ ‘କୁହାଯାଏ । ଏହି ‘ନୈବେଦ୍ୟ’ ଯେତେବେଳେ ମାଆ ବିମଳା ଠାକୁରାଣୀଙ୍କ ପାଖରେ ଲାଗି ହୋଇଯାଏ, ସେତେବେଳେ ଏହା ‘ମହାପ୍ରସାଦ’ ବୋଲି କୁହାଯାଇଥାଏ ।

ଏହି ‘ମହାପ୍ରସାଦ’ ଯେତେବେଳେ ପଞ୍ଚ ପରମେଶ୍ୱରଙ୍କ ଆଗରେ ରହିଥାଏ ସେତେବେଳେ ଏହାକୁ ‘କୈବଲ୍ୟ’ ବୋଲି କୁହାଯାଏ । ‘କୈବଲ୍ୟ’କୁ ଯେତେବେଳେ ଭକ୍ତମାନେ ଖାଆନ୍ତି, ସେତେବେଳେ ଏହା ‘ଅବଢା’ ବୋଲି କୁହାଯାଏ । ‘ଅବଢା’ର ଯେକୌଣସି ଛଡ଼ା ଯାଇଥିବା ଅଂଶକୁ ଶୁଖାଇ ରଖିଲେ ତାହାକୁ ‘ନିର୍ମାଲ୍ୟ’ ବୋଲି କୁହାଯାଏ । ଏହାହିଁ ଶ୍ରୀକ୍ଷେତ୍ରସ୍ଥ ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବୈଚିତ୍ର‌୍ୟତା ।

(ଲେଖକ ଅମିୟ ଭାନୁ ଧଳ ଜଣେ କବି, ସାମ୍ବାଦିକ ତଥା ସ୍ତମ୍ଭକାର । ଲେଖକଙ୍କ ଆଧ୍ୟାତ୍ମିକ ଫିଚରଧମୀ ଅନେକ ଲେଖା ବିଭିନ୍ନ ପତ୍ର ପତ୍ରିକା ଏବଂ ସମ୍ବାଦପତ୍ରରେ ପ୍ରକାଶିତ ।)

Comments are closed.