Latest Odisha News

BREAKING NEWS

ସ୍କୁଲ ରୂପାନ୍ତରଣର ଦ୍ୱିତୀୟ ପର୍ଯ୍ୟାୟର ତୃତୀୟ ଦିନ, ୫ ଟି ଜିଲ୍ଲାର ୪୪୦ ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୫ଟି ଜିଲ୍ଲାର ୪୪୦ଟି ସ୍ମାର୍ଟ ହାଇସ୍କୁଲର ଲୋକାର୍ପଣ କରିଛନ୍ତି । ଏଥିରେ ଥିଲା କେନ୍ଦୁଝର, ସୁନ୍ଦରଗଡ଼, ନୂଆପଡା, ରାୟଗଡ଼ା ଓ ଦେବଗଡ଼ ଜିଲ୍ଲା । କେନ୍ଦୁଝର ଜିଲ୍ଲାର ୧୪୫, ସୁନ୍ଦରଗଡର ୧୮୦, ରାୟଗଡର ୭୦ ଓ ନୂଆପଡାର ୪୫ଟି ହାଇସ୍କୁଲ ଲୋକାର୍ପଣ କରିଥିଲେ ମୁଖ୍ୟମନ୍ତ୍ରୀ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ପିଲାମାନଙ୍କୁ ଗୁରୁତ୍ବପୂର୍ଣ୍ଣ ପରାମର୍ଶ ଦେଇଥିଲେ । ସେ କହିଥିଲେ, ‘ପିଲାମାନେ ଆଜି ତୁମର ଆନନ୍ଦ ଓ ଉତ୍ସାହ ମୁଁ ଅନୁଭବ କରିପାରୁଛି । ତୁମ ସ୍କୁଲ ଆଜି ନୂଆ ରୂପ ନେଇଛି । କେବଳ ନୂଆ ରୂପ ନେଇ ନାହିଁ, ତୁମ ଭିତରେ ନୂଆ ଆଶା ଓ ସଙ୍କଳ୍ପ ସୃଷ୍ଟି କରିଛି । ତୁମମାନଙ୍କ ଏ ଖୁସିରେ ସାମିଲ ହୋଇ ମୁଁ ବି ବହୁତ ଖୁସି । ପ୍ରତ୍ୟେକ ପିଲା ସ୍ବତନ୍ତ୍ର ଏବଂ ତା ଭିତରେ ଭରି ରହିଛି ବିପୁଳ ସମ୍ଭାବନା । ପିଲାଙ୍କ ଆଖିରେ ଥାଏ ସୁନ୍ଦର ଭବିଷ୍ୟତର ସ୍ବପ୍ନ। ଜୀବନରେ କିଛି ବଡ କରିବାର ସ୍ବପ୍ନ। ସ୍କୁଲ ରୂପାନ୍ତର ପିଲାମାନଙ୍କ ଏ ସ୍ବପ୍ନରେ ଡେଣା ଯୋଡି ପାରିଛି । ଏହା ପିଲାମାନଙ୍କ ପାଇଁ ନୂଆ ସୁଯୋଗ ଆଣିଛି ।  ତେଣୁ ଆତ୍ମବିଶ୍ୱାସର ସହ ଆଗକୁ ବଢ ।’

ସେ ଆଗକୁ କହିଥିଲେ, ‘ସ୍କୁଲ ହେଉଛି ଶ୍ରେଷ୍ଠ ସମୟ । ଏ ରୂପାନ୍ତର ତୁମମାନଙ୍କୁ ଶ୍ରେଷ୍ଠ କରି ଗଢିବା ପାଇଁ ସୁଯୋଗ ସୃଷ୍ଟି କରିଛି । ଗତବର୍ଷ ଅଗଷ୍ଟରେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ୧ ହଜାର ୭୦ଟି ହାଇସ୍କୁଲର ରୂପାନ୍ତର ହୋଇଥିଲା । ଦ୍ବିତୀୟ ପର୍ଯ୍ୟାୟ ରୂପାନ୍ତର ହୋଇଛି । ଏଥିରେ ୨୯୬୦ ସ୍କୁଲରେ ରୂପାନ୍ତର କାମ ଶେଷ ହେଲା । ମୁଁ ବହୁତ ଖୁସି ଯେ, ଆଜି କେନ୍ଦୁଝର, ସୁନ୍ଦରଗଡ଼, ନୂଆପଡା ଓ ରାୟଗଡ଼ା ଜିଲ୍ଲାର ୪୪୦ ସ୍କୁଲର ରୂପାନ୍ତର ହେଲା । ଏ ସ୍କୁଲ ଗୁଡିକ 5-T କାର୍ଯ୍ୟକ୍ରମର ଉଦାହରଣ ।’

ସେହିପରି ଟିମଓ୍ବାର୍କରେ ପଞ୍ଚାୟତ ପ୍ରତିନିଧି, ସ୍କୁଲ ପରିଚାଳନା କମିଟି, ଶିକ୍ଷକ, ପୁରାତନ ଛାତ୍ର ଓ ପ୍ରଶାସନ ଆଦି  ସମସ୍ତେ ମିଳିମିଶି ଏ ରୂପାନ୍ତର କାମରେ ସାମିଲ ହୋଇଛନ୍ତି । ସେହିପରି ଟାଇମ ବା ସମୟକୁ ଗୁରୁତ୍ବ ଦିଆଯାଇ ଧାର୍ଯ୍ୟ ଲକ୍ଷ୍ୟ ଅନୁସାରେ ଠିକ୍‌ ସମୟରେ କାର୍ଯ୍ୟ ଶେଷ ହୋଇଛି ।

ରୂପାନ୍ତର ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ସ୍କୁଲ ମ୍ୟାନେଜମେଣ୍ଟ କମିଟି, ପଞ୍ଚାୟତ ପ୍ରତିନିଧି, ପୁରାତନ ଛାତ୍ର ସଂସଦ, ଶିକ୍ଷକ ଶିକ୍ଷୟତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ । ଶିକ୍ଷା ଜୀବନରେ ସବୁଠାରୁ ବଡ ରୂପାନ୍ତର ଆଣିଥାଏ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ, ’ ଜୀବନର ଏ ଗୁରୁତ୍ବପୂର୍ଣ୍ଣ ସମୟକୁ ଠିକ୍‌ ଭାବରେ ଉପଯୋଗ କର ଏବଂ ନିଜ ପାଇଁ, ନିଜ ପରିବାର ପାଇଁ ଓ ପ୍ରିୟ ଓଡିଶା ପାଇଁ ନୂଆ ପରିଚୟ ସୃଷ୍ଟି କର ।’

 

Leave A Reply

Your email address will not be published.