Latest Odisha News

BREAKING NEWS

ଆଜି ଆକାଶମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳ ଅନୁଧ୍ୟାନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ତିତଲି ଯୋଗୁଁ ରାଜ୍ୟର ଅଧିକ ପ୍ରଭାବିତ ଜିଲ୍ଲା ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲ୍ଲା ଆଜି ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ତିନୋଟି ଜିଲ୍ଲାରେ ଆକାଶମାର୍ଗରୁ ହେଲିକପ୍ଟର ଯୋଗେ ବାତ୍ୟା ଓ ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକରେ ପରିସ୍ଥିତି ଅନୁଧ୍ୟାନ କରିବେ । ଶନିବାର ଦିନ ୧୧ଟା ସମୟରେ ଏହି ତିନୋଟି ଜିଲ୍ଲାକୁ ପ୍ରଦକ୍ଷିଣ କରି ସ୍ଥିତି ପରଖିବେ ମୁଖ୍ୟମନ୍ତ୍ରୀ ।

ରାଜ୍ୟ ସଚିବାଳୟଠାରେ ଶୁକ୍ରବାର ଦିନ ଏକ ମନ୍ତ୍ରୀସ୍ତରୀୟ କମିଟି ଗଠନ କରି ବନ୍ୟା ଓ ବାତ୍ୟା ପ୍ରଭାବିତ ଜିଲ୍ଲା ମାନଙ୍କରେ ପରିସ୍ଥିତି ଅନୁଧ୍ୟାନ କରି ରିଲିଫ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହିତ ପ୍ରଭାବିତ ଜିଲ୍ଲାମାନଙ୍କର ଜିଲ୍ଲାପାଳମାନଙ୍କୁ ପ୍ରଭାବିତ ଅଞ୍ଚଳରେ ଆଗାମୀ ୭ ଦିନ ଲାଗି ରନ୍ଧାଖାଦ୍ୟ ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ।

ଏନେଇ ମୁଖ୍ୟମନ୍ତ୍ରୀ ଏକ ତିନିଜଣିଆ ମନ୍ତ୍ରୀ ସ୍ତରୀୟ କମିଟି ଗଠନ କରିଛନ୍ତି । ଏହି କମିଟିରେ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି, ଜଳ ଉତ୍ସ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଏବଂ ଶକ୍ତିିମନ୍ତ୍ରୀ ସୁଶାନ୍ତ ସିଂହ ରହିଛନ୍ତି ।

ମୁଖ୍ୟମନ୍ତ୍ରୀ ଏହି କମିଟିକୁ ତିତଲି ବାତ୍ୟା ପ୍ରଭାବିତ ଜିଲ୍ଲା ଗଞ୍ଜାମ, ଗଜପତି ଓ ରାୟଗଡ଼ା ପରିଦର୍ଶନ କରିବା ସହିିତ ପରିସ୍ଥିତିକୁ ଅନୁଧ୍ୟାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ରାଜ୍ୟ ସଚିବାଳୟଠାରେ ଅନୁଷ୍ଠିତ ହୋଇଥିବା ଏହି ମନ୍ତ୍ରୀ ସ୍ତରୀୟ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ଭିଡ଼ିଓ କନଫରେନ୍ସିଂ ଜରିଆରେ ସମସ୍ତ ପ୍ରଭାବିତ ଜିଲ୍ଲାଗୁଡ଼ିକର ଜିଲ୍ଲାପାଳଙ୍କୁ ଆଗାମୀ ୭ଦିନ ପର୍ଯ୍ୟନ୍ତ ମାଗଣାରେ ରନ୍ଧାଖାଦ୍ୟ ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସେ ମଧ୍ୟ ଏହି ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତ ବାତ୍ୟା ପ୍ରପୀଡ଼ିତ ଲୋକମାନଙ୍କୁ ମାଗଣାରେ ରନ୍ଧାଖାଦ୍ୟ ଯୋଗାଇଦେବାର ବ୍ୟବସ୍ଥା କରିବା ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ସ୍ଥାନରେ ପ୍ରଶାସନର ସହାୟତାରେ ମରାମତି କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ କହିଛନ୍ତି । ପ୍ରଭାବିତ ଅଞ୍ଚଳମାନଙ୍କରେ ହେଲଥ କ୍ୟାମ୍ପ କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।


ବାତ୍ୟା ପ୍ରଭାବିତ ଅଞ୍ଚଳରେ ହୋଇଥିବା କ୍ଷୟକ୍ଷତିର ଆକଳନ ସହିତ ଫସଲ କ୍ଷୟକ୍ଷତି ଏବଂ ପଶୁସମ୍ପଦ କ୍ଷତି ସମ୍ପର୍କରେ ଏକ ସପ୍ତାହ ମଧ୍ୟରେ ଆକଳନ କରିବାକୁ ସ୍ୱତନ୍ତ୍ର ରିଲିଫ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଗଣମାଧ୍ୟମକୁ ସୂଚନା ଦେଇ ରାଜ୍ୟ ସରକାରଙ୍କ ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢୀ ଶୁକ୍ରବାର ଦିନ କହିଛନ୍ତି, ସାମୁଦ୍ରିକ ବାତ୍ୟା ତିତଲି ପ୍ରଭାବରେ ଅନେକ ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି । ରାଜ୍ୟର ଆର. ଉଦୟଗିରି, କନ୍ଧମାଳର କଣ୍ଟାପଡ଼ାଠାରେ ୩୦୦ ମିଲିମିଟରରୁ ଅଧିକ ବର୍ଷା ରେକର୍ଡ଼ କରାଯାଇଛି । ପ୍ରବଳ ବର୍ଷାଯୋଗୁଁ ଗଞ୍ଜାମ ଜିଲ୍ଲାର ଆସ୍କା ଓ ପୁରୁଷୋତ୍ତମପୁର ବ୍ଳକରେ ବନ୍ୟା ପରିସ୍ଥିତି ଉପୁଜିଛି । ତୁରନ୍ତ ରିଲିଫ ଓ ଉଦ୍ଧାରକାର୍ଯ୍ୟ ଲାଗି ୧୪ଟି ଏନଡ଼ିଆରଏଫ ଏବଂ ୧୨ଟି ଓଡ୍ରାଫ ଟିମ ଗଞ୍ଜାମ, ଗଜପତି ଏବଂ ରାୟଗଡ଼ା ଜିଲ୍ଲାରେ ମୁତୟନ କରାଯାଇଛି ।

ସେ ସୂଚନାଦେଇ ଆହୁରି ମଧ୍ୟ କହିଛନ୍ତି ହେଲିକପ୍ଟର ମାଧ୍ୟମରେ ପୀଡ଼ିତ ଲୋକଙ୍କୁ ଉଦ୍ଧାର କରାଯିବା ସହିତ ରିଲିଫ ସାମଗ୍ରୀ ବଣ୍ଟନ କରାଯିବାର ବ୍ୟବସ୍ଥା କରାଯାଇଛି ।

ଏହାଛଡ଼ା ଯେଉଁସବୁ ପ୍ରଭାବିତ ଅଞ୍ଚଳରେ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇପଡ଼ିଛି, ଆଗାମୀ ୨ରୁ ୩ ଦିନ ମଧ୍ୟରେ ମରାମତି କାର୍ଯ୍ୟ ଶେଷ କରାଯିବାକୁ ନିର୍ଦ୍ଦେଶ ଦେଇଥିବା କହିଛନ୍ତି ।

ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟ ସଚିବ କହିଛନ୍ତି ବାତ୍ୟା ସମୟରେ ଓଡ୍ରାଫ ଟିମ ଓ ଏନଡ଼ିଆରଏଫ ସାହାଯ୍ୟରେ ଗୁଣପୁର ଓ ନବରଙ୍ଗପୁର ଜିଲ୍ଲାରେ ୮ଜଣ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇପାରିଛି । ଏହାଛଡ଼ା ସମୁଦ୍ର ମଧ୍ୟରେ ଫଶିଯାଇଥିବା ମତ୍ସ୍ୟଜୀବୀମାନଙ୍କୁ ଗୋପାଳପୁର ତଟରେ ଉଦ୍ଧାର କରିଥିବା କଥା ଉଲ୍ଲେଖ କରିଛନ୍ତି ।

Leave A Reply

Your email address will not be published.