ଭୁବନେଶ୍ୱର: ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇଯାଇଛି। ଚଳିତ ବର୍ଷ ଜୁଲାଇ ୧୬ ତାରିଖରୁ ମହାପ୍ରଭୁଙ୍କ ଏହି ଭବ୍ୟ ଘୋଷଯାତ୍ରା ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଏହାକୁ ଶୃଙ୍ଖଳିତ, ସୁରକ୍ଷିତ ଏବଂ କୌଣସି ଆହତ ନହେବେ ସେଥିପାଇଁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି।
ଗତବର୍ଷ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଘଟିଥିବା ଅଭାବନୀୟ ଭିଡ଼ ସ୍ଥିତିକୁ ଦୃଷ୍ଟିରେ ରଖି ଏଥର ପ୍ରଶାସନ ପକ୍ଷରୁ ବ୍ୟାପକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି କ୍ରମରେ ଶୃଙ୍ଖଳିତ ଯାତ୍ରା ପରିଚାଳନା ପାଇଁ ରାଜ୍ୟ ସରକାର ଜଣେ କି ଦୁଇ ଜଣ ନୁହେଁ, ବରଂ ଏକାଥରକେ ୧୩ ଜଣ ବରିଷ୍ଠ ଓଏଏସ ଅଧିକାରୀଙ୍କୁ ପୁରୀରେ ସ୍ୱତନ୍ତ୍ର କାର୍ଯ୍ୟାଧିକାରୀ ଭାବେ ମୁତୟନ କରିଛନ୍ତି। ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଜାରି କରାଯାଇଥିବା ସରକାରୀ ନିର୍ଦ୍ଦେଶନାମା ଅନୁଯାୟୀ, ଏହି ସ୍ୱତନ୍ତ୍ର ଅଧିକାରୀମାନେ ଜୁନ୍ ୨୫ ତାରିଖରୁ ଜୁଲାଇ ୨୭ ତାରିଖ ପର୍ଯ୍ୟନ୍ତ ପୁରୀ ଜିଲ୍ଲା ପ୍ରଶାସନକୁ ରଥଯାତ୍ରାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ସହାୟତା ପ୍ରଦାନ କରିବେ। ସମସ୍ତ ଅଧିକାରୀଙ୍କୁ ତୁରନ୍ତ ନିଜ ନିଜ ନିୟନ୍ତ୍ରଣକାରୀ ସଂସ୍ଥାରୁ ମୁକ୍ତ ହୋଇ ଜୁନ୍ ୨୫ ତାରିଖ ସୁଦ୍ଧା ପୁରୀ ଜିଲ୍ଲାପାଳଙ୍କ ନିକଟରେ ରିପୋର୍ଟ କରିବାକୁ କୁହାଯାଇଛି।
ଏହି ବରିଷ୍ଠ ଟିମ୍ରେ କ୍ରୀଡ଼ା, ଅବକାରୀ, ପର୍ଯ୍ୟଟନ ଏବଂ ଗୃହ ନିର୍ମାଣ ଭଳି ପ୍ରମୁଖ ବିଭାଗର ଅତିରିକ୍ତ ଓ ଯୁଗ୍ମ ସଚିବ ସ୍ତରୀୟ ଅଧିକାରୀମାନେ ସାମିଲ ଅଛନ୍ତି।ଏଥର ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ କେବଳ ପ୍ରଶାସନିକ ସ୍ତରରେ ନୁହେଁ, ବରଂ ସୁରକ୍ଷା ବ୍ୟବସ୍ଥାରେ ମଧ୍ୟ ବଡ଼ ପରିବର୍ତ୍ତନ କରାଯାଇଛି। ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସୂଚନା ଅନୁଯାୟୀ, ରଥଯାତ୍ରା ପାଇଁ ପ୍ରାୟ ୧୦ ହଜାରୁ ଅଧିକ ପୋଲିସ କର୍ମଚାରୀ (୨୨୦ ପ୍ଲାଟୁନ ଫୋର୍ସ) ନିୟୋଜିତ ହେବେ।
ସେମାନଙ୍କ ସହ ଏନଏସଜି କମାଣ୍ଡୋ ଏବଂ ସ୍ୱତନ୍ତ୍ର ଟାକ୍ଟିକାଲ ୟୁନିଟ୍ ମଧ୍ୟ ଆକାଶ ମାର୍ଗରୁ ଭୂମି ପର୍ଯ୍ୟନ୍ତ ନଜର ରଖିବେ। ସମଗ୍ର ପୁରୀ ସହର ଏବଂ ବଡ଼ଦାଣ୍ଡକୁ ସୁରକ୍ଷିତ ରଖିବା ପାଇଁ ୪୭୫ଟି ଅତ୍ୟାଧୁନିକ ସିସିଟିଭି କ୍ୟାମେରା ଖଞ୍ଜାଯାଉଛି, ଯାହା ମାଧ୍ୟମରେ କଣ୍ଟ୍ରୋଲ ରୁମରୁ ସିଧାସଳଖ ନଜର ରଖାଯିବ।ମହାପ୍ରଭୁଙ୍କ ଏହି ମେଗା ଇଭେଣ୍ଟରେ ସ୍ୱାସ୍ଥ୍ୟ ଏବଂ ପରିବହନ ସେବାକୁ ମଧ୍ୟ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଇଛି।
ଜରୁରୀକାଳୀନ ସ୍ଥିତିରେ ଆମ୍ବୁଲାନ୍ସ ଚଳାଚଳ ପାଇଁ ବଡ଼ଦାଣ୍ଡରେ ଏକ ସ୍ୱତନ୍ତ୍ର ‘ଗ୍ରୀନ କରିଡର’ର ବ୍ୟବସ୍ଥା କରାଯାଉଛି। ଭକ୍ତମାନଙ୍କ ଭିଡ଼ କମାଇବା ପାଇଁ ବଡ଼ଦାଣ୍ଡରେ ୨୮ଟି ଜରୁରୀକାଳୀନ ପ୍ରସ୍ଥାନ ଦ୍ୱାର ନିର୍ମାଣ କରାଯିବ।
ଏଥିସହ ରେଳବାଇ ପକ୍ଷରୁ ପ୍ରାୟ ୩୭୦ଟି ସ୍ୱତନ୍ତ୍ର ଟ୍ରେନ ସମେତ ମୋଟ ୧,୨୦୦ ଟ୍ରେନ ଚଳାଚଳ କରିବାର ଯୋଜନା ରହିଛି। ପୁରୀ ଇତିହାସରେ ପ୍ରଥମ କରି ପାର୍କିଂ ସ୍ଥଳଗୁଡ଼ିକର ସଠିକ୍ ପରିଚାଳନା ପାଇଁ ପ୍ରାୟ ୩୫୦ ଜଣ ଘରୋଇ ସୁରକ୍ଷା କର୍ମୀଙ୍କୁ ମଧ୍ୟ ନିୟୋଜିତ କରାଯିବ। ବର୍ତ୍ତମାନ ରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ, ପ୍ରଶାସନିକ ଟିମ୍ ମୁତୟନ ହେବା ପରେ ପ୍ରସ୍ତୁତି ଆହୁରି ଜୋରଦାର ହୋଇଛି।
