ଓଡିଶା ପରିବେଶ କଂଗ୍ରେସର ସୁପାରିଶ: ନୂଆ ଖଣି ନିଷେଧ ହେଉ, ପରିବେଶକୁ ପ୍ରଭାବିତ କରୁଥିବା ଶିଳ୍ପ ଉପରେ କଟକଣା ଲାଗୁ

ଭୁବନେଶ୍ୱର: ଖଣି ଆଦିବାସୀଙ୍କୁ ଗରିବରୁ ଆହୁରି ଗରିବ କରିଛି । ସେମାନଙ୍କ ଉପାର୍ଜନ ଓ ଜୀବିକାରେ ବାଧା ସୃଷ୍ଟି କରିଛି । ଜଳ ଓ ବାୟୁ ପ୍ରଦୂଷଣ ହେବା ଯୋଗୁ ସେମାନେ ରୋଗାକ୍ରାନ୍ତ ହୋଇଛନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ ଭଳି ମୌଳିକ ସୁବିଧା ପାଇବାରୁ ବଂଚିତ ହୋଇଛନ୍ତି । ସର୍ବୋପରି ସେମାନଙ୍କ ବଂଚିବାର ଅଧିକାର ଛଡେଇ ନେଇଛି ଖଣି । ଆଉ ଯେତେବେଳେ ଯିଏ ସରକାରକୁ ଆସିଛନ୍ତି, ସେମାନେ କର୍ପୋରେଟ ସ୍ୱାର୍ଥ ପାଇଁ କାମ କରୁଥିବାରୁ ଆଦିବାସୀଙ୍କ ସ୍ୱାର୍ଥ ବଳି ପଡିଛି । କେନ୍ଦୁଝର, ତାଳଚେର, କୋରାପୁଟ, ରାୟଗଡା, ସୁନ୍ଦରଗଡ, ମୟୁରଭଂଜ, କଳିଙ୍ଗନଗର ପ୍ରଭୃତି ଖଣି ଅଂଚଳରୁ ଆସିଥିବା ସ୍ୱେଚ୍ଛାସେବୀମାନେ ଆଜି ଏମିତି ଭାଷାରେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି ।

ଓଡିଶା ପରିବେଶ କଂଗ୍ରେସର ତୃତୀୟ ତଥା ଅନ୍ତିମ ଦିବସରେ ଖଣି ଓ ପରିବେଶକୁ ନେଇ ପ୍ରଭାବିତ ଲୋକଙ୍କ ସ୍ୱର ବେଶ୍ ତୀବ୍ର ଓ ଶାଣିତ ଥିଲା । ଏହି ପରିପ୍ରେକ୍ଷୀରେ ତିନିଦିନ ବ୍ୟାପୀ ଚାଲିଥିବା ପରିବେଶ କଂଗ୍ରେସ ପରିବେଶ ସୁରକ୍ଷା ପାଇଁ ଆଉ ନୂଆ ଖଣିକୁ ଅନୁମତି ନ ଦେବା, ଆମ ବିକାଶ ଖଣି ଆଧାରିତ ନ ହୋଇ ବିକାଶର ଏକ ଛୋଟ ଅଂଶ ଭାବେ ବିବେଚନା କରିବା ଏବଂ ପଂଚାୟତ ଓ ବ୍ଲକସ୍ତରୀୟ ଅନୁଧ୍ୟାନ କମିଟି ଗଠନ କରିବାକୁ ସୁପାରିଶ କରିଛି ।

ଅନ୍ୟ ପ୍ରମୁଖ ସୁପାରିଶ ମଧ୍ୟରେ ରହିଛି, ପରିବେଶକୁ ମୌଳିକ ଅଧିକାର ଭାବେ ଗୁରୁତ୍ୱ ଦେବା, ଖଣି ଅଂଚଳରେ ସରକାରୀ ନିୟମ କଡାକଡି ଭାବେ କାର୍ଯ୍ୟକାରୀ କରିବା, ପରିବେଶ ସୁରକ୍ଷା ପାଇଁ ଉଦ୍ଧିଷ୍ଟ ପାଣ୍ଠିର ସଦବିନିଯୋଗ କରିବା ଉପରେ ଗୁରୁତ୍ୱ ଦିଆଯାଇଛି ।
ପ୍ରଫେସର ମନୋରଂଜନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୂର୍ବାହ୍ନ ଅଧିବେସନରେ ପରିବେଶବିତ୍ ତଥା ବରିଷ୍ଠ ସାମ୍ବାଦିକ ରବି ଦାସ, ପ୍ରଫେସର ସୁଧୀର ରାଉତ, କମ୍ୟୁନିଷ୍ଟ ନେତା ସୁରେଶ ପାଣିଗ୍ରାହୀ, ପୂର୍ବତନ ବରିଷ୍ଠ ପ୍ରଶାସକ ଅରବିନ୍ଦ ବେହେରା, ସିଓାଇଏସଡିର ଜଗଦାନନ୍ଦ, ଡାକ୍ତର ସେବା ମହାପାତ୍ର, ସାମ୍ବାଦିକ ସତ୍ୟପ୍ରକାଶ ନାଏକ, ଡକ୍ଟର ତତ୍ୱମାସୀ ପାଲଟାସିଂ ପ୍ରମୁଖ ଖଣି ଅଂଚଳରେ ସ୍ଥାନୀୟ ବାସିନ୍ଦା କିଭଳି ଭୟଙ୍କର ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତାହା ବର୍ଣ୍ଣନା କରିଥିଲେ । ଅବସରପ୍ରାପ୍ତ ଆଇଏଏସ ଅରବିନ୍ଦ ବେହେରା କହିଥିଲେ, ଖଣି ମାଲିକ ବ୍ୟବସାୟ କରନ୍ତୁ, ମାତ୍ର ପରିବେଶ ଦୂଷିତ ହେବା ଭଳି ବ୍ୟବସାୟ କରିବା ଉଚିତ ନୁହେଁ । ଯେଉଁଠି ଅଧିକ ମାତ୍ରାରେ ପରିବେଶ ପ୍ରଭାବିତ ହେବାର ଆଶଙ୍କା କରାଯାଉଛି, ସେଠି ଆଦୌ ଖଣି ପାଇଁ ଅନୁମତି ଦେବା ଠିକ୍ ନୁହେଁ । ପରିବେଶ ଉପରେ ସୀମିତ ପ୍ରଭାବ ଆକଳନ କରି ଖଣି ପାଇଁ ଅନୁମତି ଦିଆଯାଉ ଏବଂ ଖଣି ଦ୍ୱାରା ପରିବେଶର ଯାହା କ୍ଷତି ହେବ, ତାହାର ଭରଣା ସଂପୃକ୍ତ ଖଣି କଂପାନୀ କରିବା ଆବଶ୍ୟକ ବୋଲି ଶ୍ରୀ ବେହେରା କହିଥିଲେ ।

ପ୍ରଫେସର ସୁଧୀର ରାଉତ କହିଲେ, କାହା ଉପରେ ନିର୍ଭର ନକରି ଆମ ସମସ୍ତଙ୍କୁ ପରିବେଶ ପାଇଁ ପଦକ୍ଷେପ ନେବା ଉଚିତ । ଯେତେବେଳେ ଯିଏ ସରକାରକୁ ଆସୁଛି, ବିକାଶ ନାଁରେ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି । ଧନୀକ ବର୍ଗଙ୍କ ବର୍ଜ୍ୟବସ୍ତୁ ପାଇଁ ଆମ ସମସ୍ତଙ୍କୁ ପରିଣାମ ଭୋଗ କରିବାକୁ ପଡୁଛି । ଆଉ ଯେଉଁ ହାରରେ ପରିବେଶ ପ୍ରଭାବିତ ହେଉଛି, ତାହା ଦ୍ୱାରା ଭବିଷ୍ୟତ ପୀଢି ପାଇଁ ବିଶ୍ୱ ଧ୍ୱଂସ ଆଡକୁ ଯାଉଛି । ପ୍ରକୃତିକୁ ବଂଚାଇବାକୁ ହେଲେ ଆମକୁ ନିଜକୁ କିଛି କରିବାକୁ ପଡିବ ।

ଖଣି ଅଂଚଳରୁ ଆସିଥିବା ବିଭିନ୍ନ ସଂଗଠନର କାର୍ଯ୍ୟକର୍ତା ଓ ସ୍ୱେଚ୍ଛାସେବୀମାନେ ଖୋଲା ଅଧିବେସନରେ ବିଭିନ୍ନ ପ୍ରଶ୍ନ ଉତଥାପନ କରିଥିଲେ । ପରିବେଶ ସୁରକ୍ଷା ପାଇଁ ସରକାର ବିଭିନ୍ନ ଆଇନକାନୁନ ପ୍ରଣୟନ କରିଥିଲେ ହେଁ ବାସ୍ତବିକ ତାହା କାର୍ଯ୍ୟକାରୀ ହେଉ ନଥିବାରୁ ଏଭଳି ସମସ୍ୟା ସୃଷ୍ଟି ହେଉଛି ବୋଲି କହିଥିଲେ । ଖଣି ହେଉ ଅଥବା ଅନ୍ୟ କୌଣସି ଶିଳ୍ପ, ପଲ୍ଲୀସଭାର ମତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ ହୋଇଥିଲେ ହେଁ ଅନେକ ସମୟରେ ପଲ୍ଲୀସଭା ପ୍ରଭାବିତ କରାଯାଉଥିବା ନେଇ ମତ ପ୍ରକାଶ ପାଇଥିଲା । ଶିଳ୍ପ ଦ୍ୱାରା ପରିବେଶ କିଭଳି ପ୍ରଭାବିତ ନହେବ, ସେଥିପାଇଁ ସରକାର ପଦକ୍ଷେପ ନେବା ଆବଶ୍ୟକ । ଯେଉଁ ଶିଳ୍ପ ପରିବେଶକୁ ପ୍ରଭାବିତ କରିବ, ସେମିତି ଶିଳ୍ପକୁ ଅନୁମତି ଦେବା ଉଚିତ ନୁହେଁ ବୋଲି ମତ ପ୍ରକାଶ ପାଇଥିଲା । ଶ୍ରୀ ଡି. କେ. ରୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ଅଧିବେସନରେ କୋରାପୁଟ ସାଂସଦ ଶ୍ରୀ ସପ୍ତଗିରି ଉଲାକା, ନିର୍ବାଚନ ଆୟୋଗଙ୍କ ପୂର୍ବତନ ପରାମର୍ଶଦାତା ଶ୍ରୀ ଭଗବାନ ପ୍ରକାଶ, ପରିବେଶବିତ୍ ପ୍ରଫେସର ରାଧାମୋହନ ପ୍ରମୁଖ ଯୋଗ ଦେଇଥିଲେ ।

ପରିବେଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଡକ୍ଟର ହରପ୍ରିୟା ମିଶ୍ରଙ୍କୁ ଯୁବ ବୈଜ୍ଞାନିକ ପୁରସ୍କାର, ବ୍ରହ୍ମପୁରର ଡକ୍ଟର ସୁଧୀର କୁମାର ରାଉତଙ୍କୁ ଗ୍ରୀନ ଆମ୍ବାସାଡର ପୁରସ୍କାର, ଏସ.ବି. ମିଶ୍ରଙ୍କୁ ଗ୍ରୀନ କର୍ପୋରେଟ ପୁରସ୍କାର ପ୍ରଦାନ କରାଯାଇଥିଲା । ପରିବେଶ ସଂପର୍କିତ ପ୍ରବନ୍ଧ, ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ୨୦୨୦ରେ ଓଡିଶା ପରିବେଶ କଂଗ୍ରେସର ଥିମ୍ ‘ପରିବେଶ ଓ ଜୈବ ବିବିଧତା’ ରଖିବାକୁ ସ୍ଥିର କରାଯାଇଛି । ପରିବେଶ କଂଗ୍ରେସର ସଫଳତା ପାଇଁ ଓଇସିର ସଂଗଠନ ସଂପାଦକ ସୁଦର୍ଶନ ଦାସ ଧନ୍ୟବାଦ ଜ୍ଞାପନ କରିଥିଲେ ।