Latest Odisha News

BREAKING NEWS

୩.୭୦ କୋଟି ଟଙ୍କା ଠକେଇ ମାମଲା: ଆଇଡିବିଆଇ ବ୍ୟାଙ୍କ ପୂର୍ବତନ ମ୍ୟାନେଜର ଗିରଫ

ଭୁବନେଶ୍ୱର: ୩କୋଟି ୭୦ଲକ୍ଷ ଟଙ୍କାର ମୁଦ୍ରାଋଣ ଠକେଇ ମାମଲାରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ପୁରୀ ଜିଲ୍ଲା ପିପିଲି ଦାଣ୍ଡମୁକୁନ୍ଦପୁରସ୍ଥିତ ଆଇଡିବିଆଇ ବ୍ୟାଙ୍କ ଶାଖାର ପୂର୍ବତନ ମ୍ୟାନେଜର ସରୋଜ କାନ୍ତ ମହାପାତ୍ର ଏବଂ ତାଙ୍କ ସହଯୋଗୀ ଏଞ୍ଜେଲ ମିଶ୍ରଙ୍କୁ ଗିରଫ କରିଛି।

ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ସରୋଜ କାନ୍ତ ମହାପାତ୍ରଙ୍କୁ ମାର୍ଚ୍ଚ ୯ ରେ କଟକରୁ ଗିରଫ କରାଯାଇଥିବା ବେଳେ ଏଞ୍ଜେଲ ମିଶ୍ରଙ୍କୁ ମାର୍ଚ୍ଚ ୧୦ ରେ ପୁରୀରୁ ଗିରଫ କରାଯାଇଛି। ଆଇଡିବିଆଇ ଦାଣ୍ଡମୁକୁନ୍ଦପୁର ଶାଖାର ସହକାରୀ ପରିଚାଳକ ତନ୍ମୟ କୁମାର ମହାରଣା ଗିରଫ ହେବାର ୩ ଦିନ ପରେ ଏହା ଘଟିଛି।

ଆଇଡିବିଆଇ ବ୍ୟାଙ୍କ ଭୁବନେଶ୍ୱରର ଜେନେରାଲ ମ୍ୟାନେଜର ସନ୍ଦୀପ ପଟ୍ଟନାୟକଙ୍କ ଏତଲାକୁ ଆଧାରକରି ଫେବୃଆରୀ ୨୯ରେ ଇଓଡବ୍ଲ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ୨୦୧୮ରେ ଆସେଟ୍‌ ଅଫିସର ଥିବା ତନ୍ମୟ କୁମାର ମହାରଣା ଓ ସରୋଜକାନ୍ତ ମହାପାତ୍ର ଆପରାଧିକ ଷଡ଼ଯନ୍ତ୍ର କରି ଉକ୍ତ ଶାଖାରେ ଥିବା ପିପିଲି ବିଡିଓଙ୍କ ସରକାରୀ ଆକାଉଣ୍ଟରୁ ୩.୭୦ କୋଟି ଟଙ୍କାର ୩୫ଟି ମୁଦ୍ରା ଲୋନ୍‌ କରି ହଡ଼ପ କରିଥିଲେ ବୋଲି ଅଭିଯୋଗ ହୋଇଛି।

ଇଓଡବ୍ଲ୍ୟୁ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଉକ୍ତ ଶାଖାରେ ଥିବା ପିପିଲି ବିଡିଓଙ୍କ ଦୁଇ ବ୍ୟାଙ୍କ ଆକାଉଣ୍ଟରେ ୨୦୧୮ରେ ସରକାରଙ୍କ ପକ୍ଷରୁ ୩.୭୦ କୋଟି ଟଙ୍କା ଜମା କରାଯାଇଥିଲା। ବିଡିଓ ଏହି ଟଙ୍କାକୁ ଫେକ୍ସି ଫିକ୍ସଡ୍‌ ଡିପୋଜିଟ୍‌ (ଏଫ୍‌ଏଫ୍‌ଡି) କରିଦେବାକୁ କହିଥିଲେ। ହେଲେ ଅଧିକାରୀ ଦ୍ୱୟ ଉକ୍ତ ଟଙ୍କାକୁ ତାଙ୍କ ସମ୍ପର୍କୀୟଙ୍କ ନାଁରେ ୧୦ ଲକ୍ଷ ଟଙ୍କା ଲେଖାଏ ୩୫ଟି ମୁଦ୍ରା ଲୋନ୍‌ କରି ନେଇଯାଇଯାଇଥିଲେ। ୨୦୨୨ରେ ବିଡିଓ ଏହି ଏଫ୍‌ଏଫ୍‌ଡିର ତଥ୍ୟ ମାଗିଥିଲେ ବି ତାଙ୍କୁ ଦିଆଯାଇ ନ ଥିଲା। ପରେ ବ୍ୟାଙ୍କ ପକ୍ଷରୁ ତଦନ୍ତ କରାଯିବାରୁ ଦୁଇ ଅଧିକାରୀଙ୍କ ଠକେଇ ଷଡ଼ଯନ୍ତ୍ର ଜଣାପଡ଼ିଥିଲା। ପରେ ସରୋଜ ଓ ତନ୍ମୟଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି।

Leave A Reply

Your email address will not be published.