Latest Odisha News

BREAKING NEWS

ବାହୁଡା ଯାତ୍ରାରେ ଭକ୍ତଙ୍କ ମୃତ୍ୟୁ; ଅତୀତରୁ ସରକାର କିଛି ଶିଖୁନଥିବା ଅଭିଯୋଗ କଲେ ନବୀନ…

ଭୁବନେଶ୍ୱର: ପୁରୀରେ ମହାପ୍ରଭୁଙ୍କ ବାହୁଡା ଯାତ୍ରା ସମୟରେ ଜଣେ ଭକ୍ତଙ୍କ ମୃତ୍ୟୁ ପରେ ଶନିବାର ବିଜୁ ଜନତା ଦଳ (ବିଜେଡି) ସଭାପତି ନବୀନ ପଟ୍ଟନାୟକ ଓଡ଼ିଶା ସରକାରଙ୍କ ଉପରେ ବର୍ଷିଛନ୍ତି। ସରକାର ଅତୀତର ଭୁଲରୁ ଶିକ୍ଷା ନେଉନଥିବା ଅଭିଯୋଗ ଆଣିଛନ୍ତି।

ସେ ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ କରି କହିଛନ୍ତି ଯେ, ମହାପ୍ରଭୁଙ୍କ ବାହୁଡା଼ ଯାତ୍ରାରେ ଦଳାଚକଟା ଯୋଗୁଁ ଜଣେ ଶ୍ରଦ୍ଧାଳୁଙ୍କ ପ୍ରାଣହାନୀ ଓ ଅନେକ ଆହତ ହୋଇଥିବା ବିଷୟ ଜାଣି ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ। ମୃତକଙ୍କ ପରିବାର ସଦସ୍ୟଙ୍କୁ ଗଭୀର ସମବେଦନା ଜଣାଇବା ସହ ଆହତଙ୍କ ଆଶୁଆରୋଗ୍ୟ କାମନା କରୁଛି।

ହେଲେ ରଥଯାତ୍ରା ସମୟରେ ବାରମ୍ବାର ଏଭଳି ଅଘଟଣ ଘଟୁଛି କଣ ପାଇଁ? ସରକାର ଏତେ ଖାମଖିଆଲି ଭାବେ କଣ ପାଇଁ କାମ କରୁଛନ୍ତି? ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରାକୁ ସୁରୁଖୁରୁରେ ସମାପନ କରିବାକୁ ସରକାର ଆଦୌ ଗୁରୁତ୍ୱର ସହ ଗ୍ରହଣ ନକରିବା ଅତ୍ୟନ୍ତ ଚିନ୍ତାଜନକ।

ଅନୁଭବ ହେଉଛି ଅତୀତର ତ୍ରୁଟିରୁ ଶିଖିବାର ମନୋବୃତ୍ତି ଏହି ସରକାରର ନାହିଁ। ଗୋଟିଏ ପରେ ଗୋଟିଏ ଅଘଟଣ ପ୍ରତିବର୍ଷ ରଥଯାତ୍ରା ସମୟରେ ଘଟୁଛି। ଲୋକଙ୍କ ଜୀବନ ଯାଉଛି, ରାଜ୍ୟ ବଦନାମ ହେଉଛି କିନ୍ତୁ ସରକାରଙ୍କ କାର୍ଯ୍ୟଶୈଳୀରେ କୌଣସି ପରିବର୍ତ୍ତନ ଦେଖାଯାଉନାହିଁ। ଭୁଲରୁ ଶିଖିବା ପରିବର୍ତ୍ତେ ସବୁକିଛି କାମଚଳା ନୀତିରେ କରାଗଲା ଭଳି ଅନୁଭବ ହେଉଛି।ଆଉ କେତେ ଅଘଟଣ ପରେ ସରକାର ସଚେତନ ହେବେ? ପ୍ରତି ବର୍ଷ ଏପରି ଘଟୁଥିବା ବେଳେ ସରକାର ଏଥିରୁ କିଛି ନଶିଖିବା ଆହୁରି ଦୁର୍ଭାଗ୍ୟଜନକ। ସୁନାବେଶ ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଘୋଷଯାତ୍ରାର ଦେବନୀତି କିଭଳି ବିନା କୌଣସି ବିଭ୍ରାଟରେ ଶେଷ ହେବ ସରକାର ସେଥିପ୍ରତି ବିଶେଷ ଯତ୍ନବାନ ହୁଅନ୍ତୁ। ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁ ଅକାଳରେ ପ୍ରାଣ ନହରାନ୍ତୁ ବୋଲି ସେ ପ୍ରକାଶ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଶୁକ୍ରବାର ଦିନ ଦେବୀ ସୁଭଦ୍ରାଙ୍କ ‘ଦର୍ପଦଳନ’ ରଥ ଟାଣିବା ସମୟରେ ଜଣେ ଭକ୍ତ ଅସୁସ୍ଥ ହୋଇ ଅଚେତ ହୋଇଯାଇଥିଲେ। ଉକ୍ତ ଭକ୍ତ ଜଣକ କଟକର ଅଭିରାମ ଦାସ ୫୭ ବର୍ଷୀୟ ଭକ୍ତ ବୋଲି ଜଣାପଡିଛି। ଅଚେତ ହେବା ପରେ ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Leave A Reply

Your email address will not be published.