Latest Odisha News

BREAKING NEWS

ଭିନ୍ନକ୍ଷମଙ୍କୁ ପରିଚୟ ପତ୍ର ମିଳିବାରେ ବିଳମ୍ବ: ସବୁ ଜିଲ୍ଲାରେ ନିୟମିତ ମେଡିକାଲ ବୋର୍ଡ ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର: ଓଡ଼ିଶା ସରକାର ଦିବ୍ୟାଙ୍ଗ (ଭିନ୍ନକ୍ଷମ) ଭାଇଭଉଣୀଙ୍କ ସଶକ୍ତିକରଣ ଏବଂ ସାମାଜିକ ସୁରକ୍ଷା ପାଇଁ ଅନେକ ପଦକ୍ଷେପ ନେଇଛନ୍ତି। ଆର୍ଥିକ ସହାୟତାଠାରୁ ଆରମ୍ଭ କରି ଶିକ୍ଷା ଏବଂ ଚାକିରି ପର୍ଯ୍ୟନ୍ତ ସରକାର ବହୁତ ସୁବିଧା ଆଣିଛନ୍ତି। ଏହାରି ଭିତରେ ଦିବ୍ୟାଙ୍ଗଙ୍କୁ ୟୁନିକ୍ ଡିସେବିଲିଟି ଆଇଡି (ୟୁଡିଆଇଡି) କାର୍ଡ ପ୍ରଦାନ ପ୍ରକ୍ରିୟାକୁ ଅଧିକ ତତ୍ପର କରିବାକୁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି।
ବର୍ତ୍ତମାନ ସୁଦ୍ଧା ହଜାର ହଜାର ଆବେଦନ ମେଡିକାଲ ଟେଷ୍ଟ ଅଭାବରୁ ବିଚାରାଧୀନ ଥିବାରୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ (ଏସଏସଇପିଡି) ବିଭାଗ ପକ୍ଷରୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ସମସ୍ତ ଜିଲ୍ଲାରେ ନିୟମିତ ମେଡିକାଲ ବୋର୍ଡ ବସାଇବା ସହ ବକେୟା ଆବେଦନଗୁଡ଼ିକର ତୁରନ୍ତ ଫଇସଲା କରିବାକୁ ନିର୍ଦ୍ଦେଶ ଦେଇଛି।

ଏହାସହ ପ୍ରକୃତ ଦିବ୍ୟାଙ୍ଗମାନେ ଯେପରି କୌଣସି ପର୍ୟ୍ୟାୟରେ ଅନାବଶ୍ୟକ ହଇରାଣ କିମ୍ବା ବିଳମ୍ବର ଶିକାର ନ ହୁଅନ୍ତି, ସେଥିପ୍ରତି ମଧ୍ୟ ବିଶେଷ ଗୁରୁତ୍ୱ ଦେବାକୁ କୁହାଯାଇଛି। ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁଯାୟୀ, ଓଡ଼ିଶାରେ ୟୁଡିଆଇଡି ପୋର୍ଟାଲରେ ଏପର୍ୟ୍ୟନ୍ତ ୧୩ ଲକ୍ଷ ୩୨ ହଜାର ୪୧୫ଟି ଆବେଦନ ପଞ୍ଜୀକୃତ ହୋଇଛି। ସେଥିମଧ୍ୟରୁ ୯ ଲକ୍ଷ ୭୩ ହଜାର ୩୪୪ ଜଣଙ୍କୁ ୟୁଡିଆଇଡି କାର୍ଡ ମିଳିସାରିଥିବା ବେଳେ ୩ ଲକ୍ଷ ୧୪ ହଜାର ୭୨୧ଟି ଆବେଦନ ବିଭିନ୍ନ କାରଣରୁ ବାତିଲ ହୋଇଛି। ତେବେ ଏବେ ମଧ୍ୟ ୪୪ ହଜାର ୩୫୦ଟି ଆବେଦନ ବିଭିନ୍ନ ସ୍ତରରେ ବିଚାରାଧୀନ ରହିଛି। ଏହି ବକେୟା ଆବେଦନର ଅଧିକାଂଶ ମେଡିକାଲ ବୋର୍ଡର ଅନୁମୋଦନ ଅପେକ୍ଷାରେ ଥିବାରୁ ପ୍ରକ୍ରିୟାରେ ବିଳମ୍ବ ଘଟୁଛି।

ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ଜିଲାରେ ନିୟମିତ ମେଡିକାଲ ବୋର୍ଡ ପରିଚାଳନା, ଦିବ୍ୟାଙ୍ଗତା ନିର୍ଣ୍ଣୟ ପାଇଁ ଆବଶ୍ୟକ ବିଶେଷଜ୍ଞ ଡାକ୍ତରଙ୍କ ଉପଲବ୍ଧତା ସୁନିଶ୍ଚିତ କରିବା ଏବଂ ବକେୟା ମାମଲାଗୁଡ଼ିକୁ ପ୍ରାଥମିକତା ଭିତ୍ତିରେ ନିଷ୍ପତ୍ତି କରି ୟୁଡିଆଇଡି କାର୍ଡ ଜାରି କରିବାକୁ ସ୍ୱାସ୍ଥ୍ୟ ବିଭାଗକୁ କୁହାଯାଇଛି। ପ୍ରତ୍ୟେକ ଜିଲ୍ଲାରେ ଏହି ପ୍ରକ୍ରିୟାର ନିୟମିତ ସମୀକ୍ଷା କରି ବିଳମ୍ବ ଦୂର କରିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି।

ଅନ୍ୟପକ୍ଷରେ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀମାନଙ୍କୁ ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ, ମେଡିକାଲ ବୋର୍ଡ ଓ ଜିଲ୍ଲା ଦିବ୍ୟାଙ୍ଗ ପୁନର୍ବାସ କେନ୍ଦ୍ର ସହ ସମନ୍ୱୟ ରକ୍ଷା କରି ନିୟମିତ ମୂଲ୍ୟାଙ୍କନ ଶିବିର ଆୟୋଜନ କରିବାକୁ କୁହାଯାଇଛି। ଆବେଦନକାରୀଙ୍କୁ ଆବଶ୍ୟକ ପରାମର୍ଶ ଓ ସହଯୋଗ ଯୋଗାଇବା, ଅଭିଯୋଗର ତୁରନ୍ତ ସମାଧାନ କରିବା ଏବଂ ବକେୟା ଆବେଦନର ସ୍ଥିତି ନିୟମିତ ସମୀକ୍ଷା କରି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

ଉଲ୍ଲେଖଯୋଗ୍ୟ ଯେ, ଦିବ୍ୟାଙ୍ଗ ସରକାରୀ କର୍ମଚାରୀଙ୍କ ପ୍ରମାଣପତ୍ରର ପୁନଃଯାଞ୍ଚ ଓ ପୁନଃମୂଲ୍ୟାଙ୍କନକୁ ନେଇ ଉଠିଥିବା ମାନବାଧିକାର ପ୍ରସଙ୍ଗ ଉପରେ ଜାତୀୟ ମାନବାଧିକାର ଆୟୋଗ (ଏନଏଚଆରସି) ରାଜ୍ୟଗୁଡ଼ିକୁ ୟୁଡିଆଇଡି କାର୍ଡ ପ୍ରଦାନ ପ୍ରକ୍ରିୟାରେ ଗତି ଆଣିବା, ପ୍ରକୃତ ଦିବ୍ୟାଙ୍ଗଙ୍କୁ ଅନାବଶ୍ୟକ ଅସୁବିଧାରେ ନ ପକାଇବା ଏବଂ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ଆକ୍ସନ ଟେକେନ୍ ରିପୋର୍ଟ (ଏଟିଆର୍) ଦାଖଲ କରିବାକୁ କହିଥିଲେ। ଏହା ପରେ ରାଜ୍ୟ ସରକାର ଏହି ପଦକ୍ଷେପ ନେଇଥିବା ଜଣାପଡ଼ିଛି।

Leave A Reply

Your email address will not be published.