ଭୁବନେଶ୍ବର: ବଢିଲା ଏସପି, ଡିଆଇଜି ଏବଂ ଆଇଜିଙ୍କ କ୍ଷମତା । ଏଣିକି ରାଜ୍ୟରେ କାର୍ଯ୍ୟରତ ଥିବା ଏସପି, ଡିଆଇଜି, ଆଇଜି କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ ଭାବେ ଆଇନ ଭାର ସମ୍ଭାଳିପାରିବେ । ନୂଆ କରି ପ୍ରଣୟନ ହୋଇଥିବା ଭାରତୀୟ ନାଗରିକ ସୁରକ୍ଷା କୋଡ୍ (ବିଏନଏସଏସ) ଅନୁଯାୟୀ ରାଜ୍ୟରେ ଏସପି, ଡିଆଇଜି ଏବଂ ଆଇଜିମାନଙ୍କୁ ସରକାର କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ୍ କ୍ଷମତା ପ୍ରଦାନ କରିଛନ୍ତି । ଏନେଇ ଗୁରୁବାର ଗୃହ ବିଭାଗ ପକ୍ଷରୁ ଅତିରିକ୍ତ ମୁଖ୍ୟ ସଚିବଙ୍କ ସ୍ୱାକ୍ଷରିତ ଏକ ବିଜ୍ଞପ୍ତି ଜାରି କରାଯାଇଛି । ଯେଉଁଥିରେ ବିଏନଏସଏସର ଧାରା ୧୫କୁ ବ୍ୟବହାର କରି, ଏସପି, ଡିଆଇଜି ଏବଂ ଆଇଜିଙ୍କୁ ସେମାନଙ୍କ କ୍ଷେତ୍ରାଧିକାରରେ ସ୍ୱତନ୍ତ୍ର କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ ଭାବରେ ନିଯୁକ୍ତ କରାଯାଇଛି ।
ତେବେ ପୂର୍ବରୁ, କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟଙ୍କ କ୍ଷମତା କେବଳ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ବରିଷ୍ଠ ସ୍ତରୀୟ ଅଧିକାରୀଙ୍କ ପାଖରେ ନ୍ୟସ୍ତ ଥିଲା । ଯାହା ଦ୍ବାରା ପୋଲିସକୁ କାର୍ଯ୍ୟକାରୀ ନିର୍ଦ୍ଦେଶକୁ ଅପେକ୍ଷା କରିବାକୁ ପଡୁଥିଲା । ହେଲେ ଏବେ ପୋଲିସକୁ ଆଉ ରାଜସ୍ୱ ଅଧିକାରୀଙ୍କ ଉପରେ ନିର୍ଭର କରିବାକୁ ପଡିବ ନାହିଁ ଏବଂ ଆଇନ ଶୃଙ୍ଖଳା ପରିସ୍ଥିତି, ପ୍ରତିରୋଧକ ଗିରଫଦାରୀ କିମ୍ବା ଦଣ୍ଡ ଦାବି ସମୟରେ ତୁରନ୍ତ କାର୍ଯ୍ୟକାରୀ ନିର୍ଦ୍ଦେଶ ପାଇବାକୁ ପଡିବ ନାହିଁ ।
ଏଣିକି କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ୍ ଭାବେ ଆଇନ ଶୃଙ୍ଖଳା ପରିଚାଳନା କରିପାରିବେ ଏସପି, ଡିଆଇଜି ଏବହ ଆଇଜି । ଓଡ଼ିଶାର ସମସ୍ତ ଏସପିଙ୍କ ସହିତ ଭୁବନେଶ୍ୱର ଏବଂ କଟକର ପୋଲିସ କମିଶନର ଏବଂ ଡେପୁଟି କମିଶନର ବିଏନଏସଏସର ଧାରା ୧୨୬, ୧୨୭, ୧୨୮, ୧୨୯ ଏବଂ ୧୬୩ ଅନୁଯାୟୀ, ଅପରାଧିକ ମାମଲା ପାଇଁ ସ୍ୱତନ୍ତ୍ର କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ ଭାବରେ ଅତିରିକ୍ତ କ୍ଷମତା ପାଇବେ । ସେହିପରି, ନିଷେଧକ ଆଦେଶ ଲାଗୁ କରିବା ପାଇଁ ବିଏନଏସଏସର ଧାରା ୧୬୩ ଅନୁଯାୟୀ କେନ୍ଦ୍ରୀୟ, ପୂର୍ବ, ପଶ୍ଚିମ, ଉତ୍ତର, ଉତ୍ତର-ମଧ୍ୟ, ଦକ୍ଷିଣ ଏବଂ ଦକ୍ଷିଣ-ପଶ୍ଚିମ ପୋଲିସ ରେଞ୍ଜର ଡିଆଇଜି କିମ୍ବା ଆଇଜିଙ୍କୁ ସ୍ୱତନ୍ତ୍ର କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟଙ୍କ କ୍ଷମତା ପ୍ରଦାନ କରାଯାଇଛି ।
Comments are closed.