ଭୁବନେଶ୍ବର:ରାଜ୍ୟରେ ଥିବା ସମସ୍ତ ଘରୋଇ ଓ ସରକାରୀ ନର୍ସିଂ କଲେଜ ଓ ପ୍ରଶିକ୍ଷଣ ଅନୁଷ୍ଠାନ ଗୁଡ଼ିକରେ ସର୍ବୋଚ୍ଚ ଗୁଣବତ୍ତା ବଜାୟ ରଖିବାକୁ ସ୍ୱାସ୍ଥ୍ୟମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ ନିର୍ଦ୍ଦେଶ ଦେଇଛନ୍ତି । ଏହାର ଖିଲାପ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି।
ମୁକେଶ ମହାଲିଙ୍ଗ କହିଛନ୍ତି, ରାଜ୍ୟରେ ଉଚ୍ଚମାନର ନର୍ସିଂ ଶିକ୍ଷା ବ୍ୟବସ୍ଥା ଗଢ଼ି ତୋଳିବାପାଇଁ ସମସ୍ତ ଅନୁଷ୍ଠାନରେ ନିର୍ଦ୍ଧାରିତ ମାନଦଣ୍ଡର କଡ଼ାକଡ଼ି ପାଳନ ଅତ୍ୟନ୍ତ ଆବଶ୍ୟକ। ଶିକ୍ଷାର ଗୁଣବତ୍ତା, ଛାତ୍ରଛାତ୍ରୀଙ୍କ ସୁରକ୍ଷା ଏବଂ ପ୍ରଶିକ୍ଷଣର ମାନକୁ ସର୍ବୋଚ୍ଚ ପ୍ରାଥମିକତା ପ୍ରଦାନ ସହିତ କୌଣସି ପ୍ରକାରର ଅନିୟମିତତାକୁ ପ୍ରଶ୍ରୟ ଦିଆଯିବ ନାହିଁ।
ସମସ୍ତ ଜିଲ୍ଲାପାଳଙ୍କୁ ସେମାନଙ୍କ ଜିଲ୍ଲାର ସମସ୍ତ ବେସରକାରୀ ନର୍ସିଂ ଶିକ୍ଷାନୁଷ୍ଠାନର ନିରପେକ୍ଷ ଏବଂ ବ୍ୟାପକ ଯାଞ୍ଚ ଶୀଘ୍ର ସାରିବାକୁ ନିର୍ଦ୍ଦେଶ ଦେଇଥିଲେ।
ସମସ୍ତ ଜିଲ୍ଲାପାଳଙ୍କୁ ଚଳିତ ଜୁଲାଇ ମାସ ଶେଷ ସୁଦ୍ଧା ସେମାନଙ୍କର ଯାଞ୍ଚ ରିପୋର୍ଟ ମେଡିକାଲ୍ ଶିକ୍ଷା ଓ ପ୍ରଶିକ୍ଷଣ (ଡିଏମଇଟି) ନିକଟରେ ଦାଖଲ କରିବାକୁ ମନ୍ତ୍ରୀ କହିଛନ୍ତି। କୌଣସି ପ୍ରକାରର ଅନିୟମିତତା ଦେଖାଗଲେ, ସେହି ତ୍ରୁଟିପୂର୍ଣ୍ଣ ଅନୁଷ୍ଠାନ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
Comments are closed.