ଭୁବନେଶ୍ୱର: ରାଜ୍ୟର ପାୱାର ସେକ୍ଟରରେ ଲାଗୁ ହେଲା ଏସମା। ବିଦ୍ୟୁତ ସେବାରେ ଧର୍ମଘଟ କିମ୍ବା କାର୍ଯ୍ୟବନ୍ଦ ଆନ୍ଦୋଳନ ଉପରେ ସରକାର କଟକଣା ଜାରି କରିଛନ୍ତି। ଆଗାମୀ ୬ ମାସ ପାଇଁ ଏହି ନିୟମ ବଳବତ୍ତର ରହିବ।
ଗ୍ରୀଷ୍ମ ଋତୁରେ ବିଦ୍ୟୁତ ଚାହିଦା ବଢ଼ିଥିବା ବେଳେ ନିରବଚ୍ଛିନ୍ନ ସେବା ଯୋଗାଇବାକୁ ଏହି ପଦକ୍ଷେପ ନିଆଯାଇଛି। ସରକାରଙ୍କ ଲକ୍ଷ୍ୟ, ରାଜ୍ୟରେ ବିଦ୍ୟୁତ ଉତ୍ପାଦନ, ସଞ୍ଚାରଣ ଓ ବଣ୍ଟନ ସେବାରେ କୌଣସି ବାଧା ସୃଷ୍ଟି ନହେଉ।
ଓଡ଼ିଶା ଅତ୍ୟାବଶ୍ୟକ ସେବା ରକ୍ଷଣବେକ୍ଷଣ ଆଇନ ୧୯୮୮ ଅଧୀନରେ ଏହି ନିର୍ଦ୍ଦେଶନାମା ଜାରି ହୋଇଛି। ଏହା ପରେ ପାୱାର ସେକ୍ଟର ସହ ଜଡିତ କୌଣସି କର୍ମଚାରୀ କିମ୍ବା ସଂଗଠନ ଧର୍ମଘଟ କରିପାରିବେ ନାହିଁ।
ଗ୍ରିଡକୋ, ଓପିଟିସିଏଲ, ଓଏଚପିସି, ଓପିଜିସି ଭଳି ସଂସ୍ଥା ଏହି ନିୟମ ଅଧୀନକୁ ଆସିଛି। ଏହାସହ ଟାଟା ପାୱାରର ବଣ୍ଟନ କମ୍ପାନୀ ଟିପିସିଓଡିଏଲ, ଟିପିଏନଓଡିଏଲ, ଟିପିସଓଡିଏଲ ଓ ଟିପିଡବ୍ଲୁଓଡିଏଲ ପାଇଁ ମଧ୍ୟ ନିୟମ ଲାଗୁ ହେବ।
ରାଜ୍ୟରେ କାର୍ଯ୍ୟରତ ଅନ୍ୟ ସରକାରୀ ଓ ବେସରକାରୀ ବିଦ୍ୟୁତ ସଂସ୍ଥାମାନେ ମଧ୍ୟ ଏହି କଟକଣାରେ ଆସିବେ। ଗ୍ରାହକଙ୍କୁ ବିଦ୍ୟୁତ ସେବା ମିଳିବାରେ ଯେପରି ଅସୁବିଧା ନହୁଏ, ସେଥିପାଇଁ ସରକାର ଏହି ଅଧିସୂଚନା ଜାରି କରିଛନ୍ତି। ଏହି ନିୟମ ତୁରନ୍ତ ଲାଗୁ ହୋଇଛି।