ଭୁବନେଶ୍ୱର: ଓଡିଶା ରାଜ୍ୟ ଵିଧି ଆୟୋଗ କାର୍ଯ୍ୟାଳୟ ଆଜି ପୂର୍ତ୍ତ, ଅବକାରୀ ଓ ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି I ଭୁବନେଶ୍ୱର ସ୍ଥିତ ତୋଷାଳୀ ଭବନ ପରିସରରେ ସ୍ଥାପିତ ଆୟୋଗଙ୍କ କାର୍ଯ୍ୟାଳୟ ରାଜ୍ୟରେ ପ୍ରଚଳିତ ଆଇନର ତର୍ଜମା, ପରିବର୍ତ୍ତନ ଓ ସଂଶୋଧନ କରିବା ଦିଗରେ ସରକାରଙ୍କୁ ପରାମର୍ଶ ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ I ଏଥିସହ ୧୯୬୯ ମସିହାରେ ଗଠିତ ରାଜ୍ୟ ଆଇନ ସଂଶୋଧନ କମିଟିକୁ ଅଧିକ କାର୍ଯ୍ୟକ୍ଷମ କରିବା ସହ ରାଜ୍ୟର ପ୍ରଚଳିତ ଆଇନ ଏବଂ ସମକାଳିନ ତାଲିକାରେ ଆସୁଥିବା ଆଇନ ଗୁଡିକର ପରିବର୍ତ୍ତନ ଏବଂ ସଂଶୋଧନର ଆବଶ୍ୟକତାକୁ ଦୃଷ୍ଟି ରେ ରଖି ରାଜ୍ୟ ସରକାର “ଓଡିଶା ରାଜ୍ୟ ଵିଧି ଆୟୋଗ” ଗଠନ କରିଛନ୍ତି । ଏହା ଓଡିଶା ସରକାର ଙ୍କ ଦ୍ୱାରା ଏକ ଯୁଗାନ୍ତକାରୀ ଓ ସ୍ୱାଗତ ଯୋଗ୍ୟ ପଦକ୍ଷେପ ଅଟେ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି I
ଏହି ଅବସରରେ, ଆୟୋଗର ଅଧକ୍ଷ, ନ୍ୟାୟମୁର୍ତ୍ତି ବିଶ୍ୱନାଥ ରଥ, ଆୟୋଗର ମାନ୍ୟବର ପଦପ୍ରଯୁକ୍ତ ସଦସ୍ୟ ତଥା ମହାଧିବକ୍ତା ପିତାମ୍ବର ଆଚାର୍ଯ୍ୟ ଓ ଆଇନ ବିଭାଗ ପ୍ରମୁଖ ଶାସନ ସଚିବ ମାନସ ରଞ୍ଜନ ବାରିକଙ୍କ ସହିତ ଆୟୋଗର ମାନ୍ୟବର ସଦସ୍ୟ ତଥା ପ୍ରଫେସର ଲଳିତ କୁମାର ଦେବ, ସୂର୍ଯ୍ୟ ପ୍ରସାଦ ମିଶ୍ର ଓ ସୌର ଚନ୍ଦ୍ର ମହାପାତ୍ର, ଆୟୋଗର ସଦସ୍ୟ ସଚିବ ଗଙ୍ଗାଧର ସେଠୀ ଏବଂ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ବାର ଆସୋସିଏସନର ସଭାପତି ମନୋଜ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ I
ଏତଦବ୍ୟତୀତ ଵିଧି ଚେତକ ତଥା ସ୍ୱତନ୍ତ୍ର ଶାସନ ସଚିବ, ପ୍ରଣବ କୁମାର ପାତ୍ର, ସ୍ୱତନ୍ତ୍ର ଶାସନ ସଚିବ ଭଗବାନ ପ୍ରସାଦ ସାହୁ, ଦ୍ଵିତୀୟ ଅତିରିକ୍ତ ଵିଧି ଚେତକ ତଥା ଅତିରିକ୍ତ ଶାସନ ସଚିବ ବିଭୁ ପ୍ରସାଦ ପଣ୍ଡା ଏବଂ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ l
Comments are closed.