Latest Odisha News

BREAKING NEWS

ବିଜେଡି ଷଡ଼ଯନ୍ତ୍ର କରି ହତ୍ୟା କରିବାକୁ ଯୋଜନା କରୁଛି: ଜୟନାରାୟଣ

ଭୁବନେଶ୍ୱର: ସମ୍ବଲପୁର ବିଜେପି ବିଧାୟକ ତଥା ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଏବଂ ଜଣେ ମହିଳା ପୋଲିସ ଅଧିକାରୀଙ୍କ ମଧ୍ୟରେ ବୁଧବାର ହୋଇଥିବା ଗଣ୍ଡଗୋଳକୁ ନେଇ ଓଡିଶାରେ ଏବେ ରାଜନୀତି ଚରମ ସୀମାରେ ପହଞ୍ଚିଛି।

ଏହି ବିବାଦ ମଧ୍ୟରେ ଗୁରୁବାର ଦିନ ବିଜେପିର ବରିଷ୍ଠ ନେତା ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ଏବଂ ଅଭିଯୋଗ କରିଛନ୍ତି ଯେ ଯେହେତୁ ସେ ସରକାରଙ୍କୁ ବାରମ୍ବାର ସମାଲୋଚନା କରୁଛନ୍ତି, ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ଘଟଣାରେ ଶାସକ ଦଳର ଗୁମର ଖୋଲୁଛନ୍ତି ତେଣୁ ତାଙ୍କୁ ଟାର୍ଗେଟ କରିଛି ବିଜୁ ଜନତା ଦଳ। ଏମିତିକି ତାଙ୍କୁ ହତ୍ୟା କରିବାକୁ ଯୋଜନା କରିଛନ୍ତି ବୋଲି ସେ କହିଛନ୍ତି।

ସେ କହିଛନ୍ତି, ତାଙ୍କ ଗୋଡ ଭାଙ୍ଗିଯିବା ପରେ ସେ ଗତ କିଛି ଦିନ ହେବ ସର୍କିଟ୍ ହାଉସରେ ରହୁଥିଲେ। ଖବର ପାଇ ବିଜେଡିର ଗୁଣ୍ଡାମାନେ ଘଟଣାସ୍ଥଳକୁ ଯାଇ ସମ୍ପତ୍ତି ନଷ୍ଟ କରିଥିଲେ। ଯଦି ସେ ଘଟଣାସ୍ଥଳରେ ଥାଆନ୍ତେ, ତା’ହେଲେ ତାଙ୍କ ସହ କ’ଣ ହୋଇଥାନ୍ତା ତାହା ସହଜରେ ଅନୁମାନ କରିହେବ ବୋଲି ଜୟନାରାୟଣ ମିଶ୍ର ଅଭିଯୋଗ କରିଛନ୍ତି।

ଜୟନାରାୟଣ ମିଶ୍ର ଆହୁରି କହିଛନ୍ତି, ‘ମୋର ବିଶ୍ୱାସ ସେମାନେ ମୋତେ ହତ୍ୟା କରିବାକୁ ଆସିଥିଲେ ଏବଂ ବିଭିନ୍ନ ପ୍ରସଙ୍ଗ ଓ କୁଶାସନକୁ ଲୋକଲୋଚନକୁ ଆଣିଥିବାରୁ ଶାସକ ଦଳର ନେତା ମୋତେ ହତ୍ୟା କରିବା ପାଇଁ ଏହା ଏକ ଷଡଯନ୍ତ୍ର’।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଶାସକ ଦଳ ନିଜ ଭୁଲକୁ ଲୁଚାଇବା ପାଇଁ ଏଭଳି କରୁଛି। ନବୀନ ପଟ୍ଟନାୟକଙ୍କ ଦୟାରୁ ଜୟନାରାୟଣ ମିଶ୍ର ବିରୋଧୀ ଦଳ ନେତା ନୁହନ୍ତି, ଏହା ବିଜେପି ସଂସଦୀୟ ବୋର୍ଡର ନିଷ୍ପତ୍ତି। ବିଜେଡି ଆଜି ବିରୋଧୀ ଦଳ ନେତାଙ୍କ ବହିଷ୍କାର ଦାବି କରି ହୋ ହାଲ୍ଲା କରୁଥିଲା। ଏହାର ପ୍ରତିବାଦରେ ଏପରି ଜବାବ ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ।

ଓଡ଼ିଶାରେ ସରକାରୀ ଦଳ ନିଜର ଦୋଷ ଦୁର୍ବଳତାକୁ ଲୁଚାଇବା ପାଇଁ ସବୁ ପ୍ରାୟୋଜିତ କାର୍ଯ୍ୟ କରୁଛନ୍ତି । ବିଜେଡ଼ିର ଅଧା ଡଜନରୁ ଅଧିକ ମନ୍ତ୍ରୀ ହତ୍ୟା ଭଳି ବିଭିନ୍ନ କେଳେଙ୍କାରୀରେ ସାମିଲ ଅଛନ୍ତି । ନିଜର ଦୁର୍ବଳତାକୁ ଲୁଚାଇବା ପାଇଁ ବିଜେଡ଼ି ଭେଳିକି ଦେଖାଉଛି ବୋଲି ଧର୍ମେନ୍ଦ୍ର କହିଛନ୍ତି।

ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି, ନବ ଦାସ ହତ୍ୟା ଘଟଣାରେ ମୁ୍ଖ୍ୟମନ୍ତ୍ରୀ କାହିଁକି ନିରବ ବୋଲି ସେ ଜବାବ ମାଗିଛନ୍ତି। ଜଣେ ଗୃହମନ୍ତ୍ରୀ ଭାବରେ ସେ କାହିଁକି ନିରବ ନା ସେ ଲୋକଙ୍କ ଆଖିରେ ଆଖି ମିଶାଇନପାରି ଏପରି ନିରବ ରହୁଛନ୍ତି ବୋଲି ଭୁବନେଶ୍ୱର ସାଂସଦ ପ୍ରଶ୍ନ କରିଛନ୍ତି। ନବ ଦାସ ହତ୍ୟା ଘଟଣାରେ ରାଜ୍ୟ ସରକାରଙ୍କଠାରୁ ଯେପରି ତତ୍ପରତା ଦେଖାଇବା କଥା ତାହା ଦେଖାଯାଉନି ବୋଲି ସେ କହିଛନ୍ତି।

ସେହିପରି ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ମଧ୍ୟ କହିଛନ୍ତି ଯେ, ବିରୋଧୀ ଦଳ ନେତାଙ୍କ ବିରୋଧରେ ମିଥ୍ୟା ମାମଲା ରୁଜୁ କରାଯାଉଛି ଏବଂ ଜଣେ ମହିଳା ପୁଲିସ ଅଧିକାରୀଙ୍କ ଜରିଆରେ ତାଙ୍କୁ ଯେଉଁଭଳି ଭାବେ ମାଡ ମରାଯାଉଛି ତାହା ସମ୍ପୂର୍ଣ୍ଣ ଭାବେ ନିନ୍ଦନୀୟ। ଏହି ଘଟଣାରୁ ଏହା ସ୍ପଷ୍ଟ ଜଣାପଡୁଛି ଯେ ଜୟନାରାୟଣ ମିଶ୍ର ମଧ୍ୟ ଓଡ଼ିଶାରେ ସୁରକ୍ଷିତ ନୁହନ୍ତି।

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ପରେ ନିଜ ମନ୍ତ୍ରୀଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାବାସୀଙ୍କ ନିକଟରେ ଉତ୍ତରଦାୟୀ ବୋଲି ପ୍ରଭାରୀ ପୁରନ୍ଦେଶ୍ୱରୀ କହିଛନ୍ତି।

ଅନ୍ୟପଟେ ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣା ତଦନ୍ତ ବାଟବଣା ଓ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ପୋଲିସର ଆକ୍ରମଣ ପ୍ରତିବାଦରେ ରାଜ୍ୟ ସରକାରଙ୍କୁ ବରଖାସ୍ତ ଦାବି କରି ରାଜଭବନ ସମ୍ମୁଖରେ ଦଳ ପକ୍ଷରୁ ଧାରଣା ଦିଆଯାଇ ରାଜ୍ୟପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରିଛି ବିଜେପି।

 

 

 

Leave A Reply

Your email address will not be published.