Latest Odisha News

BREAKING NEWS

ଶାଶ୍ୱତ ପ୍ରେମର ନିଚ୍ଛକ ପ୍ରତିଛବି; ଗଞ୍ଜାମ ଜିଲ୍ଲାର ନରସିଂହ

କବିସୂର୍ଯ୍ୟନଗର: କୁହାଯାଏ ପ୍ରେମ ସର୍ବଦା ଶାଶ୍ୱତ ଓ ଚିରନ୍ତନ । ଏହି ଉକ୍ତିକୁ ଯର୍ଥାର୍ଥତା ପ୍ରଦାନ କରିଛନ୍ତି ଗଞ୍ଜାମ ଜିଲ୍ଲାର ନରସିଂହ ଦଳାଇ ।

ପ୍ରେମର ପ୍ରତୀକ ଭାବେ ଶାହାଜାହାନ ପତ୍ନୀ ମମତାଜଙ୍କ ସ୍ମୃତିରେ ତାଜମହଲ ଗଢିଥିବା ବେଳେ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ୍ ନନ୍ଦିଆଗଡ ଗ୍ରାମର ନରସିଂହ ଦଳାଇ ମଧ୍ୟ ନିଜ ଧର୍ମପତ୍ନୀଙ୍କୁ ମନେପକାଇ ତୋଳିଛନ୍ତି ପ୍ରତିମୂର୍ତ୍ତି ।

ନରସିଂହଙ୍କ ପତ୍ନୀ ସୁମତିଙ୍କ ଦେହାନ୍ତଙ୍କୁ ପାଖାପାଖି ୧୦ ବର୍ଷ ପୂରି ଯାଇଥିଲେ ମଧ୍ୟ ଆଜିବି ସେ ପ୍ରତିମୂର୍ତ୍ତି ପାଖକୁ ଯାଇ ନିଜର ମନର ବ୍ୟଥା ଜଣାଇବା ସହ ତାଙ୍କ କାନରେ ଗୁଣୁଗୁଣୁ ହୋଇ ସୁଖଦୁଃଖ ବଖାଣିଥାନ୍ତି ବୋଲି ଗ୍ରାମବାସୀମାନେ କୁହନ୍ତି ।

ଏହି କଥା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଯେକେହିବି ଆଖିରେ ନଦେଖିଲେ ବିଶ୍ୱାସ କରିବେ ନାହିଁ ।

ନରସିଂହ ୧୯୭୦ ମସିହାରେ ସ୍ଥାନୀୟ ବୁଗୁଡା ବ୍ଲକର ସୁମତିଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ । ପରେ ହସଖୁସିରେ ତାଙ୍କର ସଂସାର ଗାଡି ଗଡୁଥିବା ବେଳେ ଦିନେ ସେ ପତ୍ନୀଙ୍କୁ ଥଟ୍ଟାରେ କହିଥିଲେ ଯେ ତୋର ସଧବା ବେଶ ଅଛି । ବାସ୍ ତା’ପରେ ସୁମତି ଅତ୍ୟନ୍ତ ଅଧିର ହୋଇ କାନ୍ଦିବା ସହ ମୁଁ ତୁମକୁ ଛାଡି କୁଆଡେ ଯିବିନି ବୋଲି କହିଥିଲେ ।

ସମୟର ତାଳେ ତାଳେ ଦିନ ଗଡୁଥିବା ବେଳେ ୨୦୨୦ ମସିହାରେ ସୁମତିଙ୍କର ଦେହାନ୍ତ ହୋଇଯାଇଥିଲା । ପରେ ନରସିଂହ ପତ୍ନୀଙ୍କ କଥା ରକ୍ଷା କରି ଶ୍ମଶାନରେ ତାଙ୍କ ପ୍ରତିମୂର୍ତ୍ତି ସହ ନିଜର ମଧ୍ୟ ପ୍ରତିମୂର୍ତ୍ତି ଗଢିଥିଲେ ।

ଏହାମଧ୍ୟରେ ପ୍ରାୟ ୧୦ ବର୍ଷ ବିତିଯାଇଥିଲେ ମଧ୍ୟ ଆଜିବି ନରସିଂହ ପ୍ରତିଦିନ ଶ୍ମଶାନକୁ ଯାଇ ସୁମତିଙ୍କ ପ୍ରତିମୂର୍ତ୍ତିକୁ ସଫା କରିବା ସହ ତାଙ୍କ ସାଥୀରେ ଘଣ୍ଟାଘଣ୍ଟା ଧରି ଗପି ଚାଲିଥାନ୍ତି । ଏପରିକି ବିଭିନ୍ନ ପର୍ବପର୍ବାଣୀରେ ମଧ୍ୟ ପ୍ରତିମୂର୍ତ୍ତି ପାଖରେ ସୁସ୍ୱାଦୁ ଖାଦ୍ୟ ମଧ୍ୟ ପରଷି ଦେଇଥାନ୍ତି ।

ତେବେ ନରସିଂହଙ୍କର ଏଭଳି ବ୍ୟବହାରକୁ ନେଇ ଅନେକ ତାଙ୍କୁ ଟାହି ଟାପରା କରିଥିଲେ ମଧ୍ୟ ସେ କାହାକୁ ଭୃକ୍ଷେପ କରିନାହାଁନ୍ତି । ବୟସର ସାୟାହ୍ନରେ ତାଙ୍କର ଏଭଳି ପ୍ରେମ ସତରେ ଆଜିବି ଶାଶ୍ୱତ ତଥା ଜୀବନ୍ତ ହୋଇ ରହିଛି ।

Leave A Reply

Your email address will not be published.