କଟକ/ଉଦଳା: ବାଲେଶ୍ୱର ଫକୀର ମୋହନ ମେଡିକାଲ କଲେଜର ତୃତୀୟ ବର୍ଷ ଏମବିବିଏସ୍ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ପୋଲିସ ତଦନ୍ତ ଜୋରଦାର କରିଛି। କଟକର କାଠଯୋଡ଼ି ନଦୀରୁ ତାଙ୍କ ମୃତଦେହ ଉଦ୍ଧାର ହେବା ପରେ ଏବେ ଏହି ଘଟଣାରେ ପ୍ରେମ ବ୍ୟାପାର ଓ ହତ୍ୟା ଅଭିଯୋଗକୁ ନେଇ ନୂଆ ମୋଡ଼ ଆସିଛି।
ଏହାପରେ ବାରଙ୍ଗ ଥାନା ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ମୟୂରଭଞ୍ଜ ଜିଲ୍ଲା ଉଦଳା ପୋଲିସ ଷ୍ଟେସନ ଅଧୀନସ୍ଥ ରାଇଦାଣ୍ଡିଆ ଗାଁରେ ପହଞ୍ଚି ଚନ୍ଦ୍ରିକାଙ୍କ ପରିବାର ଲୋକଙ୍କ ବୟାନ ରେକର୍ଡ କରିଛି। ପୋଲିସର ପ୍ରାଥମିକ ତଦନ୍ତ ଓ ପୋଷ୍ଟମର୍ଟମ ରିପୋର୍ଟରୁ ପାଣିରେ ବୁଡ଼ି ଶ୍ୱାସରୁଦ୍ଧ ହୋଇ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଥିବା ବେଳେ, ପରିବାର ଲୋକେ ଏହାକୁ ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି।
ପରିବାରର ଅଭିଯୋଗ ଅନୁଯାୟୀ, ଚନ୍ଦ୍ରିକାଙ୍କ ଦୀର୍ଘଦିନର ପ୍ରେମିକ ଭୀମସେନ ପ୍ରସାଦ ଟୁଡୁ ଏବଂ ସ୍ୱାତି ନାମକ ଅନ୍ୟ ଜଣେ ଯୁବତୀ ମିଶି ତାଙ୍କୁ ହତ୍ୟା କରିବା ପରେ ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ମୃତଦେହକୁ କାଠଯୋଡ଼ି ନଦୀରେ ଫିଙ୍ଗି ଦେଇଛନ୍ତି।
ଭୀମସେନ ଚନ୍ଦ୍ରିକାଙ୍କୁ ୨୦୨୭ ମସିହାରେ ବିବାହ କରିବାକୁ ପ୍ରତିଶ୍ରୁତି ଦେଇଥିଲେ, କିନ୍ତୁ ସେମାନଙ୍କ ସମ୍ପର୍କ ମଧ୍ୟରେ ସ୍ୱାତିଙ୍କ ପ୍ରବେଶ ପରେ ଉଭୟଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା। ଏହି ତ୍ରିକୋଣୀୟ ପ୍ରେମ ସମ୍ପର୍କ ଯୋଗୁଁ ଚନ୍ଦ୍ରିକାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦିଆଯାଉଥିଲା ବୋଲି ପରିବାର ଲୋକେ ବାରଙ୍ଗ ପୋଲିସ ଆଗରେ ପ୍ରକାଶ କରିଛନ୍ତି।
ବର୍ତ୍ତମାନ ପୋଲିସ ସମସ୍ତ ଦିଗକୁ ଦୃଷ୍ଟିରେ ରଖି ଖୋଳତାଡ଼ ଜାରି ରଖିଥିବା ବେଳେ ଫେରାର ଥିବା ପ୍ରେମିକ ଭୀମସେନଙ୍କୁ ଖୋଜୁଛି। ଡିସିପିଙ୍କ ସୂଚନା ଅନୁଯାୟୀ, ଚନ୍ଦ୍ରିକା ଏକ ଓଲା ଗାଡ଼ି ଭଡ଼ା କରି ନେତାଜୀ ସୁଭାଷ ଚନ୍ଦ୍ର ବୋଷ ସେତୁ ନିକଟକୁ ଆସିଥିଲେ ଏବଂ ସିସିଟିଭି ଫୁଟେଜ୍ ତଥା ହ୍ୱାଟସଆପ୍ ଚାଟିଂରୁ ମଧ୍ୟ କିଛି ଗୁରୁତ୍ୱପୂର୍ଣ୍ଣ ସଙ୍କେତ ମିଳିଛି।
ଉଦଳାରେ ପରିବାର ବର୍ଗଙ୍କୁ ପଚରାଉଚରା କରିବା ପରେ ପୋଲିସ ହାତରେ କିଛି ନୂଆ ତଥ୍ୟ ଲାଗିଥିବା ଆଶା କରାଯାଉଛି। ଘଟଣାର ସତ୍ୟାସତ୍ୟ ଉନ୍ମୋଚନ କରିବା ପାଇଁ ପୋଲିସ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି। ଅନ୍ୟପଟେ ଚନ୍ଦ୍ରିକାଙ୍କ ଓଏଏସ ବୟଫ୍ରେଣ୍ଡ ମଧ୍ୟ ଏହି ମାମଲାରେ ଗିରଫ ହୋଇ ସାରିଛନ୍ତି। ପୋଲିସ ମଧ୍ୟ ତାଙ୍କୁ ଜେରା କରୁଛି।

Comments are closed.