Latest Odisha News

BREAKING NEWS

‘ପ୍ରଭୁ ଜଗନ୍ନାଥ ଆମକୁ ଶକ୍ତି ଦିଅନ୍ତୁ ଓଡ଼ିଶାରେ ଡବଲ ଇଂଜିନ ସରକାର ଗଠନ ହେବ’

ଭୁବନେଶ୍ବର: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୁରୁବାର ଓଡ଼ିଶା ଗସ୍ତରେ ଆସି ବାଣପୁର ଜନସଭାକୁ ସମ୍ବୋଧିତ କରିଛନ୍ତି  । ଯୋଗୀ ଆଦିତ୍ୟନାଥ ଚିଲିକା ନିର୍ବାଚନ ମଣ୍ଡଳୀର ବାଣପୁର ସଭାରେ ପହଁଞ୍ଚୁ ପହଁଞ୍ଚୁ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ସେ କହିଛନ୍ତି , ପ୍ରଭୁ ଜଗନ୍ନାଥ ଆମକୁ ଶକ୍ତି ଦିଅନ୍ତୁ ଏଠାରେ ଡବଲ ଇଂଜିନ ସରକାର ଗଠନ ହେବ । ଡବଲ ଇଂଜିନ ସରକାର ହେଲେ ଲ୍ୟାଣ୍ଡ, ସ୍ୟାଣ୍ଡ, ମାଇନିଂ, ମାଫିଆଙ୍କୁ ସାବାଡ଼  କରାଯିବ । ଯେମିତି ଉତ୍ତରପ୍ରଦେଶରେ କରାଯାଇଛି । ଏ ହେଉଛି  ମୋଦିଙ୍କ ଭାରତ । ଏଠାରେ ଯିଏ ବଦମାସୀ କରିବ ତାକୁ ଦଣ୍ଡ ଦିଆଯିବ ।

ଓଡ଼ିଶାରେ ନବୀନ ସରକାର ବାବୁ ମାନଙ୍କ କବଜାରେ ରହିଛି । ବିଜେଡି ସରକାର ଏଠାରେ ଆୟୁଷ୍ମାନ ଭାରତ ଲାଗୁ କରୁନାହାନ୍ତି । ବିଜେଡି ତୁଷ୍ଟୀକରଣର ରାଜନୀତି କରୁଛି କହିଲେ ଯୋଗୀ । ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟାକାରୀଙ୍କୁ ସୁରକ୍ଷା ଦିଆଯାଉଛି । କଂଗ୍ରେସ, ଟିଏମ୍‌ସି, ବିଜେଡିର ଜନବିରୋଧୀ ନୀତି ଯେଉଁଠି ଚାଲେ ସେଠିକାର ଲୋକ କେବଳ ଭ୍ରଷ୍ଟାଚାର ପଥରେ ଯାଆନ୍ତି  । ଜନ ପ୍ରତିନିଧିମାନଙ୍କ ଦ୍ୱାରା ହିଁ ଶାସନ ଚାଲିବା ଦରକାର । ଓଡ଼ିଶାରେ ଓଡ଼ିଆ ସଂସ୍କୃତି ଓ ପରମ୍ପରାର ଅପମାନ କଲା ଭଳି କାମ ଚାଲିଛି । ଯାହା  ଆଦୌ ଗ୍ରହଣୀୟ ନୁହେଁ ।

ଶ୍ରୀମନ୍ଦିର ରତ୍ନଭଣ୍ଡାର କଥାକୁ ନେଇ ମଧ୍ୟ ଯୋଗୀ ଶାଣିତ ଶ୍ବରରେ ରାଜ୍ୟସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି , ଏଠି ପ୍ରଭୁ ଜଗନ୍ନାଥଙ୍କ ରତ୍ନଭଣ୍ଡାର ଚାବି ବି ହଜାଇ ଦେଲେ । କେବଳ ଲ୍ୟାଣ୍ଡ, ସ୍ୟାଣ୍ଡ ନୁହେଁ ପ୍ରଭୁଙ୍କ ଉପରେ ବି ଆଖି  ପକାଇଛନ୍ତି। ଥରେ ଆସନ୍ତୁ ଉତ୍ତର ପ୍ରଦେଶ, ଦେଖିବେ ସେଠି କେବଳ ଜୟ ଶ୍ରୀରାମ ନାରା ଗୁଞ୍ଜରିତ ହେଉଛି । ଏଠାରେ ବିଜେଡି ସରକାର ଆସିପାରିବନି, ଏମାନଙ୍କୁ କାହିଁକି ଜିତାଇବା ।ଓଡ଼ିଶାରେ ଚାରିଶ ସିଟ ଅତିକ୍ରମ କରିବ ବିଜେପି । ଯାହାକୁ ଶୁଣି ବିଜେଡିର ମୁଣ୍ଡ ବୁଲାଇଲାଣି କହିଛନ୍ତି ଯୋଗୀ ।

ସେ କଂଗ୍ରେସକୁ ବି କଡ଼ା ସ୍ୱରରେ ଆକ୍ରମଣ କରିଛନ୍ତି ।  ସେ କହିଛନ୍ତି, ଆଜି ବି ଏମିତି ଲୋକ ଅଛନ୍ତି ,ଯିଏ ଭାରତର  ଖାଇବେ  କିନ୍ତୁ ଗାଇବେ ପାକିସ୍ତାନର । ଭାରତର ଯଦି ବନ୍ଦନ କରିନପାରିବ ତେବେ ଚାଲିଯାଅ । ମୋଦିଙ୍କ ନେତୃତ୍ୱରେ ଭାରତରେ ବିକାଶ ,ସୁରକ୍ଷା, ସମ୍ମାନ ସବୁ ହୋଇଛି । ୫ଶହ ବର୍ଷର ଅପେକ୍ଷାର ଅନ୍ତ ଘଟାଇ ମୋଦି ଶ୍ରୀରାମ ମନ୍ଦିର କରିଛନ୍ତି ।

କହି ରଖୁଛୁ ଯେ, ରାଜ୍ୟରେ ଦୁଇଟି ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । ଆଉ ଦୁଇଟି ପର୍ଯ୍ୟାୟ ବାକି ଥିବାବେଳେ କେନ୍ଦ୍ରୀୟ ନେତା ଓଡ଼ିଶା ଆସି ପ୍ରଚାରକୁ ଜୋରଦାର କରୁଛନ୍ତି  । ସେହିପରି ଆଜି ଗୋଟିଏ ଦିନରେ ଓଡ଼ିଶା ଆସିଛନ୍ତି ଯୋଗୀ ଆଦିତ୍ୟନାଥ, ଜେପି ନଡ୍ଡା, ହିମନ୍ତ ବିଶ୍ବଶର୍ମା।

Leave A Reply

Your email address will not be published.