Latest Odisha News

BREAKING NEWS

ଡିସେମ୍ବର ୨୦ରେ ‘୧୦ମ ଓଡ଼ିଶା ପରିବେଶ କଂଗ୍ରେସ’; ପରିବେଶ ଓ ଖଣି ରହିବ ମୁଖ୍ୟ ବିଷୟବସ୍ତୁ

ଭୁବନେଶ୍ୱର: ପୂର୍ବ ଭଳି ଚଲିତ ବର୍ଷ ଓଡିଶା ପରିବେଶ କଂଗ୍ରେସ ୨୦୧୯ ତରଫରୁ ଡିସେମ୍ବର ୨୦ ରୁ ୨୨ ରିଖ ପର୍ଯ୍ୟନ୍ତ ଭୁବନେଶ୍ୱରସ୍ଥିତ ଆର.ଏମ୍.ଏନ୍.ଏଚ୍ ପରିସରରେ “ଖଣି ଏବଂ ପରିବେଶ” ବିଷୟକୁ ନେଇ ତିନି ଦିନିର କାର୍ଯ୍ୟକ୍ରମ ଆୟୋଜନ କରାଯିବ । ପ୍ରକୃତି ଆମ ରାଜ୍ୟକୁ ଖଣିଜ ସଂପଦରେ ବିଭବଶାଳୀ କରିଛି । ଖଣି ଆମ ଅର୍ଥନୀତିକୁ ସମୃଦ୍ଧ କରିଛି । କିନ୍ତୁ ସେହି ଖଣି ଆଜି ଅନେକ କ୍ଷେତ୍ରରେ ରାଜ୍ୟର ବିକାଶ ପରିବର୍ତ୍ତେ ବିନାଶର କାରଣ ପାଲଟିଛି । ବିଶେଷକରି ପରିବେଶ ଏହା ଦ୍ୱାରା ଗଭୀର ଭାବରେ ପ୍ରଭାବିତ ହୋଇଛି । ଖଣି ଅଂଚଳରେ ପାଣି ପବନ, ମାଟି, ଜଙ୍ଗଲ ଇତ୍ୟାଦି ପ୍ରଦୂଷଣ ଏବଂ ଅବକ୍ଷୟର ଶୀକାର ହୋଇଛି ।

ତିନି ଦିନିଆ ପରିବେଶ କଂଗ୍ରେସରେ ଏହି ବିଷୟକୁ ନେଇ ଚର୍ଚ୍ଚା ହେବ । ରାଜ୍ୟ ଏବଂ ରାଜ୍ୟ ବାହାରୁ ୩୦ ଜଣ ଗଭେଷକଙ୍କର ପ୍ରବନ୍ଧ ସବୁକୁ ସଂପାଦିତ କରାଯାଇ ଏକ ପୁସ୍ତକ ପ୍ରକାଶ ପାଇବ, ଯାହା ଉପରେ ତିନି ଦିନ ଧରି ଆଲୋଚନା ହେବ । “ଦାୟିତ୍ୱସମ୍ପନ୍ନ ଖଣି ଖନନ ଓ ଖଣି ଶିଳ୍ପ” ଉପରେ ଏକ ବିଶେଷ ଅଧିବେଶନ ଅନୁଷ୍ଠିତ ହେବ ଯେଉଁଥିରେ ଖଣି ଶିଳ୍ପ ମାନେ ଭାଗ ନେବେ । ସେହିପରି ଖଣି ଦ୍ୱାରା ପ୍ରଭାବିତ ଅଂଚଳର ଲୋକ ଏବଂ ଜନ ଆନେ୍ଦାଳନ ଗୁଡିକ “ଭୁକ୍ତଭୋଗୀଙ୍କ ସ୍ୱର” ଶୀର୍ଷକ ବିଶେଷ ଅଧିବେସନରେ ଭାଗ ନେବେ ।

ତିନିଦିନର ମୁଖ୍ୟ କାର୍ଯ୍ୟକ୍ରମ ପୂର୍ବରୁ ୧୫ ଡିସେମ୍ବର ରବିିବାର ଦିନ ଆର.ଏମ୍.ଏନ୍.ଏଚ୍ ପରିସରରେ ବିଭିନ୍ନ ବର୍ଗର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଖଣି ଏବଂ ପରିବେଶ ବିଷୟକୁ ନେଇ ପ୍ରବନ୍ଧ ଲିଖନ, ଚିତ୍ରାଙ୍କନ ଓ ତର୍କ ପ୍ରତିଯୋଗିତାର ଆୟୋଜନ କରାଯିବ ଏବଂ କଂଗ୍ରେସ ପୂର୍ବବତ୍ତୀ କାର୍ଯ୍ୟକ୍ରମ ହିସାବରେ କେନ୍ଦୁଝର ଓ ଝାରସୁଗୁଡା ଠାରେ ପରିବେଶ ଓ ଖଣି ବିଷୟକୁ ନେଇ ଦୁଇଟି ଜିଲ୍ଲା ସ୍ତରୀୟ କର୍ମଶାଳା ଆୟୋଜନ କରାଯିବାର ବ୍ୟବସ୍ଥା ରହିଛି । ଏହି କର୍ମଶାଳାରେ ଗଭେଷକ, ବୁଦ୍ଧିଜୀବି, ଛାତ୍ର, ସାମାଜିକ କର୍ମୀ ଇତ୍ୟାଦି ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ଯୋଗ ଦେବେ । ଯାହାର ସାରାଂଶ ତିନି ଦିନର ମୁଖ୍ୟ କାର୍ଯ୍ୟକ୍ରମକୁ ଆଗକୁ ନେବାରେ ଖୋରାକ ଯୋଗାଇବ ।

ଏହି ତିନିଦିନିଆ ପରିବେଶ କଂଗ୍ରେସ କାର୍ଯ୍ୟକ୍ରମରେ ଚାରିଗୋଟି ପ୍ରମୁଖ ପ୍ରତିଫଳନର ବ୍ୟବସ୍ଥା ରହିଛି ଯଥା:

୧. ଏକ ତଥ୍ୟ ସମ୍ବଳିତ ପୁସ୍ତକର ଉନ୍ମୋଚନ
୨. ଯୁବ ବୈଜ୍ଞାନିକ ସମ୍ମାନ
୩. ସବୁଜ ପ୍ରତିନିଧି ସମ୍ମାନ
୪. ଏସ୍.ବି ମିଶ୍ର ସବୁଜ ଶିଳ୍ପ ସଂସ୍ଥା ସମ୍ମାନ

ପ୍ରକାଶ ଥାଉକି ଏଚ.ଡି.ଏଫ୍ – ସି.ଡି.ଏ.ଆର୍, ସି.ଇ.ଡି, ଶିକ୍ଷା, ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ, ଜେଭିୟର ବିଶ୍ୱବିଦ୍ୟାଳୟ, ଓଡିଶା ପରିବେଶ ସମିତି ପ୍ରମୁଖ ଅନୁଷ୍ଠାନର ମିଳିତ ଆନୁକୂଲ୍ୟରେ ଏହି ଓଡିଶା ପରିବେଶ କଂଗ୍ରେସ ବିଗତ ୯ ବର୍ଷଧରି ଆୟୋଜିତ ହୋଇ ଆସୁଛି । ଚଳିତ ବର୍ଷ ଏହାର ୧୦ମ ଅଧିବେଶନ ଅନୁଷ୍ଠିତ ହେବାକୁ ଯାଉଛି । ଏଥିରେ ମହାମହିମ ରାଜ୍ୟପାଳ, ରାଜ୍ୟ ଏବଂ କେନ୍ଦ୍ରର ମନ୍ତ୍ରୀ ଓ ଅଧିକାରୀ ମାନଙ୍କ ବ୍ୟତୀତ ଉକôଳ ବିଶ୍ୱବିଦ୍ୟାଳୟ, ରମାଦେବୀ ମହିଳା ବିଶ୍ୱ ବିଦ୍ୟାଳୟ, ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର କୁଳପତି, ଅନ୍ୟାନ୍ୟ ଅନୁଷ୍ଠାନର ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ଆମନ୍ତ୍ରଣ କରାଯାଇଛି ।

ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଓଡିଶା ପରିବେଶ କଂଗ୍ରେସର ଅଧ୍ୟକ୍ଷ ଶ୍ରୀ ଧିରେନ କୁମାର ରାୟ, କାର୍ଯ୍ୟକାରି ସଂପାଦକ ଶ୍ରୀ ସୁଦର୍ଶନ ଦାସଙ୍କ ସମେତ ଡ: ବିଧୂ ଭୂଷଣ ସାମନ୍ତ, ଜୟକୃଷ୍ମ ପାଣିଗ୍ରାହୀ, ନିରଦ ଖୁଣ୍ଟିଆ, ବିଜୟ ପ୍ରଧାନ, ସୁବ୍ରତ ରାଉତ, ଦିଲ୍ଲିପ ସାବତ, ସରିତା ସାମଲ ପ୍ରମୁଖ ଯୋଗ ଦେଇଥିଲେ ।

Leave A Reply

Your email address will not be published.