Latest Odisha News

BREAKING NEWS

୭୩ତମ ସର୍ବଭାରତୀୟ ହକି ଚାମ୍ପିୟନସିପ ପାଇଁ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର: ଆସନ୍ତା ଏପ୍ରିଲ ୦୭ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଓଡିଶା ପୋଲିସ ଆନୁକୂଲ୍ୟରେ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମଠାରେ ୭୩ ତମ ସର୍ବ ଭାରତୀୟ ହକି ଚାମ୍ପିୟନସିପ ୨୦୨୫ ଅନୁଷ୍ଠିତ ହେବାକୁ ଯାଉଛି।

ଏହି ପରିପ୍ରେକ୍ଷୀରେ ଆଜି ଅପରାହ୍ନରେ ରାଜ୍ୟ ପୋଲିସ ମୁଖ୍ୟ କାର୍ଯ୍ୟାଳୟଠାରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇ ଛି। ଉକ୍ତ ଚାମ୍ପିୟନସିପକୁ ଶୃଙ୍ଖଳିତ, ସୁପରିଚାଳନା ସମେତ ବ୍ୟାପକ ବନ୍ଦୋବସ୍ତର ଆୟୋଜନ ସଂକ୍ରାନ୍ତରେ ଡିଜିପି ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଏହି ଚାମ୍ପିୟନସିପରେ ଦେଶର ବିଭିନ୍ନ ରାଜ୍ୟର ୨୭ଟି ପୁରୁଷ ଏବଂ ୧୦ଟି ମହିଳା ପୋଲିସ ଟିମ ଅଂଶଗ୍ରହଣ କରିବାର ସମ୍ଭାବନା ରହିଛି। ଏହା ସହ ବହୁ ଅନ୍ତର୍ଜାତୀୟ ହକି ଖେଳାଳିଙ୍କ ସମେତ ବିଶିଷ୍ଟ ବ୍ୟକ୍ତି ବିଶେଷ ଯୋଗ ଦେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଖେଳାଳି ଓ ଅତିଥିଙ୍କ ନିମନ୍ତେ ସ୍ଵତନ୍ତ୍ର ବ୍ୟବସ୍ଥା କରାଯିବା ଉପରେ ଡିଜିପି ଗୁରୁତ୍ଵାରୋପ କରିଥିଲେ।

ଏହାବ୍ଯତୀତ ସେମାନଙ୍କ ରହଣି ସ୍ଥାନ, ନିୟମିତ ଅଭ୍ୟାସ, ଅତିଥିଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧନା, ଉଦଘାଟନ ଓ ଉଦଯାପନୀ ସମାରୋହକୁ ଆକର୍ଷଣୀୟ ତଥା ଶୃଙ୍ଖଳିତ ଭାବେ ଆୟୋଜନ କରିବାକୁ ଡିଜିପି ବୈଠକରେ ଉପସ୍ଥିତ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଖେଳାଳିମାନେ କଳିଙ୍ଗ ଷ୍ଟାଡିୟମ ସମେତ ପୋଖରୀପୁଟ ଓ କିଟ କ୍ୟାମ୍ପସ ଗ୍ରାଉଣ୍ଡରେ ଅଭ୍ୟାସ କରିବେ।ଏହାକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ମଧ୍ୟ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି।

ଉକ୍ତ ବୈଠକରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ରେଲୱେ ଏବଂ ଉପକୂଳ ସୁରକ୍ଷା) ଅରୁଣ ବୋଥ୍ରା, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ(ଆଇନ ଓ ଶୃଙ୍ଖଳା) ସଞ୍ଜୟ କୁମାର, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ମୁଖ୍ୟାଳୟ) ଦୟାଲ ଗଙ୍ଗୱାର, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଏସଏପି) ରାଜେଶ କୁମାର, ଅତିରିକ୍ତ ପୋଲିସ କମିଶନର (କଟକ-ଭୁବନେଶ୍ବର), ନରସିଂହ ଭୋଳ, ଆଇଜିପି (ଟ୍ରେନିଂ) ଅନୁପ କୁମାର ସାହୁ, ଆଇଜିପି (ଏସଏପି) ଅବିନାଶ କୁମାର, ଆଇଜିପି (କ୍ରାଇମବ୍ରାଞ୍ଚ) ଡା ସାର୍ଥକ ଷଡଙ୍ଗୀ , ଡି.ଆଇ.ଜି.ପି (କ୍ରାଇମବ୍ରାଞ୍ଚ) ପ୍ରକାଶ ଆର, ଡିଆଇଜିପି (ପ୍ରୋଭିଜନିଂ) ଚରଣ ସିଂ ମିନା, ଡିଆଇଜିପି (ପର୍ସୋନେଲ) ଯୁଗଳ କିଶୋର କୁମାର ବନୋଥ, ଏସପି (ରେଲୱେ) ବିବେକାନନ୍ଦ ଶର୍ମା, ଡିସିପି (କଟକ) ଖିଲାରୀ ରିଷିକେଶ ଦ୍ୟାନଦେଓ ପ୍ରମୁଖ ଉପସ୍ଥିତ ଥିଲେ।

 

Comments are closed.