Latest Odisha News

BREAKING NEWS

ସାଇବର ସୁରକ୍ଷା ଅଭିଯାନ-୨୦୨୩ ପାଇଁ ଓଡ଼ିଶା ପୋଲିସ ଦିଲ୍ଲୀରେ ପୁରସ୍କୃତ

ଭୁବନେଶ୍ୱର: ସାଇବର ସୁରକ୍ଷା ଅଭିଯାନ-୨୦୨୩ ପାଇଁ ଆଜି ଦିଲ୍ଲୀରେ ପୁରସ୍କୃତ ହୋଇଛି ଓଡ଼ିଶା ପୋଲିସ । ଡିଜିପିଙ୍କ ତରଫରୁ କ୍ରାଇମ୍‌ବ୍ରାଞ୍ଚ ଆଇଜି ସଫିନ୍‌ ମହମ୍ମଦ କେ ଏହି ପୁରସ୍କାର ଗ୍ରହଣ କରିଛନ୍ତି । କାନପୁର ଆଇଆଇଟିର ଏଆଇଆଇଇ ସେଣ୍ଟର ଫର୍‌ ଏକ୍ସଲେ‌ନ୍‌ସ ସହଯୋଗରେ ଫ୍ୟୁଚର କ୍ରାଇମ୍‌ ରିସର୍ଚ୍ଚ ଫାଉଣ୍ଡେସନ୍‌ ପକ୍ଷରୁ ଦିଲ୍ଲୀରେ ଆୟୋଜିତ ୨ ଦିନିଆ କାର୍ଯ୍ୟକ୍ରମ ‘ଫ୍ୟୁଚର କ୍ରାଇମ୍‌ ସମ୍ମିଳନୀ-୨୦୨୪’ ରେ ସାଇବର ଇନିସିଏଟିଭ୍‌ ବର୍ଗରେ ଏହି ପୁରସ୍କାର ପ୍ରାପ୍ତ ହୋଇଛି ।

ଗତ କିଛି ବର୍ଷ ମଧ୍ୟରେ ସାରା ଦେଶ ଓ ରାଜ୍ୟରେ ସାଇବର ଅପରାଧର ମାତ୍ରା ଚିନ୍ତାଜନକ ଭାବେ ବୃଦ୍ଧି ପାଇଛି । ତେଣୁ ସାରା ରାଜ୍ୟରେ ସବୁ ସ୍ତରରେ ଏ ସଂପର୍କରେ ସଚେତନତା ଆଣିବା ପାଇଁ ଏହି ଅଭିଯାନ ଗତ ସେପ୍ଟେମ୍ବର ୩୦ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାଇବର ସୁରକ୍ଷା ଅଭିଯାନ-୨୦୨୩ର ଶୁଭାରମ୍ଭ କରିଥିଲେ । ମିଳିତ ଭାବେ ପ୍ରୟାସ କଲେ ଏହି ସାଇବର ଅପରାଧ ରୋକାଯାଇ ପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

୧୫ ଦିନିଆ ଏହି ଅଭିଯାନରେ ସାଇବର କ୍ରାଇମ୍‌ ଉପରେ ଲୋକଙ୍କୁ ସଚେତନ କରାଇବାର ମୂଳ ଉଦ୍ଦେଶ୍ୟ ରହିଥିଲା । ୧୫ ଦିନିଆ ଏହି ଅଭିଯାନରେ ୫୦ ହଜାରରୁ ଅଧିକ ଛାତ୍ର ଏବଂ ୧ ଲକ୍ଷ ପରିବାର ସାଇବର ସୁରକ୍ଷା ବିଷୟରେ ଅବଗତ ହୋଇଥିଲେ । ସାଇବର ଠକମାନଙ୍କ ଠାରୁ ବର୍ତ୍ତିବା ପାଇଁ କେଉଁ ଉପାୟ ଅବଲମ୍ବନ କରାଯାଇ ପାରିବ, ସେନେଇ ବାର୍ତ୍ତା ଦିଆଯାଇଥିଲା ।

ଏହି ପ୍ରକାରର ସଚେତନତାମୂଳକ କାର୍ଯ୍ୟକ୍ରମ ଦେଶରେ ପ୍ରଥମ ଥର ଆୟୋଜନ କରାଯାଇଥିଲା । ଏହା ପୁଣି ଉଭୟ ଅଫ୍‌ଲାଇନ୍‌ ଓ ଅନ୍‌ଲାଇନ୍‌ ମାଧ୍ୟମରେ କରାଯାଇଥିଲା । ସେହିଭଳି ଓଡ଼ିଓ, ଭିଡିଓ ଓ ପ୍ରିଣ୍ଟ ମାଧ୍ୟମରେ ସଚେତନ କରାଯାଇଥିଲା । ସତର୍କ ହୁଅନ୍ତୁ, ସୁରକ୍ଷିତ ରୁହନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ଅପିଲ କରିଥିଲେ ।

Leave A Reply

Your email address will not be published.