Latest Odisha News

BREAKING NEWS

ଅବପାତରେ ପରିଣତ ହେଲା ଲଘୁଚାପ, ଓଡ଼ିଶାରେ ବର୍ଷା ସମ୍ଭାବନା

ଯଦି ଏହି ଘୂର୍ଣ୍ଣିବଳୟ ସୃଷ୍ଟି ହୁଏ ତେବେ ଏହାର ନାମ ମୁରାସୁ ରଖାଯିବ...

ଭୁବନେଶ୍ବର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ଏହାର ସଂଲଗ୍ନ ଆଣ୍ଡାମାନ ସାଗର ଉପରେ ରହିଥିବା ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରଟି ଶନିବାର ଦିନ ଅବପାତରେ ପରିଣତ ହୋଇଛି। ଏନେଇ ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି ।

ଏହା ପଶ୍ଚିମ ଉତ୍ତରପଶ୍ଚିମ ଦିଗକୁ ଗତି ଜାରି ରଖି ଆଗାମୀ ୧୨ ଘଣ୍ଟା ମଧ୍ୟରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଉପରେ ଏକ ‘ଗଭୀର ଅବପାତ’ରେ ପରିଣତ ହେବାର ସମ୍ଭାବନା ରହିଛି। ଏହା ପରେ ପୁଣି ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି, ପରବର୍ତ୍ତୀ ୧୨ ଘଣ୍ଟା ମଧ୍ୟରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ଏହା ସଂଲଗ୍ନ ଦକ୍ଷିଣ-ପଶ୍ଚିମ ତଥା ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ‘ଘୂର୍ଣ୍ଣିବଳୟ’ ରୂପ ନେବାର ଯଥେଷ୍ଟ ସମ୍ଭାବନା ରହିଥିବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି ।

ଯଦି ଏହି ଘୂର୍ଣ୍ଣିବଳୟ ସୃଷ୍ଟି ହୁଏ ତେବେ ଏହାର ନାମ ମୁରାସୁ ରଖାଯିବ ବୋଲି ଚର୍ଚ୍ଚା ହେଉଛି। ‘ମୁରାସୁ’ ଏକ ତାମିଲ ନାମ ଅଟେ। ତାମିଲରେ ଏହାର ଅର୍ଥ ହେଉଛି ‘ଡ୍ରମ୍’।

ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଆଗାମୀ ଛଅ ଦିନ ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ଜାରି ରହିବାର ସମ୍ଭାବନା ଥିବାବେଳେ ନଭେମ୍ବର ୨ ଏବଂ ୩ ତାରିଖରୁ ଦକ୍ଷିଣ ଓଡ଼ିଶାର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ନଭେମ୍ବର ୩ ଓ ୪ ତାରିଖ ପାଇଁ ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି ଏବଂ ଗଞ୍ଜାମ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ‘ଅରେଞ୍ଜ ୱାର୍ଣ୍ଣିଂ’ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ। ଏଥିସହିତ କଳାହାଣ୍ଡି, ନବରଙ୍ଗପୁର, ପୁରୀ ଏବଂ ଖୋର୍ଦ୍ଧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

ନଭେମ୍ବର ୪-୫ ତାରିଖରେ ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି ଏବଂ ଗଞ୍ଜାମ ଜିଲ୍ଲାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।ଯେଉଁଥିପାଇଁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ‘ଅରେଞ୍ଜ ୱାର୍ଣ୍ଣିଂ’ ଜାରି ହୋଇଛି।

ସେହିପରି, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲ୍ଲା ପାଇଁ ପ୍ରବଳ ବର୍ଷା ନେଇ ‘ୟେଲୋ ୱାର୍ଣ୍ଣିଂ’ ଜାରି ହୋଇଛି।

ଏହି ସମୟ ମଧ୍ୟରେ ଜୋରରେ ପବନ ବହିବା ଏବଂ ସମୁଦ୍ର ଅଶାନ୍ତ ରହିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବାରୁ, ନଭେମ୍ବର ୨ ରୁ ୪ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଉପକୂଳବର୍ତ୍ତୀ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି।

Leave A Reply

Your email address will not be published.