ଭୁବନେଶ୍ୱର: ପଞ୍ଚସଖା ଯୁଗର ଶେଷ ସଖା ଭାବେ ଖୁବ୍ ପରିଚିତ ଥିଲେ ଆଚାର୍ଯ୍ୟ ହରିହର । ଏପରିକି ସତ୍ୟବାଦୀର ଯେଉଁ ପଞ୍ଚସଖା ପ୍ରାୟ ଅର୍ଦ୍ଧ ଶତାବ୍ଦୀ ଧରି ସ୍ୱତନ୍ତ୍ର ପ୍ରଦେଶ ଗଠନ, ଆଦର୍ଶ ଶିକ୍ଷାଦାନ ଓ ଜନସେବାରେ ବ୍ରତୀ ହୋଇଥିଲେ, ସେମାନଙ୍କ ମଧ୍ୟରୁ ସେ ଅନ୍ୟତମ ଥିଲେ ।
ହରିହର ଏକାଧାରରେ ଥିଲେ ଜଣେ ସ୍ୱାଧୀନତା ସଂଗ୍ରାମୀ, ଶିକ୍ଷକ ଓ ସମାଜ ସେବୀ । ଏପରିକି ସତ୍ୟବାଦୀ ବନବିଦ୍ୟାଳୟର ଶିକ୍ଷକ ହୋଇଥିବା ବେଳେ ଭଗବତ ଗୀତାର ଅନୁବାଦ ମଧ୍ୟ କରିଥିଲେ ।
ସେ ୧୮୭୯ ମସିହାରେ ମହାଦେବ ବ୍ରହ୍ମା ଓ ଶ୍ରଦ୍ଧାଦେବୀଙ୍କ କୋଳମଣ୍ଡନ କରିଥିଲେ । ହରିହରଙ୍କ ପିତାମହଙ୍କ ନାମ ହେଉଛି ଜଗନ୍ନାଥ ଦାସ ।
ପୁରୀର ଗଜପତି ମହାରାଜା ଜଗନ୍ନାଥଙ୍କ ପାଣ୍ଡିତ୍ୟରେ ଖୁସି ହୋଇ ତାଙ୍କୁ ‘ବ୍ରହ୍ମା’ ଉପାଧି ଦେଇଥିଲେ । ହେଲେ ହରିହର ଏହି ଉପାଧିକୁ ଗ୍ରହଣ ନକରି ଦାସ ଲେଖୁଥିଲେ ।
ସେ ଓଡିଶାର ସର୍ବୋଦୟ ଆନ୍ଦୋଳନର ନେତୃତ୍ୱ ନେଇଥିଲେ । ଏହାବ୍ୟତିତ ହରିହର ସନ୍ନ୍ୟାସୀ ପ୍ରତିମ ହୋଇଥିବାରୁ ନିଜର ସମସ୍ତ ସମ୍ପତ୍ତି ସେ ଅନ୍ୟମାନଙ୍କୁ ଦାନ କରିଦେଇଥିଲେ ।
ଆହୁରି ମଧ୍ୟ ଉତ୍କଳମଣି ଗୋପବନ୍ଧୁ ତାଙ୍କୁ ‘ଆଚାର୍ଯ୍ୟ’ ଉପାଧି ପ୍ରଦାନ କରିଥିଲେ । ଯାହାଫଳରେ ସେ ପରବର୍ତ୍ତୀ ସମୟରେ ‘ଆଚାର୍ଯ୍ୟ ମହାଶୟ’ ନାମରେ ସର୍ବତ୍ର ପରିଚିତ ହୋଇଥିଲେ ।
୧୯୭୧ ମସିହା ଫେବୃଆରୀ ୨୧ ତାରିଖରେ ସେ ଶେଷନିଶ୍ୱାସ ତ୍ୟାଗ କରିଥିଲେ।