Latest Odisha News

BREAKING NEWS

ଭୁବନେଶ୍ୱର ରେଲୱେ ଷ୍ଟେସନ ପୁନଃନିର୍ମାଣ ନିମନ୍ତେ ଓଡ଼ିଶା-ରେଲୱେ ମଧ୍ୟରେ ଆଜି ‘ଏମଓୟୁ’ ସ୍ୱାକ୍ଷରିତ ହେବ

ଭୁବନେଶ୍ୱର: ଭୁବନେଶ୍ୱର ରେଳ ଷ୍ଟେସନର ପୁନର୍ବିକାଶ ନେଇ ଆଜି ଭାରତୀୟ ରେଳବାଇ ଏବଂ ଓଡ଼ିଶା ସରକାରଙ୍କ ମଧ୍ୟରେ ଏକ ବୁଝାମଣା ସ୍ୱାକ୍ଷରିତ ହେବାକୁ ଯାଉଛି ।

ଏହି ପ୍ରସ୍ତାବିତ ଯୋଜନାନୁଯାୟୀ, ଭୁବନେଶ୍ୱର ରେଲୱେ ଷ୍ଟେସନ ଏବଂ ଏହାର ଆଖପାଖ ଅଞ୍ଚଳ ଏକ ମଲଟି ମୋଡ଼ାଲ୍ ହବ୍ (ଆରଏସଏମଏଚ)ରେ ରୂପାନ୍ତରିତ ହେବ । ଏହି ପ୍ରସ୍ତାବିତ ଯୋଜନାଟି କେନ୍ଦ୍ର ସରକାରଙ୍କ ସ୍ମାର୍ଟ ସିଟି ମିଶନ ଅନ୍ତର୍ଗତ ବୋଲି ଜଣାପଡ଼ିଛି । ଏହି ଯୋଜନାଟିକୁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡ଼ିଏ) ମାଧ୍ୟମରେ ହାତକୁ ନେଇଛନ୍ତି ।

ଖୋର୍ଦ୍ଧା ରୋଡ଼ ରେଲୱେ ଡ଼ିଭିଜନର ଡ଼ିଭିଜନାଲ୍ ମ୍ୟାନେଜର୍ ଶଶିକାନ୍ତ ସିଂହ ବିଡ଼ିଏର ଚେୟାରମ୍ୟାନଙ୍କ ସହିତ ଏହି ବୁଝାମଣାରେ ସ୍ୱାକ୍ଷର କରିବେ ।

ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଅଂଶଗ୍ରହଣ କରିବେ । ସେହିପରି କେନ୍ଦ୍ର ରେଳବାଇ ମନ୍ତ୍ରୀ ପୀୟୁଷ ଗୋଏଲ୍ ଏବଂ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦିଲ୍ଲୀରୁ ଏହି କାର୍ଯ୍ୟକ୍ରମରେ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଅତିଥି ଭାବେ ଅଂଶଗ୍ରହଣ କରିବେ ।

ଭୁବନେଶ୍ୱର ରେଲୱେ ଷ୍ଟେସନରେ ରେଳବାଇ ଓ ଓଡ଼ିଶା ସରକାରଙ୍କ ପକ୍ଷରୁ ପ୍ରଦାନ କରାଯିବାକୁ ଥିବା ସ୍ଥାନରେ ନୂଆ ଷ୍ଟେସନ ବିଲ୍ଡିଂ, ଦୁଇଟି ନୂଆ ରେଳ ପ୍ଲାଟଫର୍ମ ନିର୍ମାଣ ଏବଂ ବିକସିତ ହେବାର ଯୋଜନା ରହିଛି ।

ଏହି ପ୍ରସ୍ତାବିତ ଷ୍ଟେସନ ବିଲ୍ଡିଂଟି ଜି+୫ ଫ୍ଲୋର ମାଧ୍ୟମରେ ନିର୍ମିତ ହେବ । ଏହାର ୩ଟି ମହଲା ରେଳବାଇ ଦ୍ୱାରା ପରିଚାଳିତ ହେବ । ଏଥିଲାଗି ସମୁଦାୟ ୧.୭୪ ଲକ୍ଷ ବର୍ଗଫୁଟ ପରିବ୍ୟାପ୍ତ ସ୍ଥାନ ମଧ୍ୟରେ ନିର୍ମିତ ହେବାର ପ୍ରସ୍ତାବ ରହିଛି ।

ଏହାର ବ୍ୟୟ ଅଟକଳ ଅନୁସାରେ ରେଳବାଇ ପକ୍ଷରୁ ପ୍ରାୟ ୭୦ କୋଟି ଟଙ୍କା ପ୍ରଦାନ କରାଯିବ । ଏହି ପ୍ରସ୍ତାବ ଅନୁଯାୟୀ ଦୁଇଟି ନୂଆ ରେଳ ପ୍ଲାଟଫର୍ମ ନିର୍ମାଣର ବ୍ୟୟ ଏଥିରେ ଅନ୍ତର୍ଭୃକ୍ତ ।

ଏହି ପ୍ରସ୍ତାବିତ ଯୋଜନା ଅନୁଯାୟୀ ଓଡ଼ିଶା ସରକାର ନୂଆ ଷ୍ଟେସନ ବିଲ୍ଡିଂ ନିର୍ମାଣ ଲାଗି ୬୦ କୋଟି ଟଙ୍କା ବ୍ୟୟ କରିବେ ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.