ହିଞ୍ଜିଳି ଗର୍ଭବତୀ ହତ୍ୟା ଘଟଣାରେ ସାରା ଓଡ଼ିଶା ମର୍ମାହତ: ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନବୀନଙ୍କ ଚିଠି
ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଅଞ୍ଚଳରେ ଜଣେ ଗର୍ଭବତୀ ମହିଳାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ଏହି ଘଟଣାକୁ ନେଇ ଏବେ ଜୋର୍ ଧରିଲା ରାଜନୀତି। ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖିଛନ୍ତି। ଏହି ଘଟଣାକୁ ନବୀନ ଚିଠି ଲେଖି ଗଭୀର ଉଦବେଗ ପ୍ରକାଶ କରିଛନ୍ତି। ବ୍ୟକ୍ତିଗତ ହସ୍ତକ୍ଷେପ ସହ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି।
ମା’ର ମୃତଦେହ ପାଖରେ ୩ ବର୍ଷର ଶିଶୁ କାନ୍ଦୁଥିବା ଦୃଶ୍ୟ ସମଗ୍ର ଓଡ଼ିଶାର ହୃଦୟକୁ ଆଘାତ ଦେଇଛି। ଏହି ଘଟଣାର ସାକ୍ଷୀ ମଧ୍ୟ ସେହି ୩ ବର୍ଷର ଶିଶୁ। ଏହି ଶିଶୁକୁ ତୁରନ୍ତ ରାଜ୍ୟ ସରକାରଙ୍କ ପକ୍ଷରୁ ଚିକିତ୍ସା, ଆର୍ଥିକ ସହାୟତା ଓ ପୁନର୍ବାସ ସୁବିଧା ଯୋଗାଇବାକୁ ଦାବି କରିଛନ୍ତି ନବୀନ ପଟ୍ଟନାୟକ। ନବୀନ ଚିଠିରେ ଲେଖିଛନ୍ତି, ହିଞ୍ଜିଳି ଅନ୍ତର୍ଗତ ଖରିଡା ଗାଁରେ ଘଟିଥିବା ଏହି ଘଟଣା ଅତ୍ୟନ୍ତ ହୃଦୟବିଦାରକ। ନ୍ୟାୟ ଦାବିରେ ନିଜ ସନ୍ତାନକୁ କୋଳରେ ଧରି ସ୍ୱାମୀଙ୍କ ଘର ସାମ୍ନାରେ ଧାରଣାରେ ବସିଥିବା ସମୟରେ ମହିଳାଙ୍କୁ ତାଙ୍କ ସ୍ୱାମୀଙ୍କ ଭାଇ ଆକ୍ରମଣ କରି ହତ୍ୟା କରିଥିଲେ। ଘଟଣା ସମୟରେ ମା’ର ମୃତଦେହ ପାଖରେ ୩ ବର୍ଷର ଶିଶୁ କାନ୍ଦୁଥିବା ଦୃଶ୍ୟ ସମଗ୍ର ଓଡ଼ିଶାର ହୃଦୟକୁ ଆଘାତ ଦେଇଛି।
ଏହି ଘଟଣାରେ ମୁଖ୍ୟମନ୍ତ୍ରୀଙ୍କୁ ତୁରନ୍ତ ହସ୍ତକ୍ଷେପ କରି ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ଓ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଅନୁରୋଧ କରିଛନ୍ତି ନବୀନ ପଟ୍ଟନାୟକ। ଏହାସହ ମହିଳା ଧାରଣାରେ ବସିଥିବା ସମୟରେ ପୋଲିସ ପକ୍ଷରୁ ପୂର୍ବରୁ କାହିଁକି ପ୍ରତିରୋଧମୂଳକ ପଦକ୍ଷେପ ନିଆଯାଇନଥିଲା, ସେନେଇ ମଧ୍ୟ ତଦନ୍ତ କରିବାକୁ ନବୀନ ପଟ୍ଟନାୟକ ଦାବି କରିଛନ୍ତି। ଏପରି ଘଟଣାର ପୁନରାବୃତ୍ତି ରୋକିବା ପାଇଁ କଡ଼ା ପଦକ୍ଷେପ ନେବାକୁ ସେ କହିଛନ୍ତି।
Comments are closed.