Latest Odisha News

BREAKING NEWS

୨୦୧୮ ରେ ଯେଉଁ କ୍ରୀଡ଼ାବିତମାନେ ଓଡ଼ିଶାକୁ କରିଛନ୍ତି ଗୌରବାନ୍ୱିତ, ଜାଣନ୍ତୁ…

ଭୁବନେଶ୍ୱର: ଓଡ଼ିଶାର ପ୍ରତିଭାବାନ କ୍ରିଡ଼ାବିତମାନେ ୨୦୧୮ ମସିହାରେ ଓଡ଼ିଶା କ୍ରୀଡ଼ା ଇତିହାସରେ ନୂଆ କୀର୍ତ୍ତିମାନ ରଚନା କରିଛନ୍ତି । ସେହିପରି ଓଡ଼ିଶା ରାଜ୍ୟ ସରକାରଙ୍କ ଦ୍ୱାରା ଆୟୋଜିତ ବିଶ୍ୱକପ ହକି ପ୍ରତିଯୋଗିତା ଭାରତୀୟ କ୍ରୀଡ଼ା ଇତିହାସ ତଥା ଓଡ଼ିଶା କ୍ରୀଡ଼ା ଜଗତ ଲାଗି ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ସୃଷ୍ଟି କରିଛି । ଓଡିଆ ଖେଳାଳି ଭାରତୀୟ ଜାତୀୟ ପତାକାର ଆନ୍ତର୍ଜାତୀୟ କ୍ରୀଡ଼ା କ୍ଷେତ୍ରରେ ଟେକ ରଖି ରାଜ୍ୟର ସମ୍ମାନ ବୃଦ୍ଧି କରିବାରେ ସହାୟକ ହୋଇପାରିଛନ୍ତି ।

ଗଭୀର ଆତ୍ମବିଶ୍ୱାସ ତଥା କଠୋର ପରିଶ୍ରମ ଯୋଗୁଁ ଓଡ଼ିଶାର କ୍ରୀଡ଼ାବିତମାନେ ରାଜ୍ୟ ତଥା ଦେଶର ସମ୍ମାନ ବୃଦ୍ଧି କରିପାରିଛନ୍ତି । ‘ଓଡ଼ିଶା ସମ୍ବାଦ’ ସେହି ଓଡ଼ିଆ କୃତୀ କ୍ରୀଡ଼ା ପ୍ରତିଭାଧରମାନଙ୍କୁ ସାଧୁବାଦ ଜଣାଇବା ସହିତ ସେମାନଙ୍କୁ ଶୁଭେଚ୍ଛା ଜ୍ଞାପନ କରୁଛି ।

ଦୁତୀ ଚାନ୍ଦ: ଭାରତୀୟ ଦୌଡ଼ରାଣୀ ଓଡ଼ିଆ ସିଲଭର କୁଇନ୍ ଦୁତୀ ଚାନ୍ଦ ଇଣ୍ଡୋନେସିଆର ଜାକର୍ତ୍ତାଠାରେ ଅନୁଷ୍ଠିତ ହୋଇଥିବା ୧୮ତମ ଏସୀୟ କ୍ରୀଡ଼ାରେ ୨ଟି ରୌପ୍ୟ ପଦକ ହାସଲ କରି ରାଜ୍ୟ ତଥା ଦେଶକୁ ଗୌରବାନ୍ୱିତ କରିପାରିଛନ୍ତି ।

ଦୁତୀ ଅଗଷ୍ଟ ୨୬ ତାରିଖ ଦିନ ୧୧.୩୨ ସେକେଣ୍ଡରେ ୧୦୦ ମିଟର ଅତିକ୍ରମ କରି ଭାରତକୁ ରୌପ୍ୟ ପଦକ ଜିତାଇଥିଲେ । ସେହିପରି ସେ ମଧ୍ୟ ଏହି ଏସୀୟ କ୍ରୀଡ଼ାରେ ୨୦୦ ମିଟର ଦୌଡ଼ ପ୍ରତିଯୋଗିତାରେ ୨ୟ ରୌପ୍ୟ ପଦକ ହାସଲ କରି ସମଗ୍ର ଏସିଆରେ ରେକର୍ଡ଼ ସୃଷ୍ଟି କରିପାରିଛନ୍ତି ।

ପଦ୍ମିନୀ ରାଉତ: ୨୦୧୮ ମସିହାର ସମ୍ମାନଜନକ ‘ଏସୀଆନ କଣ୍ଟିନେଣ୍ଟାଲ୍ ଚେସ ଚାମ୍ପିୟନସିପ’ରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ସେ ୯ଟି ରାଉଣ୍ଡରେ ୭ଟି ମୂଲ୍ୟବାନ ପଏଣ୍ଟ ହାସଲ କରି ବିଜୟ ମୁକୁଟ ହାସଲ କରିପାରିଛନ୍ତି ।

ଋତୁପର୍ଣ୍ଣା ପଣ୍ଡା: ଚଳିତ ବର୍ଷ ଅକ୍ଟୋବର ମାସରେ ଋତୁପର୍ଣ୍ଣା ଗ୍ରୀସଠାରେ ହେଲାସ ଓପନ ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ୨ଟି ଟାଇଟଲ୍ ହାସଲ କରିଛନ୍ତି ।

ଜୟନ୍ତି ବେହେରା: ଓଡ଼ିଆ ସ୍ପ୍ରିଣ୍ଟର୍ ଜୟନ୍ତି ବେହେରା ୨୦୧୮ ମସିହା ପାରା ଅଲିମ୍ପିକ୍ସରେ ୨ଟି ପଦକ ହାସଲ କରି ବିଶ୍ୱସ୍ତରରେ ଦେଶ ତଥା ରାଜ୍ୟର ସମ୍ମାନ ବୃଦ୍ଧି କରିଛନ୍ତି । ଜୟନ୍ତୀଙ୍କ ଘର ପୁରୀ ଜିଲ୍ଲା ସାକ୍ଷୀଗୋପାଳ ଅନ୍ତର୍ଗତ ଗୁରୁକୁଳ ଗ୍ରାମରେ । ତାଙ୍କୁ ମାତ୍ର ୧ ବର୍ଷ ହୋଇଥିଲା ବେଳେ ଏକ ଅଗ୍ନିକାଣ୍ଡରେ ତାଙ୍କର ଡ଼ାହାଣ ହାତ ପୋଡ଼ିଯାଇ ନଷ୍ଟ ହୋଇଯାଇଥିଲା ।
ଲିଲିମା ମିଞ୍ଚ: ଜଣାଶୁଣା ଓଡ଼ିଆ ହକି ତାରକା ଲିଲିମା ମିଞ୍ଜ ୨୦୧୮ ମସିହା ଲାଗି ଓଡ଼ିଶାର ସମ୍ମାନଜନକ ଏକଲବ୍ୟ ପୁରସ୍କାର ହାସଲ କରିଛନ୍ତି । ଏହି ପୁରସ୍କାର ସହିତ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ସହିତ ମାନପତ୍ର ଗ୍ରହଣ କରିଛନ୍ତି ।

ଲିଲିମା ତାଙ୍କ ଅନ୍ୟ ଓଡ଼ିଆ ସାଥୀ ଖେଳାଳି ସୁନୀତା ଲାକ୍ରା, ନମିତା ଟପ୍ପୋ ଏବଂ ଦୀପ୍ ଗ୍ରେସ ଏକ୍କାଙ୍କ ସହିତ ଏସୀୟ କ୍ରୀଡ଼ାରେ ରୌପ୍ୟ ପଦକ ହାସଲ କରିପାରିଛନ୍ତି ।

ଅଂଶୁମାନ ରଥ: ଏହି ୨୦ ବର୍ଷ ବୟସ୍କ ଯୁବ ଓଡ଼ିଆ କ୍ରିକେଟର ହଂକଂ ଜାତୀୟ ଦଳର କପ୍ତାନ । ତାଙ୍କୁ ସେହି ଦେଶରେ ମହେନ୍ଦ୍ର ସିଂ ଧୋନୀ ଭାବେ ବିବେଚିତ କରାଯାଇଥାଏ । ସେ ୟୁଏଇରେ ଅନୁଷ୍ଠିତ ହୋଇଥିବା ଏସିଆକପରେ ହଂକଂ ଦଳକୁ ଅଧି୍ନାୟକ ଭାବେ ପ୍ରତିନିଧିତ୍ୱ କରିଥିଲେ ।

ପପ୍ପୁ ରାୟ: ଅକ୍ଟୋବର ମାସରେ ଅନୁଷ୍ଠିତ ଦେଓଧର ଟ୍ରଫିରେ ଏହି ଉଦୀୟମାନ ଓଡ଼ିଶା କ୍ରିକେଟର୍ ୪୫ ରନ ଦେଇ ୩ଟି ୱିକେଟ ନେଇପାରିଥିଲେ ।
ସ୍ୱର୍ଣ୍ଣଲତା ଦଳେଇ: ଏହି ଦୁଃସାହସୀ ଓଡ଼ିଆ ଝିଅ ମେ ମାସ ୨୦୧୮ରେ ମାଉଣ୍ଟ ଏଭରେଷ୍ଟ ଚଢି ରାଜ୍ୟ ତଥା ଦେଶକୁ ଗୌରବାନ୍ୱିତ କରିପାରିଛନ୍ତି । ସେ ୨୦୧୫ ମସିହାରେ ପର୍ବତାରୋହଣ ଶିଖିଥିଲେ ।

Leave A Reply

Your email address will not be published.