Latest Odisha News

ଐତିହାସିକ ‘କାଳିଆ’ ଯୋଜନାକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଦିନ ସଚିବାଳୟଠାରେ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଓଡ଼ିଶାର କୃଷକମାନଙ୍କ ରୋଜଗାର ବୃଦ୍ଧି ନିମନ୍ତେ ‘କାଳିଆ’ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନାର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ପ୍ରଥମ ପର୍ଯ୍ୟାୟରେ ୨୧.୪୦ ଲକ୍ଷରୁ ଅଧିକ ପ୍ରକୃତ ଚାଷୀଙ୍କ ତାଲିକା ମଧ୍ୟ ପ୍ରକାଶ କରିଛନ୍ତି ।

ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଏହି କାଳିଆ ଯୋଜନାର ଶୁଭ ଉଦଘାଟନ ଅବସରରେ ୧ ଲକ୍ଷ ପ୍ରକୃତ ଚାଷୀଙ୍କ ତାଲିକା ମଧ୍ୟ ପ୍ରକାଶ ପାଇଛି । ଏହି ଚାଷୀମାନେ ଜାନୁଆରୀ ୨୫ ତାରିଖ ସୁଦ୍ଧା ପ୍ରଥମ ପର୍ଯ୍ୟାୟର ୫୦୦୦ ଟଙ୍କା ଲେଖାଏଁ ସହାୟତା ପାଇପାରିବେ । ଫେବୃଆରୀ ମାସରେ ସମସ୍ତ ଯୋଗ୍ୟ ହିତାଧିକାରୀ ଚାଷୀଙ୍କ ଏକ ସମ୍ପୂର୍ଣ୍ଣ ତାଲିକା ମଧ୍ୟ ପ୍ରକାଶିତ ହେବ ।

ଆଜି ଏହି ଅବସରରେ ରାଜ୍ୟ ସଚିବାଳୟଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଯୋଜନାରେ ଲୋଗୋ ଏବଂ ୱେବସାଇଟ୍ ମଧ୍ୟ ଉନ୍ମୋଚନ କରିଥିଲେ ।

ଯୋଜନାର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, “ଆମର ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ଆଜି କାଳିଆ ଯୋଜନା ଆରମ୍ଭ କରି ମୁଁ ବହୁତ ଖୁସି । ଏହି ଯୋଜନାରେ ରାଜ୍ୟର ୯୨ ପ୍ରତିଶତ ଚାଷୀ ଉପକାର ପାଇବେ । ଚାଷୀମାନେ ବିନା ସୁଧରେ ମଧ୍ୟ ସହାୟତା ପାଇପାରିବେ । ପ୍ରକୃତ ଚାଷୀଙ୍କ ସମେତ କୃଷି ଶ୍ରମିକ ସମସ୍ତେ ଏହି ସୁବିଧା ପାଇପାରିବେ । ଚାଷୀଙ୍କୁ ବିନା ସୁଧରେ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ବିନା ସୁଧରରେ ଋଣ ଦିଆଯିବ । ଚାଷୀଙ୍କ ବିମା ସୁବିଧା କରାଯିବାର ବ୍ୟବସ୍ଥା ହୋଇଛି । କ୍ଷୁଦ୍ରଚାଷୀ ୨୫ ହଜାର ଟଙ୍କା ସହାୟତା ପାଇପାରିବେ । ”

ଏଠାରେ ଉଲ୍ଲେଖଯୋଗ୍ୟ, ଚଳିତ ମାସ ୨୧ ତାରିଖରେ ମୁଖ୍ୟମନ୍ତ୍ରୀ ଏହି କାଳିଆ ଯୋଜନାର ଘୋଷଣା କରିଥିଲେ । ଆଜିର କାର୍ଯ୍ୟକ୍ରମରେ ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର, ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢୀ, ଉନ୍ନୟନ କମିଶନର ଅସିତ କୁମାର ତ୍ରିପାଠୀ ଓ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବମାନେ ଉପସ୍ଥିତ ରହିଥିଲେ । ଏହି ଅବସରରେ ଜିଲ୍ଲା ଓ ବ୍ଲକସ୍ତରରେ ଅଧିକାରୀ ଓ ଚାଷୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.