Latest Odisha News

BREAKING NEWS

ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ୯୦ ବର୍ଷ ପୂର୍ତ୍ତି ଉତ୍ସବ

ଭୁବନେଶ୍ୱର : ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ୯୦ ବର୍ଷ ପୂର୍ତ୍ତି ଉତ୍ସବ ସଂଗ୍ରହାଳୟ ପରିସରରେ ପାଳିତ ପାଇଁ ନିବେଦିତା ମହାନ୍ତି, ବେଣୁଧର ମହାପାତ୍ର, ଗୋବିନ୍ଦ ପାଲ, ପ୍ରସନ୍ନ କୁମାର ଦାଶ ଓ ସଂଗ୍ରହାଳୟର ବିଭିନ୍ନ ଗ୍ୟାଲେରୀର ପରାମର୍ଶଦାତା ମଣ୍ଡଳୀରେ ଥିବା ପ୍ରହ୍ଲାଦ ସିଂହ, ପ୍ରଫେସର ନିହାର ରଞ୍ଜନ ପଟ୍ଟନାୟକ, ରାମହରି ଜେନା, ସଂଗ୍ରାମ ଜେନା ପ୍ରମୁଖଙ୍କୁ ସମ୍ବଦ୍ଧିତ କରାଯାଇଥିବାବେଳେ ସାଂସ୍କୃତିକ କ୍ୟାଲେଣ୍ଡର ୨୦୨୪ ଓ ‘ଦ ଓଡ଼ିଶା ହିଷ୍ଟୋରିକାଲ ରିସର୍ଚ୍ଚ ଜର୍ଣ୍ଣାଲ’ର ସ୍ୱତନ୍ତ୍ର ସଂଖ୍ୟା ଉନ୍ମୋଚିତ ହୋଇଥିଲା ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରି କହିଲେ ଯେ ସଂଗ୍ରହାଳୟ କେବଳ ଆମ ଗୌରବମୟ ଇତିହାସର ମୂକସାକ୍ଷୀ ନୁହେଁ, ବରଂ ଆମ ଅସ୍ମିତାର ପରିଚୟ । ଏହା ହେଉଛି ଗୋଟିଏ ସଭ୍ୟତା, ଜାତି ଓ ସଂସ୍କୃତିର ଦର୍ପଣ । ଓଡ଼ିଶାର ସମସ୍ତ ହାଇସ୍କୁଲର ଛାତ୍ରଛାତ୍ରୀ ସଂଗ୍ରହାଳୟ ସହ ପରିଚିତ ହେବାର ଆବଶ୍ୟକତା ରହିଛି । ଏହା ଦ୍ୱାରା ସେମାନେ ଆମ ଗୌରବମୟ ଅତୀତ ସମ୍ପର୍କରେରେ ଅନେକ କିଛି ଜାଣିପାରିବେ ବୋଲି ସେ କହିଥିଲେ ।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର କମିଶନର ତଥା ଶାସନ ସଚିବ ସୁଜାତା ରାଉତ କାର୍ତ୍ତିକେୟନ୍‌ଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଉପଦେଷ୍ଟା, ଆର୍‌. ବାଲାକ୍ରିଷ୍ଣନ୍‌ ମୁଖ୍ୟ ଅତିଥି, ସଂଗ୍ରହାଳୟ ତତ୍ତ୍ୱବିତ୍‌ ପ୍ରଫେସର ଜ୍ୟୋତିନ୍ଦ୍ର ଜୈନ ମୁଖ୍ୟବକ୍ତା, ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ଅଧ୍ୟକ୍ଷ ଲେନିନ୍‌ ମହାନ୍ତି ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ।

ରାଜ୍ୟ ସଂଗ୍ରହାଳୟ ଓଡ଼ିଶାର ସମସ୍ତ ଐତିହ୍ୟପୂର୍ଣ୍ଣ ଉପାଦାନକୁ ସ୍ଥାନ ଦେଇଛି । ଭାଷା, ସାହିିତ୍ୟ ଓ ସଂସ୍କୃତି ହେଉଛି ଏକ ଜାତିର ମୂଳପିଣ୍ଡ । ଏହାର ସୁରକ୍ଷା ଓ ସଂରକ୍ଷଣ ହୋଇପାରିଲେ ଗୋଟିଏ ଜାତିର ବିକାଶ ହୋଇପାରିବ । ରାଜ୍ୟରେ ଜାରି ରୂପାନ୍ତରଣ କାର୍ଯ୍ୟକ୍ରମରେ ଐତିହ୍ୟ ଓ ସଂସ୍କୃତିକୁ ସର୍ବଦା ଗୁରୁତ୍ୱ ଦିଆଯାଉଛି । ଏକ ଜାତି ପାଇଁ ସଂଗ୍ରହାଳୟ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ଗ୍ରହଣ କରିଥାଏ । ସମସ୍ତ ଜ୍ଞାନର ମୂଳତତ୍ତ୍ୱ ସଂଗ୍ରହାଳୟରେ ସଂରକ୍ଷିତ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ସଂଗ୍ରହାଳୟ ସମ୍ମୁଖ ଭାଗରେ ଥିବା ଫୁଲ ତ୍ୱରଣ, ମ୍ୟୁଜିକାଲ ଫାଉଣ୍ଟେନ୍‌, ଶିଶୁ ଶଙ୍କର ଦାସ ରଚିତ ‘ଉଷାଅଭିଳାଷ’ର ପ୍ରଥମ ଓଡ଼ିଆ ଟିକା ଓ ତାଳପତ୍ର ଖୋଦିତ ଚିତ୍ରରାଜି ସମୂହର ଅଡ଼ିଓ ଭିଜୁଆଲ୍‌, ବିସ୍ତୃତ ସୂଚନା ଫଳକ ଗ୍ୟାଲେରୀ, ଆନିମଲ କାର୍ନିଭାଲ ସେଲ୍‌ଫିଜୋନ୍‌ ଆଦି ଅତିଥିମାନଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଥିବାବେଳେ ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ ରଥର ତିନିଚକକୁ ଲୋକାର୍ପିତ କରାଯାଇଥିଲା । ରାଜ୍ୟ ସଂଗ୍ରହାଳୟରେ ପର୍ଯ୍ୟଟନ କର୍ମଶାଳାରେ ୧୪ ଦିନ ଧରି ପ୍ରଶିକ୍ଷଣ ନେଉଥିବା ଫ୍ରାଙ୍କଲିନ୍‌ ଇନ୍‌ଷ୍ଟିଚୁ୍ୟଟ୍‌ ଅଫ୍‌ ହସ୍‌ପିଟାଲିଟି ଆଣ୍ଡ ମ୍ୟାନେଜ୍‌ମେଣ୍ଟର ୭୦ ଜଣ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ନିର୍ଦ୍ଦେଶକ ଦିଲୀପ ରାଉତରାଏ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ, ଭାଗ୍ୟଲିପି ମଲ୍ଲ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଓ କୁ୍ୟରେଟର ଭାରତୀ ପାଲ ଧନ୍ୟବାଦ ଅର୍ପଣ କରିଥିଲେ ।  ଏହି ଅବସରରେ ବହୁ ବୁଦ୍ଧିଜୀବୀ, ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ସମେତ ବିଭାଗୀୟ ସ୍ୱତନ୍ତ୍ର ସଚିବ ମଧୁସୂଦନ ଦାସ, ଯୁଗ୍ମ ନିର୍ଦ୍ଦେଶକ ଅତସି ଦାସ, ସୁବୋଧ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.