Latest Odisha News

BREAKING NEWS

ଭାଷା ଭାଗବତ : ଭାଷା ଗଡ଼ୁଛି ତଳେ ପଡ଼ି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ

 

ସଂହାର ସଂସାର ସଂଭାର

ସଂଚାର ଉଚ୍ଚାରଣ କର

ଭିନ୍ନତା ନ ଶୁଭିଲେ କାହିଁ

ବନାନ ବଦଳାଅନାହିଁ

 

ସଂଯତ ସଂହତ ସଂଗତ

ଏକ ପ୍ରକାରେ ଉଚ୍ଚାରିତ

ହେଲେ ବି ଲେଖିଲେ *ସଙ୍ଗତ*

ହେଲାନି ଏ ଭାଷାର ହିତ

 

ଆଗ୍ରହ, ବିଗ୍ରହ, ସଂଗ୍ରହ

ସବୁଠି ଲୋଡ଼ାପଡ଼େ *ଗ୍ରହ*

ଗୋଟିକୁ କରିଦେଲେ *ଙ୍ଗ୍ରହ*

ଲିପି ହିଁ ହୁଏ ଭୟାବହ

 

ସଂଯମ ସଂଗମ ସଂଭ୍ରମ

ନ ଥିଲେ ସୁଦ୍ଧା କିଛି ଭ୍ରମ

*ସଙ୍ଗମ ସମ୍ଭ୍ରମ* ଲିଖନ

ହୁଏ ଅଯଥା ତ୍ରୁଟିପୂର୍ଣ

 

ଅନୁଚ୍ଚାରଣୀୟ ଅକ୍ଷର

ପୋଷିବା ଅଭ୍ୟାସ ଆମର

କରୁଥିଲେ ହେଁ ଏତେ କ୍ଷତି

ବଦଳୁନାହିଁ ଆମ ମତି

 

ଆଖି ଦେଖିଲେ ସୁଦ୍ଧା ‘ ଚର୍ଚ୍ଚା ‘

ପାଟି କେବେ କହେନି ‘ ଚର୍‌ଚ୍ଚା ‘

ଆଖି ଓ ପାଟିର ବିବାଦ

ଭାଷାକୁ ନୁହେ ନିରାପଦ

 

କଥାନୁସାରେ ହେଲେ ଲେଖା

ଆମର ବାପା, ମାଆଁ, ଟୋକା

କରିବେ ସ୍ପଷ୍ଟ ଉଚ୍ଚାରଣ

ଲୋକେ ବି କରିବେ ଗ୍ରହଣ

 

ଏତେ ସୁବିଧା ଥାଉଁ ଥାଉଁ

ଆମେ ତ କିଛି କରୁନାହୁଁ

ରହିଛୁଁ ପ୍ରଥାକୁ ଜାବୁଡ଼ି

ଭାଷା ଗଡ଼ୁଛି ତଳେ ପଡ଼ି

 

‘ କର୍ତା ‘ ଦିଶିଲେ କହୁଁ ‘ କର୍‌ତା ‘

‘ କର୍ତ୍ତା ‘ ଦେଖିଲେ କେହି ‘ କର୍‌ତ୍ତା ‘

କହଂତି ଅବା ନ କହଂତି ?

ଉତ୍ତର ଦେଉଁ ଭାବି, ଚିଂତି

Leave A Reply

Your email address will not be published.