Latest Odisha News

BREAKING NEWS

ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ୯୦ ବର୍ଷ ପୂର୍ତ୍ତି ଉତ୍ସବ ଅନୁଷ୍ଠିତ

ଭୁବନେଶ୍ୱର : ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ୯୦ ବର୍ଷ ପୂର୍ତ୍ତି ଅବସରରେ ଏକ ଭବ୍ୟ ଉତ୍ସବ ସଂଗ୍ରହାଳୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଉଦ୍ଘାଟକ ଭାବରେ ଯୋଗ ଦେଇଥିଲେ । ରାଜ୍ୟ ସଂଗ୍ରହାଳୟକୁ ବିଶ୍ଵସ୍ତରୀୟ ସଂଗ୍ରହାଳୟ ଭାବରେ ପରିଣତ କରିବା ପାଇଁ ସମସ୍ତେ ପ୍ରୟାସ କରିବା ଉଚିତ ବୋଲି ସେ ମତ ପ୍ରକାଶ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଜାତୀୟ ସ୍ମାରକୀ ପ୍ରାଧିକରଣର ଅଧ୍ୟକ୍ଷ କିଶୋର କୁମାର ବାସା ମୁଖ୍ୟ ଅତିଥି ଏବଂ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ରଞ୍ଜନ କୁମାର ଦାସ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ରାଜ୍ୟ ସଂଗ୍ରହାଳୟର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ସମ୍ବନ୍ଧରେ ତଥ୍ୟ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓଡିଶା ରାଜ୍ୟ ସଂଗ୍ରହାଳୟର ଅଧିକ୍ଷକ ଭାଗ୍ୟଲିପି ମଲ୍ଲ ଉପସ୍ଥିତ ଥିଲେ ।

ଏହି ଅବସରରେ ସଂଗ୍ରହାଳୟରେ ଟେରାକୋଟା ପ୍ରଦର୍ଶନୀ ” ସଂସ୍କୃତି ଯାତ୍ରା ” ଉଦଘାଟିତ ହୋଇଥିଲା ଏବଂ ବରିଷ୍ଠ ନାଗରିକ ବିଶ୍ରାମ କକ୍ଷ ଲୋକାର୍ପିତ ହୋଇଥିଲା । ଆହୁରି ମଧ୍ୟ ଓଡ଼ିଶା ଐତିହ୍ୟ ଜର୍ଣ୍ଣାଲ ଓ ପ୍ରତ୍ନତତ୍ତ୍ୱ କାଟଲଗ ଏବଂ ପାଇକ ବିଦ୍ରୋହର ଇଂରାଜୀ ଭାଷାନ୍ତର ଉନ୍ମୋଚିତ ହୋଇଥିଲା । ପରିଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଗଞ୍ଜାମର ପୁରାତନ ନାଟକ “ପ୍ରହଲ୍ଲାଦ ” ପରିବେଷିତ ହୋଇଥିଲା ଲେହା ସହ ୧୦ ଜଣ ଜାତୀୟ ସ୍ତରର ଚିତ୍ରଶିଳ୍ପୀଙ୍କୁ ନେଇ ଏକ ଚିତ୍ରକଳା ଶିବିର ଆୟୋଜିତ ହୋଇଥିଲା । ୯୦ ବର୍ଷ ପୂର୍ତ୍ତି ଉପଲକ୍ଷେ ରାଜ୍ୟ ସଂଗ୍ରହାଳୟକୁ ପ୍ରବେଶ ଦେୟମୁକ୍ତ ଥିବାରୁ ପ୍ରାୟ ଦଶ ହଜାରରୁ ଊର୍ଦ୍ଧ୍ଵ ଦର୍ଶକ ପରିଭ୍ରମଣ କରି ବିଭିନ୍ନ ଗ୍ୟାଲେରୀ ବୁଲି ଦେଖିଥିଲେ ।

Comments are closed.