ଭୁବନେଶ୍ୱର: ସରକାର ମହିଳା ଏବଂ ଝିଅମାନଙ୍କ ପାଇଁ ଅନେକ ନୂତନ ପଦକ୍ଷେପ ସହିତ ‘ସୁଭଦ୍ରା ପ୍ଲସ୍’ ଆରମ୍ଭ କରିବେ। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଜେଟ୍ ଉପସ୍ଥାପନ ବେଳେ ପ୍ରକାଶ କରିଥିଲେ।
ଯାହା ଫଳରେ ସରକାର ‘କିଶୋରୀ ସୁଭଦ୍ରା’, ‘ସୁଭଦ୍ରା ସଂଚୟ’, ‘ସୁଭଦ୍ରା ସୁରକ୍ଷା’, ‘ସୁଭଦ୍ରା ସଖୀ’, ‘ସୁଭଦ୍ରା ଯାତ୍ରୀ’, ‘ସୁଭଦ୍ରା ସଂଘ’ (କ୍ଲବ୍), ‘କୁହ ସୁଭଦ୍ରା’ (କଲ୍ ସେଣ୍ଟର), ‘ସୁଭଦ୍ରା ସହଯୋଗୀ’, ‘ସୁଭଦ୍ରା ସ୍କଲାର’ ଏବଂ ‘ସୁଯୋଗ୍ୟ ସୁଭଦ୍ରା’ ଭଳି ନୂତନ ପଦକ୍ଷେପ ଅନ୍ତର୍ଭୁକ୍ତ କରିବେ।
ସରକାର ୨୦୨୫-୨୬ ଆର୍ଥିକ ବର୍ଷରେ ବଜେଟରେ ମହିଳା ଏବଂ ଶିଶୁମାନଙ୍କ ପାଇଁ ୧୭,୯୯୮ କୋଟି ଟଙ୍କାର ବ୍ୟୟବରାଦ ପ୍ରସ୍ତାବ ଦେଇଛନ୍ତି।
ବଜେଟରେ ପ୍ରସ୍ତାବିତ ନୂଆ ପଦକ୍ଷେପ ମଧ୍ୟରୁ ସୁଭଦ୍ରା ସୁରକ୍ଷା ରେ ମହିଳାମାନଙ୍କ ସୁରକ୍ଷା ପାଇଁ ୧୫୩ କୋଟି ଟଙ୍କାର ପ୍ରସ୍ତାବ ଦିଆଯାଇଛି।
ଏହା ବ୍ୟତୀତ ଏଣିକି ରାଜ୍ୟର ଗରିବ ପରିବାରଗୁଡ଼ିକୁ ସେମାନଙ୍କର ଝିଅ ବିବାହ ପାଇଁ ଚିନ୍ତା କରିବାକୁ ପଡ଼ିବ ନାହିଁ। ରାଜ୍ୟ ବଜେଟରେ ଗରିବ ସାମାଜିକ-ଆର୍ଥିକ ସ୍ବଚ୍ଛଳ ନଥିବା ପରିବାରର ଝିଅମାନଙ୍କ ବିବାହକୁ ସହଜ କରିବା ପାଇଁ ମଧ୍ୟପ୍ରଦେଶ ସରକାରଙ୍କ ପଦକ୍ଷେପ ପରି ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ ପ୍ରସ୍ତାବ ଦିଆଯାଇଛି।
ଏହି କାର୍ଯ୍ୟକ୍ରମ ଅଧୀନରେ ଗଣ ବିବାହ କରାଯିବ। ଯାହାର ସମସ୍ତ ଖର୍ଚ୍ଚ ସରକାର ବହନ କରିବେ ଏବଂ କନ୍ୟାମାନଙ୍କୁ ଉପହାର ମଧ୍ୟ ପ୍ରଦାନ କରିବେ। ତେବେ ଏଥିପାଇଁ ୧୨ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।
Comments are closed.