Latest Odisha News

BREAKING NEWS

କାହିଁକି ଗୌରବ ଗୋଗୋଇ, ହିମନ୍ତ ବିଶ୍ବଶର୍ମା ମୁହାଁମୁହିଁ?

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ଗୌରବ ଗୋଗୋଇଙ୍କ ପତ୍ନୀଙ୍କ ନାଁରେ ସଂଗୀନ ଅଭିଯୋଗ । ଫେବ୍ରୁଆରୀ ୧୨ତାରିଖରେ ଏକ୍ସରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କ ପୋଷ୍ଟ ରାଜନୀତିରେ ଭୂକମ୍ପ ଆଣିଛି । ଆଇଏସଆଇ କନେକ୍ସନ୍, ଯୁବକଙ୍କ ବ୍ରେନଓ୍ବାସ ଓ ଗତ ୧୨ବର୍ଷ ଧରି ଭାରତୀୟ ନାଗରିକତା ନେବାକୁ ମନା କରିବା ନେଇ ଉତ୍ତର ରଖିବା ଆବଶ୍ୟକ ବୋଲି ସୋସିଆଲ୍ ମିଡିଆ ଏକ୍ସରେ ପୋଷ୍ଟ କରିଥିଲେ ହିମନ୍ତ। ଏହାସହ ଧର୍ମାନ୍ତରୀକରଣ କାର୍ଟେଲରେ ଭାଗିଦାରୀ, ରାଷ୍ଟ୍ରୀୟ ସୁରକ୍ଷା ଅସ୍ଥିର କରିବାକୁ ଜର୍ଜ ସୋରସଙ୍କ ସମେତ ଦେଶ ବାହାରୁ ଫଣ୍ଡିଂ ନେବା ଚିନ୍ତା ବଢାଉଛି । ଏସବୁ ନେଇ ଉତ୍ତର ଜରୁରୀ ବୋଲି ଆସାମ ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଏହାପରଠୁ ଗୋଗୋଇଙ୍କ ପତ୍ନୀ ଏଲିଜାବେଥ କଲବର୍ଣ୍ଣଙ୍କ ପାକିସ୍ତାନର ଆଇଏସଆଇ ସହ ଲିଙ୍କ ନେଇ ରାଜନୈତିକ ଆରୋପ ପ୍ରତ୍ୟାରୋପ ଜୋରଦାର ହୋଇଛି ।

ହିମନ୍ତଙ୍କ ଅଭିଯୋଗ କ’ଣ?

ବିବାହ ପୂର୍ବରୁ ଏଲିଜାବେଥ କଲବର୍ଣ୍ଣ ଜଣେ ଆମେରିକୀୟ ସିନେଟର ଭାବେ କାମ କରିଥିଲେ । ପାକିସ୍ତାନୀ ସଂଗଠନ ସହ ଘନିଷ୍ଠ ସଂପର୍କ ପାଇଁ ସେ ଜଣାଶୁଣା ଥିଲେ ବୋଲି ହିମନ୍ତ ବିଶ୍ବଶର୍ମା କହିଛନ୍ତି । ଏହାପରେ ଏଲିଜାବେଥ୍ କିଛି ସମୟ ପାକିସ୍ତାନରେ ରହିଥିଲେ । ଆଇଏସଆଇର ମୁଖା କୁହାଯାଉଥିବା ଏକ ସଂଗଠନ ସହ ସେ କାମ କରିଥିଲେ । ଏପରିକି ଗୌରବ ଗୋଗୋଇଙ୍କୁ ବିବାହ କରିବା ପରେ ବି ଏଲିଜାବେଥ୍ ପାକିସ୍ତାନ ଯାଇଥିଲେ । ଏପରିକି ପାକିସ୍ତାନ ଯୋଜନା ଆୟୋଗର ପୂର୍ବତନ ପରାମର୍ଶଦାତା ଅଲ୍ଲୀ ତୌକିର ଶେଖଙ୍କ ସହ ତାଙ୍କର ସଂପର୍କ ରହିଥିବା ହିମନ୍ତ କହିଛନ୍ତି । ଜଳବାୟୁ ପରିବର୍ତ୍ତନ ନାଁରେ ଅନ୍ୟ କାମ କରୁଥିବା ସଂସ୍ଥାରେ ଶେଖଙ୍କ ସହ ଏଲିଜାବେଥ୍ କାମ କରୁଥିଲେ ବୋଲି ସେ ଅଭିଯୋଗ କରିଛନ୍ତି । ଏପରିକି ପତ୍ନୀଙ୍କ କାର୍ଯ୍ୟକଳାପରେ ଗୋଗୋଇ ଫସି ଯାଇଥାଇପାରନ୍ତି ବୋଲି ହିମନ୍ତ କହିଛନ୍ତି ।

ଏଲିଜାବେଥ୍ କଲବର୍ଣ୍ଣ କିଏ?

ଏଲିଜାବେଥ୍ କଲବର୍ଣ୍ଣଙ୍କ ଜନ୍ମ ବ୍ରିଟେନରେ ହୋଇଥିଲା । ଲଣ୍ଡନ ସ୍କୁଲ ଅଫ୍ ଇକୋନୋମିକ୍ସରୁ ସେ ଅନ୍ତର୍ଜାତୀୟ ରାଜନୈତିକ ଅର୍ଥବ୍ୟବସ୍ଥାରେ ଏମଏ କରିଛନ୍ତି । ୨୦୧୩ରେ ଏଲିଜାବେଥ୍ ଗୌରବ ଗୋଗୋଇଙ୍କୁ ବିବାହ କରିଥିଲେ । କ୍ଲାଇମେଟ୍ ଆଣ୍ଡ ଡେଭଲେପମେଣ୍ଟ ନଲେଜ ନେଟଓ୍ବର୍କ ବା ସିଡିକେଏନ୍ ନାମକ ସଂସ୍ଥାରେ ଏଲିଜାବେଥ୍ କାମ କରିଥିଲେ । ବିଜେପି ଏବେ ଏହି ସଂସ୍ଥାକୁ ଟାର୍ଗେଟ୍ କରୁଛି । ସିଡିକେଏନ୍ ଓ୍ବେବସାଇଟ୍ ତଥ୍ୟ ଅନୁସାରେ ଏଲିଜାବେଥ୍ ଭାରତ ଓ ନେପାଳରେ ସଂଗଠନ କାମର ସମନ୍ବୟ କରିଥିଲେ । ୨୦୧୪ରେ ସେ ଓ୍ବେବସାଇଟରେ ଶେଷ ଲେଖା ଲେଖିଥିଲେ ।

ରାଷ୍ଟ୍ରୀୟ ସୁରକ୍ଷା ପ୍ରସଙ୍ଗ କରିଛି ବିଜେପି

ହିମନ୍ତ ବିଶ୍ବଶର୍ମାଙ୍କ ଅଭିଯୋଗ ପରେ ବିଜେପି ମଧ୍ୟ ଏଲିଜାବେଥଙ୍କର ଅଲ୍ଲୀ ତୌକିର ଶେଖ୍ ଓ ଆଇଏସଆଇ ସହ ସଂପର୍କ ପ୍ରସଙ୍ଗ ଉଠାଇଛି। ଏଲିଜାବେଥଙ୍କ ନାଗରିକତାକୁ ନେଇ ବି ପ୍ରଶ୍ନ ଉଠାଇଛନ୍ତି ହିମନ୍ତ । ଗୌରବ ଗୋଗୋଇଙ୍କୁ ବିବାହ କରିବାର ୧୨ବର୍ଷ ପରେ ବି କାହିଁକି ଏଲିଜାବେଥ୍ ଭାରତର ନାଗରିକତା ନେଇନାହାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ଜୋରହାଟର ଭୋଟର ତାଲିକାରେ ଗୌରବ ଗୋଗୋଇଙ୍କ ପରିବାର ସଦସ୍ୟଙ୍କ ନାଁ ଥିବା ବେଳେ ଏଲିଜାବେଥଙ୍କ ନାଁ ନଥିବା କହିଛନ୍ତି । ଆସାମ ପୋଲିସର ସିଆଇଡି ପାକିସ୍ତାନୀ ନାଗରିକ ଅଲ୍ଲୀ ତୌକିର ଖାନଙ୍କ ନାଁରେ ମାମଲା ଦର୍ଜ କରିଛି ।

ବିଫଳତା ଲୁଚାଇବାକୁ ମିଛ !

ହିମନ୍ତ ବିଶ୍ବଶର୍ମାଙ୍କ ଅଭିଯୋଗକୁ ଖଣ୍ଡନ କରିଛି କଂଗ୍ରେସ । ଆସନ୍ତାବର୍ଷ ଆସାମରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ନିଜ ସରକାରର ବିଫଳତା ଲୁଚାଇବାକୁ ହିମନ୍ତ ଏଭଳି ଉଦ୍ୟମ କରୁଥିବା କଂଗ୍ରେସ ସାଂସଦ ଗୌରବ ଗୋଗୋଇ କହିଛନ୍ତି। ଏଲିଜାବେଥ୍ ବ୍ରିଟିଶ ପାସପୋର୍ଟ ରଖିବା ଅପରାଧ ନୁହେଁ । ଫେସବୁକ ପୋଷ୍ଟରେ ସତର ବିଜୟ ହେବ ବୋଲି ଗୋଗୋଇ ଲେଖିଛନ୍ତି । ହିମନ୍ତ ବିଶ୍ବଶର୍ମା ଚାହିଁଲେ ଯେକୌଣସି ପ୍ରସଙ୍ଗ ନେଇ ଯାଞ୍ଚ କରିପାରିବେ । ଖୋଦ୍ ହିମନ୍ତଙ୍କ ପରିବାର ଜମି ଦୁର୍ନୀତିରେ ସଂପୃକ୍ତ ଥିବା ଗୋଗୋଇ କହିଛନ୍ତି । ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ମଧ୍ୟ ଗୋଗୋଇଙ୍କ ସମର୍ଥନରେ ବାହାରି ହିମନ୍ତଙ୍କ ଅଭିଯୋଗକୁ ଖରାପ ଶ୍ରେଣୀର ଚରିତ୍ର ସଂହାର ବୋଲି କହିଛନ୍ତି । ଆସନ୍ତା ବର୍ଷ ଆସାମ ବିଧାନସଭା ନିର୍ବାଚନ ଥିବା ବେଳେ ଏଲିଜାବେଥଙ୍କ ଆଇଏସଆଇ ଲିଙ୍କ ଅଭିଯୋଗକୁ ନେଇ ସରଗରମ ହୋଇଛି ରାଜନୀତି ।

Comments are closed.