Latest Odisha News

ବାହାନଗା ଟ୍ରେନ୍ ଦୁର୍ଘଟଣା: ଟିକେଟ୍ କରି ନଥିବା ଯାତ୍ରୀଙ୍କୁ ବି ମିଳିବ ଅନୁକମ୍ପା ରାଶି

ଭୁବନେଶ୍ୱର: ବାଲେଶ୍ୱର ବାହାନଗା ଟ୍ରେନ୍ ଦୁର୍ଘଟଣା ପରେ ଅନୁକମ୍ପା ରାଶି ପ୍ରଦାନ ନେଇ ବଡ଼ ସୂଚନା ଦେଇଛି ରେଲୱେ । ରବିବାର ରେଲୱେ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ବିନା ଟିକେଟରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ମଧ୍ୟ ଅନୁକମ୍ପା ମୂଳକ ସହାୟତା ପ୍ରଦାନ କରାଯିବ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ସହାୟତା ଦିଆଯିବ ବୋଲି କହିଛନ୍ତି ଅଧିକାରୀ ।

ରେଲୱେ ମୁଖପାତ୍ର ଅମିତାଭ ଶର୍ମା କହିଛନ୍ତି, ଯାତ୍ରୀଙ୍କ ପାଖରେ ଟିକେଟ୍ ଥିଲା କି ନାହିଁ ତାହା ଦେଖାଯିବ ନାହିଁ । ସମସ୍ତଙ୍କୁ ଅନୁକମ୍ପା ମୂଳକ ସହାୟତା ଦିଆଯିବ । ଏହାଛଡ଼ା ହସ୍ପିଟାଲରେ ଚିକିତ୍ସିତ ହେଉଥିବା ପ୍ରତିଟି ଯାତ୍ରୀଙ୍କ ସହ ଜଣେ ସ୍କାଉଟ୍ ଅଥବା ଗାଇଡ୍ ରହିଛନ୍ତି । ଯିଏକି ଆହତଙ୍କ ପରିବାର ସହ ଯୋଗାଯୋଗ କରିବାକୁ ଚେଷ୍ଟା କରୁଥିବା କହିଛନ୍ତି ରେଲୱେ ବୋର୍ଡର ସଦସ୍ୟ ।

ବାହାନଗା ଦୁର୍ଘଟଣା ପରେ ରେଲୱେର ହେଲ୍ପ ଲାଇନ୍ ନମ୍ବର ୧୩୯ରେ ବରିଷ୍ଠ ଅଧିକାରୀ ସହାୟତା ପ୍ରଦାନ କରୁଛନ୍ତି । ମୃତାହତ ଯାତ୍ରୀଙ୍କ ପରିବାର ସଦସ୍ୟ ଫୋନ୍ କଲେ ବରିଷ୍ଠ ଅଧିକାରୀ କଥା ହୋଇ ନିଶ୍ଚିତ କରିବେ ସେମାନେ ଯେମିତି ଭେଟି ପାରିବେ । ଆମେ ଯାତ୍ରୀଙ୍କ ଅନ୍ୟ ଖର୍ଚ୍ଚ ପ୍ରତି ମଧ୍ୟ ଧ୍ୟାନ ଦେଉଥିବା ସେ କହିଛନ୍ତି ।

ରେଲୱେ ପକ୍ଷରୁ ମୃତକଙ୍କ ପରିବାର ବର୍ଗ ଲାଗି ୧୦ ଲକ୍ଷ, ଗୁରୁତର ଆହତଙ୍କୁ ୨ ଲକ୍ଷ ଓ ସାମାନ୍ୟ ଆହତ ହୋଇଥିବା ଯାତ୍ରୀଙ୍କୁ ୫୦ ହଜାର ଟଙ୍କା ଦିଆଯିବ । ଶୁକ୍ରବାର ହୋଇଥିବା ଦୁର୍ଘଟଣାରେ ୨୭୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ହଜାରେରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି ।

Leave A Reply

Your email address will not be published.