Latest Odisha News

BREAKING NEWS

୨୦୨୨ରେ ରାଜ୍ୟରେ ବଢିଛି ୧୪.୬୫% ଧର୍ତ୍ତବ୍ୟ ଅପରାଧ, ତେବେ ଆଇନଶୃଙ୍ଖଳା ସ୍ଥିତି ଶାନ୍ତିପୂର୍ଣ୍ଣ

ଭୁବନେଶ୍ୱର : ଗୃହ ବିଭାଗ ଶ୍ୱେତପତ୍ର ଅନୁସାରେ ରାଜ୍ୟରେ ୨୦୨୨ ମସିହାରେ ଧର୍ତ୍ତବ୍ୟ ଅପରାଧ ହାର ପ୍ରାୟ ୧୪.୬୫% ବୃଦ୍ଧି ପାଇଛି । ୨୦୨୧ ମସିହାରେ ରାଜ୍ୟରେ ମୋଟ ୧ଲକ୍ଷ ୫୫ହଜାର ୪୨୦ଟି ଧର୍ତ୍ତବ୍ୟ ଅପରାଧ ପଞ୍ଜିକୃତ ହୋଇଥିବାବେଳେ ୨୦୨୨ ମସିହାରେ ଏହି ସଂଖ୍ୟା ୧ଲକ୍ଷ ୭୮ହଜାର ଛୁଇଁଛି । ଅର୍ଥାତ ରାଜ୍ୟରେ ଅଧିକ ୨୨ହଜାର ୭୭୦ଟି ଅପରାଧିକ ମାମଲା ସଂଘଟିତ ହୋଇଛି । ତେବେ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ମୋଟାମୋଟି ଭାବେ ଶାନ୍ତିପୂର୍ଣ୍ଣ ଥିଲା ବୋଲି ରାଜ୍ୟ ଗୃହ ବିଭାଗ ପକ୍ଷରୁ ପ୍ରକାଶିତ ୨୦୨୨ ମସିହାର ଶ୍ୱେତପତ୍ରରେ ଦର୍ଶାଯାଇଛି ।

୨୦୨୨ ମସିହାରେ ରୁଜୁ ହୋଇଥିବା ମୋଟ ୧.୭୮ଲକ୍ଷ ଧର୍ତ୍ତବ୍ୟ ଅପରାଧ ମଧ୍ୟରେ ୧୩୭୯ଟି ହତ୍ୟା, ୬୨୬ଟି ଡକାୟତି, ୨୯୯୮ଟି ଲୁଣ୍ଠନ, ୫୪୬୭ଟି ସିନ୍ଧିଚୋରି, ୧୪୮୯୩ଟି ଚୋରି, ୫୩୫୨ଟି ପ୍ରତାରଣା, ୨୨୪୮ଟି ଦଙ୍ଗା , ୩୧୮୪ଟି ଦୁଷ୍କର୍ମ, ୧୧୬୬୩ଟି ମୋଟରଯାନ ଦୁର୍ଘଟଣା ଓ ୧୩୦୩୮୦ଟି ବିବିଧ ମାମଲା ରହିଛି । ତେବେ ୨୦୨୨ ମସିହାରେ ରୁଜୁ ହୋଇଥିବା ମୋଟ ୧,୭୮,୧୯୦ଟି ଧର୍ତ୍ତବ୍ୟ ଅପରାଧ ମଧ୍ୟରୁ ୧,୬୯,୭୩୫ଟି ମାମଲା ସତ୍ୟ ପ୍ରମାଣିତ ହୋଇଥିଲାବେଳେ ସେଥିରୁ ବର୍ଷ ଶେଷସୁଦ୍ଧା ମୋଟ ୧,୧୮,୫୪୭ଟି ମାମଲାରେ ଚାର୍ଜସିଟ୍ ଦାଖଲ ହୋଇଛି । ସଂଖ୍ୟା ଦେଖିବାକୁ ଗଲେ  ୫୧,୧୮୮ଟି ମାମଲାର ଚାର୍ଜସିଟ୍ ଦାଖଲ କରିବାରେ ପୋଲିସ ବିଭାଗ ବିଫଳ ହୋଇଛି ।ତୁଳନାତ୍ମକ ଦୃଷ୍ଟିରୁ ଦେଖିଲେ ୨୦୨୧ ମସିହା ତୁଳନାରେ ରାଜ୍ୟରେ ଧର୍ତ୍ତବ୍ୟ ଅପରାଧ ସଂଖ୍ୟା, ଯେପରିକି ମୋଟରଯାନ ଦୁର୍ଘଟଣା, ଚୋରି, ଡକାୟତି, ସିନ୍ଧିଚୋରି, ପ୍ରତାରଣା ଓ ଦଙ୍ଗା ମାମଲା ଆଦି ମଧ୍ୟ ବୃଦ୍ଧି ପାଇଛି । ତେବେ ହତ୍ୟା ଓ ଧର୍ଷଣ ମାମଲାର ସଂଖ୍ୟା ଅପେକ୍ଷାକୃତ ହ୍ରାସ ପାଇଛି ।

ରାଜ୍ୟରେ ଶାନ୍ତିପୂର୍ଣ୍ଣ ରହିଛି ଆଇନଶୃଙ୍ଖଳା ସ୍ଥିତି। ମହିଳା ହିଂସା ହେଉ କି ନାବାଳିକା ଚାଲାଣ ଅବା ମାଓ ହିଂସା ଅଥବା ଅର୍ଥନୈତିକ ଅପରାଧ। । ଏସବୁ ଅପରାଧକୁ ନିୟନ୍ତ୍ରଣ କରିବାରେ ଓଡ଼ିଶା ପୋଲିସ ସଫଳ ହୋଇଛି ବୋଲି ରାଜ୍ୟ ଗୃହ ବିଭାଗ ପକ୍ଷରୁ ପ୍ରକାଶିତ ୨୦୨୨ ମସିହାର ଶ୍ୱେତପତ୍ରରେ ଦର୍ଶାଯାଇଛି । । ରାଜ୍ୟ ସରକାରଙ୍କ ‘ମୋ ସରକାର’ ବ୍ୟବସ୍ଥା ଲାଗୁ ଫଳରେ ଥାନା ଓ ପୋଲିସିଂ ବ୍ୟବସ୍ଥାରେ ବୈପ୍ଳବିକ ପରିବର୍ତ୍ତନ ଆସିଥିବା କୁହାଯାଇଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାଭିମାନ ଅଞ୍ଚଳର ଲୋକଙ୍କ ବିକାଶକୁ ଗୁରୁତ୍ୱ ଦେଇଛନ୍ତି ବୋଲି ଶ୍ବେତପତ୍ରରେ କୁହାଯାଇଛି । ‘ଅପରେସନ୍‌‌ ଘର୍‌‌ ୱାପ୍‌‌ସି’ କାର୍ଯ୍ୟକ୍ରମ ଜରିଆରେ ୨୦୨୨ରେ ମୁଖ୍ୟସ୍ରୋତକୁ ଫେରିଛନ୍ତି ୩ ହଜାର ମାଓବାଦୀ ଓ ଧୀରେ ଧୀରେ ଗୋଟିଏ ପରେ ଗୋଟିଏ ଜିଲ୍ଲା ମାଓମୁକ୍ତ ହେଉଥିବା ଶ୍ୱେତପତ୍ରରେ ଉଲ୍ଲେଖ କରାଯାଇଛି। ସୂଚନାଯୋଗ୍ୟ, ଗତବର୍ଷ ଏକାଧିକ ବିଧାନସଭା ଆସନ ପାଇଁ ଉପନିର୍ବାଚନ, ପଞ୍ଚାୟତ ଓ ପୌର ନିର୍ବାଚନ ଆଦି ଶାନ୍ତି ଶୃଙ୍ଖଳା ସହ ଶେଷ ହୋଇଛି ବୋଲି ଶ୍ୱେତପତ୍ରରେ ଦର୍ଶାଯାଇଛି ।

Leave A Reply

Your email address will not be published.