Latest Odisha News

BREAKING NEWS

‘ସାବାସ ବାସନ୍ତୀ’: ଏପଟେ କର୍ତ୍ତବ୍ୟ କରୁଥିଲେ, ସେପଟେ ମା’ର ମମତା ଦେଇ ଛୁଆକୁ ରଖିଥିଲେ

ମାଲକାନଗିରି: ଖାକିରେ ଦାଗ ଅନେକ ଦେଖିଥିଲେ, ଅନେକ ଶୁଣିଥିଲେ । ହେଲେ ସେ ରଖିଛନ୍ତି ଖାକିର ମହତ । ସେ ବିଭାଗର ଛୋଟିଆ କମର୍ଚାରୀ ଜଣେ । ହେଲେ ଏଇ ତଳିଆ କର୍ମଚାରୀଙ୍କ ପାଇଁ ଆଜି ଖାକିକୁ ମିଳିଛି ସାବାସି । ସେ ପୋଲିସର ଦାୟିତ୍ୱ ତୁଲାଇବା ସହ ଏକ ମା’ର ଭୂମିକା ନିଭାଇଛନ୍ତି, ମଣିଷପଣିଆର ଉଦହାରଣ ଛାଡି ଯାଇଛନ୍ତି ।  ସେ ହେଉଛନ୍ତି କନଷ୍ଟେବଲ ବାସନ୍ତୀ ଚୌଧୁରୀ ।

ଘଟଣାଟି ମାଲକାନଗିରି ଜିଲ୍ଲାର । ଗତକାଲି ଥିଲା ପୋଲିସ କନଷ୍ଟେବଲ ନିଯୁକ୍ତି ପାଇଁ  ଲିଖିତ ପରୀକ୍ଷା ।  ପରୀକ୍ଷା କେନ୍ଦ୍ର ବାହାରେ ଏକ ହୃଦୟସ୍ପର୍ଶୀ ଦୃଶ୍ୟ ଦେଖିବାକୁ ମିଳିଥିଲା । ଜଣେ ମହିଳା ପୋଲିସ କନଷ୍ଟେବଲ ପରୀକ୍ଷା କେନ୍ଦ୍ର ସମ୍ମୁଖରେ ଦାୟିତ୍ୱ ନିଭାଇବା ସହ ୪ ମାସର  ପିଲାଟିକୁ କାନ୍ଧରେ ପକାଇ ପିଠି ଥାପୁଡଉଥିଲେ । କୁନି ପିଲାଟି ରାହାଧରି କାନ୍ଦୁଥିଲା । ପୋଲିସ କର୍ମଚାରୀ ଜଣକ ପ୍ରାଣପଣେ ଚେଷ୍ଟା କରି ତାକୁ ବୁଝାଇବାକୁ ଚେଷ୍ଟା କରିଥିଲେ ।

ଏହି ପୋଲିସ କନଷ୍ଟେବଲ ଜଣକ ହେଉଛନ୍ତି ବାସନ୍ତୀ ଚୌଧୁରୀ । ପୁରାୂ ଘଟଣା ଥିଲା ଏମିତି । କନଷ୍ଟେବଲ ପରୀକ୍ଷା ଦେବା ପାଇଁ ଚଞ୍ଚଳା ମଲ୍ଲିକ ନାମ୍ନୀ ଜଣେ ୨୨ ବର୍ଷୀୟା ମହିଳା ଆସିଥିଲେ । ତାଙ୍କ ସହ ଥିଲା  ୪ ମାସର ଶିଶୁ । ପିଲାଟି କାନ୍ଦିବାରୁ ତାକୁ ନିଜ ସହ ପରୀକ୍ଷା ହଲକୁ ନେଇ ଆସିଥିଲେ ଚଞ୍ଚଳା । କାରଣ ଘରେ ଛୁଆକୁ ଛାଡି ଆସିବାର କୌଶସି ସୁବିଧା ନ ଥିଲା । ଏପିରିକି କେହି ତାଙ୍କ ସହ ପରୀକ୍ଷା ହଲ ଯାଏ ଆସି ଛୁଆକୁ ରଖିବାର ସୁବିଧା ବି ନ ଥିଲା ।

ଚଞ୍ଚଳା ଛୁଆକୁ ଧରି ପରୀକ୍ଷା ହଲ ଯାଏ ସିନା ଚାଲି ଆସିଲେ, ହେଲେ ପରୀକ୍ଷା ଦେବାକୁ କେମିତି ଯିବେ ସେ ନେଇ ଚିନ୍ତା କରୁଥିଲେ । ଝିଅକୁ ଧରିବେ ନା ପରୀକ୍ଷା ଦେବାକୁ ଯିବେ ?  ପରୀକ୍ଷା ହଲ ଗେଟ୍ ବନ୍ଦ ହେବା ଉପରେ।   ନିରୂପାୟ ହୋଇ ଚଞ୍ଚଳା ଅନାଇ ବସିଥାନ୍ତି। ଶେଷରେ ମମତାର ରୂପ ନେଇ ଆଗକୁ ଆସିଲେ ବାସନ୍ତୀ। ପିଲାକୁ କୋଳକୁ ନେଲେ। ପିଠି ଥାପୁଡି ତୁନି କରାଇଦେଲେ। ଝିଅ ଟିକେ ଶାନ୍ତ ହେବାରୁ ହଲ ଭିତରକୁ ଗଲେ ଚଞ୍ଚଳା। ହେଲେ ମା’ ଚାଲିଯିବା ପରେ ପୁଣି ରାହା ଧରି କାନ୍ଦିଲା କଅଁଳ ଶିଶୁ। ଭରପୂର ପ୍ରୟାସ କରି ଶିଶୁକୁ ଶାନ୍ତିରେ ରଖିଲେ ବାସନ୍ତୀ। ଏପରିକି ନିଜ କ୍ଷୀର ମଧ୍ୟ ପିଆଇଥିଲେ। ଦୁଇ ଘଣ୍ଟାକାଳ ବାସନ୍ତୀ ଛୁଆଟିକୁ ଧରିଥିଲେ । ମା’ ହଲରେ ପରୀକ୍ଷା ଦେଉଥିଲେ ।

ମାଲକାନଗିରି ଏସପି ଏହି ଘଟଣା ଜାଣିବା ପରେ ସଂପୃକ୍ତ ମହିଳା କନେଷ୍ଟବଳଙ୍କୁ ନିଜ କାର୍ଯ୍ୟାଳୟରେ ଡାକି ଧନ୍ୟବାଦ ଦେଇଛନ୍ତି । ଏଥିସହ ସୋସିଆଲ୍ ମିଡିଆରେ ଏହାକୁ ଟୁଇଟ କରି ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଥିବା କଥା ଲେଖିଛନ୍ତି । ସେ ତାଙ୍କ ଟୁଇଟରେ ସାବାସ୍ ବାସନ୍ତୀ ବୋଲି ଲେଖିଛନ୍ତି ।

ଏହି ଘଟଣା ପ୍ରଚାର ହେବା ପରେ ସମସ୍ତଙ୍କ ମୁହଁରେ ବାସନ୍ତୀଙ୍କର ପ୍ରଶଂସା । ସାଧାରଣ ଲୋକଙ୍କ ଠାରୁ ପୋଲିସ ବିଭାଗ ସବୁରି ମୁହଁରେ ଗୋଟିଏ କଥା..ସାବାସ ବାସନ୍ତି ।

Leave A Reply

Your email address will not be published.