Latest Odisha News

BREAKING NEWS

ରାଜ୍ୟ ସରକାରଙ୍କର ୨ ବର୍ଷର ବିଫଳ ଶାସନ ବିରୁଦ୍ଧରେ ଓଡ଼ିଶା ଯୁବ ଜନତା କଂଗ୍ରେସର ବିକ୍ଷୋଭ

ଭୁବନେଶ୍ୱର: ଓଡ଼ିଶା ଯୁବ ଜନତା କଂଗ୍ରେସ ପକ୍ଷରୁ ଭୁବନେଶ୍ୱରର ଖାରବେଳନଗର ଠାରୁ ମାଷ୍ଟରକ୍ୟାଣ୍ଟିନ ପର୍ଯ୍ୟନ୍ତ ବିଶାଳ ବିକ୍ଷୋଭ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି । ଓଡ଼ିଶା ଯୁବ ଜନତା କଂଗ୍ରେସ ସଭାପତି ଆର୍ଯ୍ୟବୀର ଲେଙ୍କାଙ୍କ ନେତୃତ୍ୱରେ ଏହି ଶୋଭାଯାତ୍ରା ବାହାରିଥିଲା । ଓଡ଼ିଶା ଜନତା କଂଗ୍ରେସ ପାର୍ଟିର ସଭାପତି ଇଂ ମହମ୍ମଦ ମୋକିମ୍ ଯୋଗଦେବା ସହିତ ଅନେକ ଯୁବ ନେତା, ରାଜ୍ୟ ନେତୃତ୍ୱ ଓ ହଜାର ହଜାର ଯୁବ କର୍ମୀ ଯୋଗ ଦେଇଥିଲେ ।

ବିଜେପିର ୨ ବର୍ଷ ଶାସନକାଳରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି, ସ୍ୱାସ୍ଥ୍ୟ ଏବଂ ଶିକ୍ଷାର ଅବ୍ୟବସ୍ଥା, ଭିଡ଼ହିଂସା, ମହିଳା ନିର୍ଯାତନା, ବେରୋଜଗାରୀ, କମ୍ପାନୀ ସ୍ୱାର୍ଥରେ ନିରୀହ ଆଦିବାସୀଙ୍କ ଉପରେ ଜୁଲୁମ୍, ଦଳିତଙ୍କ ଉପରେ ଅତ୍ୟାଚାର ଆଦି ବିଭିନ୍ନ ସମସ୍ୟାକୁ ନେଇ ରାଜଧାନୀର ରାଜରାସ୍ତାରେ ସରକାରଙ୍କୁ ଜବାବ ମାଗିଛି ଯୁବ ଓଜେସି ।

ଆଜିର ଏହି ପ୍ରତିବାଦ ଶୋଭାଯାତ୍ରାରେ ଓଜେସି ସଭାପତି ଶ୍ରୀ ମୋକିମ୍ ଯୋଗଦାନ କରି ସରକାରଙ୍କ ଦୁଇ ବର୍ଷର ବିଫଳତା ସଂପର୍କରେ କହିଥିଲେ ଯେ, ରାଜ୍ୟରେ ଏକ ପ୍ରଶାସନିକ ସ୍ଥାଣୁତା ଦେଖାଦେଇଛି । ରାଜ୍ୟ କ୍ୟାବିନେଟର କାର୍ଯ୍ୟ କରିବାରେ କୌଣସି ତାଳମେଳ ନାହିଁ ଏବଂ ଏକଥା ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କ ବକ୍ତବ୍ୟରୁ ସ୍ପଷ୍ଟ ଅନୁମେୟ ।

ଡବଲ ଇଞ୍ଜିନ ସରକାର ଦୁଇ ବର୍ଷ ଭିତରେ ଓଡ଼ିଶାକୁ ଏପରି ଏକ ଅରାକଜତା ଭିତରକୁ ଠେଲି ଦେଇଛନ୍ତି, ଯେଉଁଠାରେ ଭିଡ଼ହିଂସା, ହାଜତ ମୃତ୍ୟୁ, ମହିଳାମାନଙ୍କ ଉପରେ ଅତ୍ୟାଚାର, କମ୍ପାନୀପ୍ରିତି ପାଇଁ ଆଦିବାସୀଙ୍କ ଜଳ, ଜଙ୍ଗଲ, ଜମିକୁ ଲୁଟତରାଜ, ଦଳିତଙ୍କୁ ଶୋଷଣ, ଚାଷୀଙ୍କୁ ମରଣ ମୁହଁଙ୍କୁ ଠେଲିଦେବା ଏକ ନିତିଦିନିଆ ଘଟଣାରେ ପରିଣତ ହୋଇଛି । ସରକାର ଏତେ ଅପାରଗ ଯେ, ସ୍କୁଲ୍ ପିଲାଙ୍କୁ ପାଠପଢ଼ିବା ପାଇଁ ସଠିକ୍ ବହି ମଧ୍ୟ ଯୋଗାଇପାରିଲେ ନାହିଁ ।

ରୋଜଗାର ନାଁରେ ଓଡ଼ିଶାର ଯୁବବର୍ଗଙ୍କୁ ଏକ ବିରାଟ ବେରୋଜଗାରୀର ଖାଇ ଭିତରକୁ ସରକାର ଠେଲି ଦେଇଛନ୍ତି। ବିଗତ ଦୁଇବର୍ଷ ଭିତରେ ଗୋଟିଏ ବି ରୋଜଗାର ସୃଷ୍ଟି କରିବାରେ ସଂପୂର୍ଣ୍ଣ ବିଫଳ ମୋହନ ସରକାର ୧୦ ଲକ୍ଷ କୋଟିର ନିବେଶ ଏବଂ ଲକ୍ଷାଧିକ ପିଲାଙ୍କ କର୍ମନିଯୁକ୍ତି ବିଷୟରେ ଭେଳିକି ଦେଖାଉଛନ୍ତି। ଏଭଳି ଠକ ଓ ଗପ ସରକାର ବିରୁଦ୍ଧରେ ଆଜି ଯୁବ ଓଜେସି ରାଜଧାନୀରେ ରଣହୁଙ୍କାର ଦେଇଛି।

ଯୁବ ଓଜେସି ସଭାପତି ଆର୍ଯ୍ୟବୀର ଲେଙ୍କା କହିଥିଲେ ଯେ, ଯେଉଁ ପର୍ଯ୍ୟନ୍ତ ଓଡ଼ିଶାର ଯୁବବର୍ଗଙ୍କୁ ମୋହନ ସରକାର ନ୍ୟାୟ ପ୍ରଦାନ ନ କରିଛନ୍ତି ସେ ପର୍ଯ୍ୟନ୍ତ, ସରକାରଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ରାଜ୍ୟର ହଜାର ହଜାର ଯୁବ ଓଜେସି କର୍ମୀ ବିରୋଧ କରିବେ ଏବଂ ଏ ଅପାରଗ ସରକାରକୁ କୁମ୍ଭକର୍ଣ୍ଣ ନିଦ୍ରାରୁ ନ ଉଠାଇଲା ଯାଏଁ ଆମେ ପଛକୁ ହଟିବୁ ନାହିଁ । ସେ କହିଥିଲେ ଯେ, ସ୍କୁଲରେ ପିଲାଙ୍କୁ ଭୁଲ୍ ପାଠ ବହି ପଢ଼ିବାକୁ ଦେବା ହେଉ କିମ୍ବା କେଜିରୁ ପିଜି ମାଗଣା ଶିକ୍ଷା ନାଁରେ ଛାତ୍ରଛାତ୍ରୀଙ୍କ ଠାରୁ ଟଙ୍କା ଆଦାୟ କରିବା ଅବା ବୃଦ୍ଧବୃଦ୍ଧାଙ୍କର ମାସମାସ ଧରି ଭତ୍ତା ନଦେବା, ଟାଟା ପାୱାର କମ୍ପାନୀ ଦ୍ୱାରା ବିଜୁଳି ଗ୍ରାହକମାନଙ୍କୁ ସ୍ମାର୍ଟ ମିଟର ନାଁରେ ଶୋଷଣ କରିବା, ସିଜିମାଳିରେ ବକ୍ସାଇଟ୍ ଖନନ ପାଇଁ ନିରୀହ ଆଦିବାସୀଙ୍କ ଉପରେ ଅତ୍ୟାଚାର କରିବା ଭଳି ଜନତା ମାରଣ ନୀତି ଆପଣାଇ ଥିବା ଡବଲ୍ ଇଞ୍ଜିନ ସରକାର ବିରୁଦ୍ଧରେ ଯୁବ ଓଜେସିର ଏ ହେଉଛି ରଣହୁଙ୍କାର ।

ସରକାର ଯଦି ତାଙ୍କର ଜନତା ମାରଣ ନୀତିରୁ ନ ଓହରନ୍ତି, ତେବେ ଆଗକୁ ରାଜ୍ୟର ପ୍ରତ୍ୟେକ ଜିଲ୍ଲା ମୁଖ୍ୟାଳୟରେ ଯୁବ ଓଜେସି ତରଫରୁ ବ୍ୟାପକ ମାତ୍ରାରେ ପ୍ରତିବାଦ ଓ ବିକ୍ଷୋଭ ଶୋଭାଯାତ୍ରା ଆୟୋଜନ କରାଯିବ ବୋଲି ସେ କହିଛନ୍ତି ।

ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ହଜାର ହଜାର କର୍ମୀଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା । ଏଥିରେ ସମସ୍ତ ରାଜ୍ୟ ନେତୃତ୍ୱ, ଯୁବ ଓଜେସିର ପର୍ଯ୍ୟବେକ୍ଷକ ସୂର୍ଯ୍ୟକାନ୍ତ ରାଉତ ଓ କ୍ରିଷ୍ଣାନନ୍ଦ ସାହୁ, ପ୍ରିୟବତ ସାହୁ, ମହମ୍ମଦ ସଲାଉଦ୍ଦିନ୍, ରାକେଶ ବେହେରା, ପ୍ରିୟବତ ନାୟକ, ଅଖିଳ ମୋହନ ଦାସ, ମାନସ ଦିଗଲ, ଆଦିତ୍ୟ ଗିରି, ସୋମନାଥ ରାଉତ, ପ୍ରଦୀପ କୁମାର ନାୟକ, କୃଷ୍ଣଚନ୍ଦ୍ର ଆଳତିଆ, ରାଜ ସାହୁ, ଅରବିନ୍ଦ ଜେନା, ରିଙ୍କୁନୁ ସାହୁ, ସତ୍ୟବ୍ରତ ଦେ, ଭି. ଶୁଭମ ରାଜୁ ପ୍ରମୁଖ ସାମିଲ ହୋଇଥିଲେ ।

Leave A Reply

Your email address will not be published.